ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଆମଲିପାଣି ଛକ ନିକଟ ଏକ ଅନ୍ଧାରୁଆ ସ୍ଥାନରୁ ମଧ୍ୟରାତ୍ରୀରେ ଚୋରି ହୋଇଥିବା ପ୍ରାୟ ୩୫ ଲକ୍ଷ ଟଙ୍କାର ପାଣି ପାଇପ୍ ପଶ୍ଚିମବଙ୍ଗରୁ ଠାବ ହୋଇଛି। ଏହି ବଡ଼ଧରଣର ଚୋରି ଘଟଣାରେ ପୁଲିସ ୨୬ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଆହୁରି ୨ ଜଣ ଖୁବ ଶୀଘ୍ର ଗିରଫ ହେବେ ବୋଲି ରେଢ଼ାଖୋଲ ଏସ୍ଡିପିଓ ପ୍ରଶାନ୍ତ ମେହେର ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର ଏସ୍ପି ବାତୁଲା ଗଂଗାଧରଙ୍କ ନିର୍ଦ୍ଦେଶରେ ଚୋରି ଗ୍ୟାଙ୍ଗକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଚୋରି ହେବା ଦିନ ଠାରୁ ସ୍ବତନ୍ତ୍ର ପୁଲିସ ଟିମ୍ ଘଟଣାର ତଦନ୍ତ କରୁଥିଲା।
ଅଭିଯୁକ୍ତମାନେ ହେଲେ, ରାଜୁ ନାଏକ (୨୪), ବିଜୁ ନାଏକ (୨୦), ବଣ୍ଟି ନାଏକ (୨୦), ରାଜେଶ କୁମାର ନାୟକ (୧୯), ରଂଜିତ ଭୋଇ (୨୦), ହରି ଦେହୁରୀ (୨୨), ବିଘ୍ନେଶ୍ବର ଦାଶ (୨୦), ସଂଗ୍ରାମ ବାରିକ (୧୮), ରମେଶ ଚନ୍ଦ୍ର ପରିଡ଼ା (୩୫), ବାସୁଦେବ ନାଏକ (୨୨), ହେମନ୍ତ ପୁଷ୍ଟି (୨୪), ବିଶ୍ବଭୂଷଣ ମହାପାତ୍ର (୨୨), ବିକାଶ କୁମାର ନାଏକ (୨୩), ରାକେଶ ମହାପାତ୍ର (୨୧), ଧର୍ମାନନ୍ଦ ସାହୁ (୨୦), କିଶୋର କୁମାର ପୃଷ୍ଟି (୩୨), ଧୀରେନ୍ଦ୍ର ନାଏକ (୨୦), ବିଜୟ ବାରିକ (୨୪), ରୁଚିକା ଭୋଇ (୪୦), ଅମୂଲ୍ୟ ନାଏକ (୨୦), ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ବେହେରା (୩୫), ସୁରଜ ସିଂହ (୩୬), ସଂଜୟ ଯାଦବ (୨୮), ଅନିରୁଦ୍ଧ ଯାଦବ (୩୩), ଦିଲୀପ କୁମାର ପୱନ (୩୪) ଓ ରାମଶଂକର ମୌର୍ଯ୍ୟ (୫୨)। ପାଣିପାଇପ କିଣିଥିବା ବ୍ୟକ୍ତି ହେଲେ ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲା ପେଲୁର ଥାନା ଅନ୍ତର୍ଗତ ଫୋରମ ପ୍ରବେଶ ନିବାସୀ ମୟଙ୍କ ମିତ୍ତଲ ଓ ମହିପ ମିତ୍ତଲ। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୩ଟି ଟ୍ରକ, ଗୋଟିଏ ବୋଲେରୋ, ଗୋଟିଏ ଦେଶୀ ପିସ୍ତଲ, ୧୦ ଖଣ୍ଡ ପାଇପ୍, ନଗଦ ୪୦ ହଜାର ଟଙ୍କା ଓ ୭ଟି ମୋବାଇଲ ଜବତ କରିଛି।
ଶ୍ରୀ ମେହେର କହିଛନ୍ତି ଯେ, ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଥିଲା କଟକ ଜିଲ୍ଲା ବାଙ୍କି ଅଞ୍ଚଳର ରାଜକିଶୋର ନାଏକ ଓରଫ ରାଜୁ। ରାସ୍ତାକଡ଼ରେ ପଡ଼ିଥିବା ପାଇପ୍କୁ ସେ ଚୋରି କରିବା ପାଇଁ ଏକ ଯୋଜନା କରିଥିଲା। ଏଥି ପାଇଁ ତା’ର ସହଯୋଗୀ ମାଧ୍ୟମରେ ପାଣିପାଇପଗୁଡ଼ିକ ଚୋରି କରିଥିଲା। ପାଇପ୍ ଗୁଡ଼ିକ ଚୋରି କରିବାର ୨/୩ ଦିନ ପୂର୍ବରୁ ରାଜୁ ବଣ୍ଟି ନାଏକ, ବାସୁଦେବ ନାଏକ ଓ ସୋନୁ ସମ୍ବଲପୁର ଅଭିମୁଖେ ଆସିଥିଲେ। ଯୁଯୁମୁରା ନିକଟ ଜିତୁ ଢାବା ପାଖରେ ଏକ ଅନ୍ଧାରୁଆ ସ୍ଥାନରେ ପାଇପ ପଡ଼ିଥିବା ଦେଖି ସେମାନେ ଏହାକୁ ଚୋରି କରିବା ପାଇଁ ଯୋଜନା କରିଥିଲେ। ଏହି ପାଇପଗୁଡ଼ିକ କୋଲକାତା ନେଇଯିବା ପାଇଁ ଚିନ୍ତା କରିଥିଲେ। ୧୪ ତାରିଖ ରାତିରେ ବାଙ୍କି ଅଞ୍ଚଳରୁ ୧୯ ଜଣ ଅଭିଯୁକ୍ତ ଏକ ପିକ୍ଅପରେ ରେଢ଼ାଖୋଲ ଅଞ୍ଚଳକୁ ଆସିଥିଲେ। ସାଥୀରେ ସେମାନେ ଟ୍ରକ ମଧ୍ୟ ଆଣିଥିଲେ। କିନ୍ତୁ ସେହିଦିନ ପ୍ରବଳ ବର୍ଷା ହୋଇଥିବାରୁ ଚୋରି କରିପାରିଲେ ନାହିଁ। ଅଭିଯୁକ୍ତମାନେ ୧୫ ତାରିଖରେ ଯୁଯୁମୁରାରେ ରହିଥିଲେ ଏବଂ ରାତିରେ ଚୋରି କରିବାକୁ ଯୋଜନା କରିଥିଲେ। ତେବେ ଏସ୍ପିଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ତଦନ୍ତକାରୀ ଟିମ୍ ଶେଷରେ ଉପନୀତ ହେଲେ ଯେ, ଚୋରି ଘଟଣାରେ ବାଙ୍କି ଅଞ୍ଚଳର କିଛି ଲୋକ ସଂପୃକ୍ତ ଅଛନ୍ତି। ରାଜୁ ନାଏକ ପାଇପ୍ଗୁଡ଼ିକ ଚୋରି କରି ପଶ୍ଚିମବଙ୍ଗ ନେଇଯାଇଥିଲା।
ସୂଚନାଯୋଗ୍ୟ, ଗତମାସ ୧୫ ତାରିଖ ରାତିରେ ଆମଲିପାଣି ଛକ ନିକଟରୁ ଦୁର୍ବୃତ୍ତମାନେ ୫୫୦ ଖଣ୍ଡ ପାଣି ପାଇପ୍ କୋରି କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ମୁଖ୍ୟମନ୍ତ୍ରୀ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଠିକା ସଂସ୍ଥା ପକ୍ଷରୁ ଏହି ଛକ ନିକଟରେ ଶିବିର କରାଯାଇଥିଲା। ପ୍ରାୟ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଆସି ୧୦୦ ଏମ୍ଏମ୍ର ପାଇପ୍ ଚୋରି କରି ନେଇଯାଇଥିଲେ। ଚୋରି ପାଇଁ ଟ୍ରକ୍ଗୁଡ଼ିକ ବ୍ୟବହାର କରାଯାଇଥିଲା। ତେବେ ଚୋରି ନେଇ ଘଟଣାର ପରଦିନ ଅର୍ଥାତ ୨୦୨୨ ଜୁଲାଇ ୧୭ ତାରିଖରେ ଠିକା ସଂସ୍ଥା(କେଇସି ଇଣ୍ଟରନ୍ୟାସନାଲ ଲିମିଟେଡ) ର ପରିଚାଳକ ଏମ୍ ସିଦ୍ଧେଶ୍ବରନ ଯୁଯୁମୁରା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପରେ ଏହି ପାଇପ୍ଗୁଡ଼ିକ ବ୍ୟବହାର ପାଇଁ ଅଣାଯାଇଥିଲା।