ରାଉରକେଲା : ମହାରାଷ୍ଟ୍ର ନାଗପୁରରୁ ଚାଲି ଚାଲି ରାଉରକେଲାରେ ପହଁଚିଲେ ଝାରଖଣ୍ଡ ଚାଇବସାର ୨୬ ଶ୍ରମିକ l ସମସ୍ତେ ନାଗପୁର ଏକ ହସ୍ପିଟାଲ ନିର୍ମାଣ କାମରେ ନିୟୋଜିତ ହୋଇଥିଲେ l କାମ ବନ୍ଦ ପରେ ଠିକାଦାର କୁଲାଇ ହେମ୍ବ୍ରମ ଏମାନଙ୍କୁ ଛାଡି ଚାଲି ଝାରଖଣ୍ଡ ଚାଲିଯାଇଥିଲା l ଏମାନେ ଯେନତେନ ପ୍ରକାରେ ଗତ ୪ ତାରିଖ ଦିନକୁ ଓଳିଏ ଖାଇ ସେଠାରେ ରହୁଥିଲେ l ୫ ତାରିଖ ପରେ ଖାଇବାକୁ ନ ମିଳିବାରୁ ଚାଲି ଚାଲି ଘରକୁ ବାହାରିଥିଲେ l
କିଛି ବାଟ ଆସିବା ପରେ ଏକ ମାଲବାହୀ ଟ୍ରକରେ ବସି ୭ ତାରିଖ ଓଡିଶା ଛତିଶଗଡ଼ ସୀମା ପହଞ୍ଚି ଥିଲେ l ସେଠାରୁ ଭୋକ ଉପାସରେ ବିଜୁ ଏକ୍ସପ୍ରେସ ୱେରେ ଚାଲି ଚାଲି ଗତକାଲି ରାତିରେ ରାଉରକେଲା ସରକାରୀ ହସ୍ପିଟାଲରେ ପହଞ୍ଚି ଥିଲେ l ଗୋଡ ଯନ୍ତ୍ରଣା ହେଉ ଥୁବାରୁ ସରକାରୀ ହସ୍ପିଟାଲ ନିକଟରେ ଥିବା ଔଷଧ ଦୋକାନ ଔଷଧ ଖାଇ ଆହାର କେନ୍ଦ୍ର ବାହାରେ ରାତି କାଟି ଥିଲେ l ଆଜି ସକାଳୁ ହସ୍ପିଟାଲରୁ ବାହାରି ଚାଲି ଚାଲି ଝାରଖଣ୍ଡ ଚାଇବସା ଯାଉଥିବାବେଳେ ହନୁମାନ ବାଟିକା ନିକଟ ରାସ୍ତା କଡରେ ଆଶ୍ରୟ ନେଇଛନ୍ତି l ବଜରଙ୍ଗ ଦଳ ପକ୍ଷରୁ ସେମାନଙ୍କୁ ଖାଇବାର ବ୍ୟବସ୍ତା କରାଯାଉଛି l ପରେ ଝାରଖଣ୍ଡ ଅଭିମୁଖେ ବାହାରିବେ ବୋଲି ବଜରଙ୍ଗ ଦଳର ସୋନୁ ସାହୁ ଓ ଅନ୍ୟମାନେ କହିଛନ୍ତି l