କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷାଫଳ ଆସନ୍ତା ୨୬ ତାରିଖ ରବିବାର ସକାଳ ୧୦ଟା ୩୦ରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ମାଟ୍ରିକ୍ ସହ ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ପ୍ରଥମ)ର ଫଳାଫଳ ମଧ୍ୟ ପ୍ରକାଶ ପାଇବ। ସେହିଦିନ ସକାଳ ୯ଟାରେ ବୋର୍ଡ ପରୀକ୍ଷା କମିଟି ବୈଠକରେ ଅନୁମୋଦନ ପରେ ତିନିଟି ଯାକ ପରୀକ୍ଷା ଫଳାଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଆଜି ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ କହିିଲେ, ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ରବିବାର ସକାଳ ସାଢ଼େ ୧୧ଟାରେ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ। ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେସବୁ ସ୍ଥାନରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ମାଧ୍ୟମରେ OR10
ଫଳ ପ୍ରକାଶନ ଦିନ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ପ୍ରଦାନ ବ୍ୟବସ୍ଥା ହୋଇଛି। ରବିବାର ଅପରାହ୍ଣ ୪ଟାରୁ ଅନ୍ଲାଇନ୍ରେ ମାଟ୍ରିକ୍, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷାର ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ଉପଲବ୍ଧ ହେବ। ଏହି ଡିଜିଟାଇଜ୍ ସାର୍ଟିଫିକେଟ୍ ଛାତ୍ରଛାତ୍ରୀମାନେ ମୋବାଇଲ୍ ମାଧ୍ୟମରେ ମଧ୍ୟ ପାଇପାରିବେ।
ପରୀକ୍ଷାଫଳ ପ୍ରକାଶନ ପରେ ମେ’ ୨୯ରୁ ଜୁନ୍ ୧୨ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଆବେଦନ କରିପାରିବେ। ମାଟ୍ରିକ୍ ପାଇଁ ଅନ୍ଲାଇନରେ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପାଇଁ ଅଫ୍ଲାଇନରେ ରିଚେକିଂ ଆବେଦନ କରାଯିବ। ଫଳ ପ୍ରକାଶ ପରେ କୌଣସି ପରାମର୍ଶ ପାଇଁ ବୋର୍ଡରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ସକାଳ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ୮୭୬୩୪୪୬୨୯୨/୯୪୩୭୨୨୮୧୮୭ ସହ ଯୋଗାଯୋଗ କରି ପରାମର୍ଶ ପାଇ ପାରିବେ ବୋଲି ଉପ-ସଭାପତି ଡକ୍ଟର୍ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଂପାଦକ ମଞ୍ଜୁଲତା ମଲ୍ଳିକ ଓ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଟେମଲାଲ୍ ଦୁବେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ଚଳିତବର୍ଷ ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ, ମଧ୍ୟମାରେ ୩୦୩୭ ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୮୩୧ଜଣ ଫର୍ମପୂରଣ କରିଥିଲେ। ସମସ୍ତ ପରୀକ୍ଷା ୩୦୩୭ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ଖାତା ମୂଲ୍ୟାୟନ ମାର୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିଥିଲା। ମୂଲ୍ୟାୟନ ପାଇଁ ୧୫ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ।
କେମିତି ପାଇବେ ସାର୍ଟିଫିକେଟ୍?
ସାର୍ଟିଫିକେଟ୍ ପାଇବା ପାଇଁ ବୋର୍ଡ ୱେବ୍ସାଇଟ୍ରେ କ୍ଲିକ୍ କଲେ ଏକ ଲିଙ୍କ୍ ଆସିବ। ଏହି ଲିଙ୍କ୍କୁ କ୍ଲିକ୍ କଲେ ସର୍ଚ ଇଓର୍ ସାର୍ଟିଫିକେଟ୍ ବିଭାଗ ଆସିବ। ଏଥିରେ ଟାଇପ୍ ଅଫ୍ ଏକ୍ଜାମ୍, ଇୟର୍ ଅଫ ଏକ୍ଜାମ୍, ଡେଟ୍ ଅଫ୍ ବାର୍ଥ, ରୋଲ୍ ନମ୍ବର, ଆଡମିଟ୍ କାର୍ଡରେ ଥିବା ମୋବାଇଲ୍ ନମ୍ବର ଟାଇପ୍ କରିବେ। ସଂପୃକ୍ତ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ। ଏହି ଓଟିପିକୁ ସଂପୃକ୍ତ ସ୍ଥାନରେ ପୂରଣ କରି ସେଣ୍ଡ୍ ଓଟିପି ସ୍ଥାନରେ କ୍ଲିକ୍ କଲେ, ସର୍ଚ ଅପ୍ସନ୍ ଆସିବ। ସର୍ଚ ମାରିଲେ, ସ୍କ୍ରିନ୍ରେ ପର୍ସନାଲ୍ ଇନ୍ଫରମେସନ୍ ଆସିବ। ଏଥିରେ ପରୀକ୍ଷାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ରହିବା ସହିତ ଡାଉନ୍ଲୋଡ୍ ଇଓର୍ ସାଟିଫିକେଟ୍ ଆସିବ। ସେଠାରେ କ୍ଲିକ୍ କଲେ, ୫/୬ ସେକେଣ୍ଡ ମଧ୍ୟରେ ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ପ୍ରଦର୍ଶିତ ହେବ। ଏହାକୁ ସେଭ୍ କରି ପ୍ରିଣ୍ଟ କରିପାରିବେ। ଏହି ପ୍ରମାଣପତ୍ରରେ ପ୍ରଧାନଶିକ୍ଷକଙ୍କ ସ୍ବାକ୍ଷର ନଥିବ। ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ପ୍ରମାଣପତ୍ରର ହାର୍ଡ କପି ପ୍ରଦାନ କରାଯିବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି। ଏହି ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ପରୀକ୍ଷାର୍ଥୀମାନେ ହ୍ବାଟ୍ସଆପ୍ ଜରିଆରେ ମଧ୍ୟ ପାଇପାରିବେ। ୭୭୧୦୦୫୮୧୯୨ ନମ୍ବରକୁ ନିଜ ମୋବାଇଲ୍ରେ ସେଭ୍ କରି BSE/Hi ଟାଇପ୍ କରି ମେସେଜ୍ କଲେ, ବୋର୍ଡ ପକ୍ଷରୁ ଲିଙ୍କ୍ ଆସିବ। ଏହି ଲିଙ୍କ୍କୁ କ୍ଲିକ୍ କରି ପରେ ପୂର୍ବ ସେପାନଗୁଡିକୁ ଅନୁସରଣ କଲେ, ଛାତ୍ରଛାତ୍ରୀମାନେ ନିଜ ନିଜର ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ପାଇପାରିବେ।