ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ୨୬ ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର : ଅଗଷ୍ଟ ୨୩ରୁ ଆରମ୍ଭ ହେବାକୁ ଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଲାଗି ସାରା ରାଜ୍ୟରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୧ଟି ବିଶ୍ବବିଦ୍ୟାଳୟ ସମେତ ୧୪ଟି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଗୋଟିଏ ସରକାରୀ ଡିଗ୍ରି କଲେଜରେ ପରୀକ୍ଷା କେନ୍ଦ୍ର ହେବ। ଉତ୍କଳ ସମେତ ରମାଦେବୀ, ରେଭେନ୍ସା, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଗଙ୍ଗାଧର ମେ‌ହେର, ଫକୀରମୋହନ, କଳାହାଣ୍ଡି, ରାଜେନ୍ଦ୍ର ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ।

ସ୍ବୟଂଶାସିତ କଲେଜଗୁଡ଼ିକ ମଧ୍ୟରେ ସରକାରୀ କଲେଜ ଅନୁଗୁଳ, ଫକୀର ମୋହନ କଲେଜ, ଭଦ୍ରକ କଲେଜ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଢେଙ୍କାନାଳ କଲେଜ, ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜ, ଏନ୍‌ସି କଲେଜ ଯାଜପୁର, ସରକାରୀ କଲେଜ ଫୁଲବାଣୀ, ଧରଣୀଧର କଲେଜ କେନ୍ଦୁଝର, ବିଜେବି କଲେଜ, ରାଜା ବିକ୍ରମ ଦେବ କଲେଜ ଜୟପୁର, ଏମ୍‌ପିସି କଲେଜ ବାରିପଦା, ଏସ୍‌ସିଏସ୍‌ କଲେଜ ପୁରୀ, ସରକାରୀ କଲେଜ ରାଉରକେଲା ଓ ବ୍ରହ୍ମପୁରସ୍ଥିତ ଶଶିଭୂଷଣ ରଥ ସରକାର ମହିଳା ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ।

ପରୀକ୍ଷା ପରିଚାଳନା ଓ ଅନ୍ୟାନ୍ୟ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯିବ ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳି ଜାରି ହୋଇଛି। ବିଶ୍ବବିଦ୍ୟାଳୟଗୁଡ଼ିକ ଆସନ୍ତା ୧୩ ତାରିଖ ସୁଦ୍ଧା ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ଜଣାଇବାକୁ କୁହାଯାଇଛି। ପରୀକ୍ଷା ଶେଷ ହେବା ପରେ ସମସ୍ତ ଡକ୍ୟୁମେଣ୍ଟ ପଠାଇବେ। ବିଶ୍ବବିଦ୍ୟାଳୟର ପିଜି କାଉନସିଲ୍‌ ଅଧ୍ୟକ୍ଷ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର