ଲକଡାଉନ୍ ଯୋଗୁଁ ଓଡ଼ିଶାରେ ଫସିଥିବା ଭୁଟାନର ୨୬ ପର୍ଯ୍ୟଟକ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିଲେ

ଭୁବନେଶ୍ୱର: ନିଜ ଦେଶ ଭୁଟାନକୁ ଫେରିଲେ ଓଡ଼ିଶାରେ ଫସି ରହିଥିବା ପର୍ଯ୍ୟଟକ | ଓଡ଼ିଶାରେ ଥିବା ଏହି ଭୁଟାନର ପର୍ଯ୍ୟଟକମାନେ ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରିଯାଇଛନ୍ତି | ରୟାଲ ଭୁଟାନ ଏୟାରଲାଇନସର  ଏକ ସ୍ୱତନ୍ତ୍ର ବିମାନ ଡ୍ରକଏୟାର ଭୁଟାନର ପାରୋରୁ ବାଙ୍ଗାଲୋର ଅଭିମୁଖେ ଯାଇଥିଲା |

ସେଠାରେ ଥିବା କିଛି ପର୍ଯ୍ୟଟକଙ୍କୁ ଆଣିବା ପରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଅବତରଣ କରିଥିଲା | ଏହି ବିମାନରେ ଓଡ଼ିଶାରେ ଫସିଥିବା ୨୬ ଜଣ ପର୍ଯ୍ୟଟକ ଭୁଟାନର ପାରୋ ସହର ଅଭିମୁଖେ ଯାଇଛନ୍ତି |

ଆଜି ଦିନ ୨ଟା ବେଳେ ଏହି ପର୍ଯ୍ୟଟକମାନେ ନିଜ ଦେଶକୁ ଫେରିଛନ୍ତି | ତେବେ ପର୍ଯ୍ୟଟକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଇଥିଲା |ଏଠାରେ ସୂଚନା ଥାଉ କି ଦେଶରେ ଏବେ ଅନ୍ତର୍ଜାତୀୟ ବିମାନ ଉଡାଣକୁ ମେ ୩ ତାରିଖ ଯାଏଁ ବାତିଲ କରାଯାଇଥିବାବେଳେ ଭୁଟାନ ପକ୍ଷରୁ ଏହାର ନାଗରିକମାନଙ୍କୁ ମୁକୁଳାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ଭାରତର ବିଭିନ୍ନ ସ୍ଥାନରେ ଫସିଥିବା ପର୍ଯ୍ୟଟକଙ୍କୁ ମୁକୁଳାଇବା ପାଇଁ ଭୁଟାନ ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇଥିଲା | ଏହା ପରେ ଡ୍ରକଏୟାର ପକ୍ଷରୁ ପର୍ଯ୍ୟଟକଙ୍କୁ ନିଜ ଦେଶକୁ ଫେରାଇ ନିଆଯାଇଛି |

ସମ୍ବନ୍ଧିତ ଖବର