ଗୃହ ସଚିବଙ୍କୁ ଡିଜିଙ୍କ ଚିଠି : ଖାଲି ପଡ଼ିଛି ୨୬୦ ଇନ୍‌ସ୍ପେକ୍ଟର ପଦବି

କଟକ : ପୁଲିସ ବିଭାଗରେ ୨୬୦ଟି ଇନ୍‌ସ୍ପେକ୍ଟର ପଦବି ଖାଲି ପଡ଼ିଛି। ଏସ୍‌ଆଇ ପାହ୍ୟାରୁ ଇନ୍‌ସ୍ପେକ୍ଟରକୁ ପଦୋନ୍ନତି ପାଇଁ ଅଫିସର‌୍‌ଙ୍କ ସର୍ବନିମ୍ନ ୮ ବର୍ଷ କାର୍ଯ୍ୟ ଦକ୍ଷତା ଆବଶ୍ୟକ ଥିଲା। କିନ୍ତୁ ରାଜ୍ୟରେ ଏତେ ସ˚ଖ୍ୟାରେ ଖାଲି ପଦବିକୁ ପୂରଣ କରିବା ଉଦ୍ଦେଶ୍ୟରେ ପଦୋନ୍ନତି ପାଇଁ ଧାର୍ଯ୍ୟ ମାନଦଣ୍ତକୁ ୭ ବର୍ଷକୁ ହ୍ରାସ କରିବା ପାଇଁ ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମା ଗୃହ ବିଭାଗକୁ ଚିଠି ଲେଖି ସୁପାରିଶ କରିଛନ୍ତି। ବିଭାଗୀୟ ଅନୁମୋଦନ ମିଳିଲା ପରେ ଖୁବ ଶୀଘ୍ର ଏହି ଖାଲି ପଦବିଗୁଡ଼ିକ ପୂରଣ କରାଯିବ।

ସୂଚନା ଅନୁଯାୟୀ, ରାଜ୍ୟ ପୁଲିସ ବିଭାଗର ଥାନା, ସ୍ପେଶାଲ ବ୍ରାଞ୍ଚ, କ୍ରାଇମ୍‌ବ୍ରାଞ୍ଚରେ ମଞ୍ଜୁରୀପ୍ରାପ୍ତ ଇନ୍‌ସ୍ପେକ୍ଟର ପଦବି ସ˚ଖ୍ୟା ହେଉଛି ୧୨୨୭। କିନ୍ତୁ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ୯୬୭ ଇନ୍‌ସ୍ପେକ୍ଟର। ଅବଶିଷ୍ଟ ୨୬୦ ପଦବି ଖାଲି ପଡ଼ିଛି। ଏସ୍‌ଆଇରୁ ଇନ୍‌ସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଁ ୮ ବର୍ଷ କାର୍ଯ୍ୟ ଦକ୍ଷତା ମାନଦଣ୍ତ ରଖାଯାଇଥିବାରୁ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଇନ୍‌ସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଁ ଗତ ପଦୋନ୍ନତି ବୋର୍ଡରେ ମାତ୍ର ୬ ଜଣ ଏସ୍‌ଆଇ ଯୋଗ୍ୟ ହୋଇଥିଲେ। ଅବଶିଷ୍ଟ ଏସ୍‌ଆଇଙ୍କ କାର୍ଯ୍ୟ ଦକ୍ଷତା ମାନଦଣ୍ତ ଅନୁଯାୟୀ ୮ ବର୍ଷ ପୂରଣ କରିନଥିବାରୁ ଚୟନ କରାଯାଇନଥିଲା। ଖାଲି ପଡ଼ିଥିବା ୨୬୦ ଇନ୍‌ସ୍ପେକ୍ଟର ପଦବି ପୂରଣ ପାଇଁ ଅଫିସରସ୍‌ ଆସୋସିଏସନ୍‌ ପ୍ରତିନିଧି ପୁଲିସ ଡିଜିଙ୍କୁ ଭେଟି ଆଲୋଚନା କରିଥିଲେ। ସେହି ଆଧାରରେ ଡିଜି ଗୃହ ବିଭାଗର ମୁଖ୍ୟ ଶାସନ ସଚିବଙ୍କୁ ଏ ସ˚କ୍ରାନ୍ତରେ ଚିଠି ଲେଖିଛନ୍ତି। ଗୃହ ବିଭାଗର ଅନୁମୋଦନ ମିଳିଲେ ଖୁବ ଶୀଘ୍ର ୨୬୦ ଇନ୍‌ସ୍ପେକ୍ଟର ପଦବି ପୂରଣ ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର