ଭୁବନେଶ୍ବର: ସରକାରୀ କର୍ମଚାରୀ ଓ ଅଧିକ ରୋଜଗାର ଥିବା ରାସନ କାର୍ଡ ପାଇଥିଲେ ତାହାକୁ ନିଜଆଡ଼ୁ ଫେରାଇବା ଲାଗି ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ଯାଞ୍ଚ ସମୟରେ ଧରାପଡ଼ିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟ ସରକାରଙ୍କ ଏହି ଧମକ ପରେ ରାଜ୍ୟରେ ରାସନ କାର୍ଡ ଫେରାଇବା ଓ କାଟିବା କାମ ଆରମ୍ଭ ହୋଇଥିଲା। ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଏଚ୍‌ଏମ୍‌ଆରଏସ୍‌ରେ ଥିବା ସରକାରୀ କର୍ମଚାରୀଙ୍କ ତଥ୍ୟ ଜିଲ୍ଲାମାନଙ୍କୁ ଯାଞ୍ଚ କରିବା ପାଇଁ ପଠାଯାଇଥିଲା। ତହିଁରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ହଜାର ୪୪୨ଜଣ ସରକାରୀ କର୍ମଚାରୀ ଓ ଅଧିକ ଆୟ ଥିବା ୮ହଜାର ୧୫୦କୁ ମିଶାଇ ୨୬ହଜାର ୫୯୨ଜଣଙ୍କ ରାସନ କାର୍ଡ କଟି ଯାଇଥିବା ସୂଚନା ମିଳିଛି।

Advertisment

ଇ-କେୱାଇସି କରିନାହାନ୍ତି ୨୨ଲକ୍ଷରୁ ଅଧିକ ହିତାଧିକାରୀ
କେତେ ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କ କାର୍ଡ କଟିଛି ସ୍ପଷ୍ଟ ହୋଇପାରୁନି

ମୟୂରଭଞ୍ଜରରେ ସର୍ବାଧିକ ୧୩୬୪ ଜଣ ସରକାରୀ କର୍ମଚାରୀ ରାସନ କାର୍ଡ ଫେରାଇଛନ୍ତି। ଏହା ପଛରେ ବାଲେଶ୍ବର, କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ରହିଥିବା ନିୟମ ଅନୁଯାୟୀ ଆରସିଏମ୍‌ଏସ୍‌ ପୋର୍ଟାଲରେ ୧ଲକ୍ଷ ୭୮ହଜାର ୭୪ଜଣଙ୍କ ରାସନ କାର୍ଡ ଯାଞ୍ଚ କରିବାକୁ କୁହାଯାଇଥିଲା। ଅଧିକ ଆୟ ଥିବା ସତ୍ତ୍ବେ ଯେଉଁମାନେ ରାସନ କାର୍ଡ ହାତେଇଥିଲେ ସେମାନଙ୍କ କାର୍ଡକୁ ମଧ୍ୟ କାଟି ଦିଆଯାଇଛି। କଟକରୁ ସର୍ବାଧିକ ୧୫୩୩ ଜଣଙ୍କ କାର୍ଡ କଟିଥିବା ବେଳେ ନୟାଗଡ଼ ୧୦୦୬, ଅନୁଗୁଳ ୭୦୬ ଓ ଖୋର୍ଦ୍ଧାରୁ ୪୯୦ ଜଣଙ୍କ କାର୍ଡ କଟିଛି। 
ସେହିପରି ପୂର୍ବ ସରକାର ସମୟରେ ମୃତକଙ୍କ ନାଁରେ ରାସନ ସାମଗ୍ରୀ ଉଠୁଥିବା ନେଇ ଅଭିଯୋଗ ହେଉଥିଲା। ତେଣୁ ଏହାକୁ ରୋକିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଥିଲେ। ଏହାଭିତରେ ୫ଲକ୍ଷ ମୃତକଙ୍କ ରାସନ କାର୍ଡକୁ କାଟି ଦିଆଯାଇଛି। ଗତବର୍ଷ ଡିସେମ୍ବର ମାସରେ କେବଳ ୮୪ହଜାର ୨୩୨ଜଣଙ୍କ କାର୍ଡ କଟିଥିଲା। ତେବେ ହିତାଧିକାରୀଙ୍କ ଇ-କେୱାଇସି ପ୍ରକ୍ରିୟାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ। ସମୁଦାୟ ୩କୋଟି ୨୮ଲକ୍ଷ ୧୮ହଜାର ୧୭୪ଜଣଙ୍କ ଇ-କେୱାଇସି କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ୨୨ଲକ୍ଷରୁ ଅଧିକ ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି। ରାଜ୍ୟ ବାହାରେ ରହୁଥିବା ୧ଲକ୍ଷ ୪୧ହଜାର ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। 

ଅପରପକ୍ଷରେ ରାଜ୍ୟରେ କେତେ ସଂଖ୍ୟକ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ରାସନ କାର୍ଡ କଟାଯାଇଛି ତାହା ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ କୌଣସି ତଥ୍ୟ ନାହିଁ। ରାଜ୍ୟ ଯୋଗାଣ ବିଭାଗର ଅଧିକାରୀଙ୍କ କହିବା କଥା ବାଂଲାଦେଶୀ ଓ ରୋହିଙ୍ଗ୍ୟାକୁ କିଭଳି ଚିହ୍ନଟ କରାଯିବ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। ଏହାସହ ଯେଉଁ ସରକାରୀ କର୍ମଚାରୀଙ୍କ ଯାଞ୍ଚ ସମୟରେ ରାସନ କାର୍ଡ ରହିଥିବା ନଜରକୁ ଆସୁଛି ତାହାକୁ କାଟି ଦିଆଯାଇଛି। ତେବେ ଇ-କେୱାଇସି ଏକ ନିରନ୍ତର ପ୍ରକ୍ରିୟା ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।