ଭୁବନେଶ୍ବର: ବିଜେଡି ସରକାର ସମୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ‘ନୂଆ-ଓ’ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। କ୍ରୀଡ଼ା, ସଂସ୍କୃତି, ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ରାଜ୍ୟ ବିକାଶରେ ସକ୍ରିୟ ଅଂଶୀଦାର କରିବା ନାରା ଦେଇ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରିଥିଲେ ସରକାର। କେଉଁଠି ୧୦ କୋଟି ଖର୍ଚ୍ଚ କରିଥିଲେ ତ କାହାକୁ ୩ କୋଟି ଦେଇଥିଲେ। ଯୋଜନା ଆରମ୍ଭ ହେବାର କିଛି ମାସ ମଧ୍ୟରେ ତତ୍କାଳୀନ ବିଜେଡି ସରକାର ୨୬୧ କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା ଖର୍ଚ୍ଚ କରିଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କେବଳ ଟି-ସାର୍ଟ ବାଣ୍ଟିବାକୁ ରାଜ୍ୟ ସରକାର ୧୩ କୋଟି ୯୯ ଲକ୍ଷ ୯୪ ହଜାର ୮୮୯ ଟଙ୍କା ଖର୍ଚ୍ଚ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କ୍ରୀଡ଼ା, ସଂସ୍କୃତି, ସାମାଜିକ କାର୍ଯ୍ୟକ୍ରମ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କରିବାକୁ ୯୧ କୋଟି ୫୩ ଲକ୍ଷ ୫୪ ହଜାର ୩୯୬ ଟଙ୍କା ବ୍ୟୟବରାଦ ହୋଇଥିଲା। ଜିଲ୍ଲାସ୍ତରୀୟ ଉତ୍ସବରେ ୬୯ କୋଟି ୭୬ ଲକ୍ଷ ୫୬ ହଜାର ୭୩୬ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବ୍ଲକ୍, ୟୁଏଲ୍ବି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ୫୬ କୋଟି ୨୫ ଲକ୍ଷ ୧୩ ହଜାର ୩୭୪ ଟଙ୍କା ଖର୍ଚ୍ଚ କରାଯାଇଥିଲା। କେବଳ ସେତିକି ନୁହେଁ, ୧୯ କୋଟି ୯୨ ଲକ୍ଷ ୯୨ ହଜାର ୨୯୬ ଟଙ୍କାର ଛାତ୍ର ବୃତ୍ତି ମଧ୍ୟ ବଣ୍ଟନ ହୋଇଥିଲା। ଡିଜିଟାଲ୍ ଫେଷ୍ଟ ପ୍ରତିଯୋଗିତାରେ ପୂର୍ବ ସରକାର ୧୦ କୋଟି ୧୫ ଲକ୍ଷ ୧୦ ହଜାର ୪୩୯ ଟଙ୍କା ଖର୍ଚ୍ଚ କରିଥିଲେ। ୧୫ ମାସ ହେଲା ରାଜ୍ୟରେ ନୂଆ ସରକାର ଆସିଥିଲେ ମଧ୍ୟ ଖର୍ଚ୍ଚର କୌଣସି ଖୋଳତାଡ଼ ହୋଇ ନାହିଁ। ବରଂ ଆଜି ବିଧାନସଭାରେ ବିଧାୟକ ବାବୁ ସିଂଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯାଇପାରେ।