ବାଲେଶ୍ବର: ବାଲେଶ୍ବରରେ ଖଣିମାଫିଆଙ୍କ ରହିଛି ୨୬୪ ଜଣିଆ ହ୍ବାଟ୍ସଆପ୍ ଗ୍ରୁପ୍। ସାରା ରାଜ୍ୟରେ ବେଆଇନ ଲଘୁ ଖଣିଜ କାରବାର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଗତକାଲି ପୁଲିସ ଅଟକ ରଖିଥିବା ଜଣେ ଯୁବକଙ୍କ ମୋବାଇଲ୍ ଫୋନ୍ରୁ ଖଣି ମାଫିଆଙ୍କ ‘ସୋର’ ନାମକ ଏକ ହ୍ବାଟ୍ସଆପ୍ ଗ୍ରୁପ୍ର ସନ୍ଧାନ ମିଳିଛି। ଏହି ଗ୍ରୁପ୍ରେ ବେଆଇନ ଖଣି କାରବାର ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଥିବା ଜଣାପଡ଼ିଛି। ହସ୍ତଗତ ସୂଚନା ଅନୁସାରେ; ଉକ୍ତ ହ୍ବାଟ୍ସଆପ୍ ଗ୍ରୁପରେ ସୋର, ବାଗୁଡ଼ି, ସିମୁଳିଆ, ବାହାନଗା, ଖଇରା, ନୀଳଗିରି, ଖନ୍ତାପଡ଼ା, ରେମୁଣା ଏମିତି ବିଭିନ୍ନ ଅଞ୍ଚଳର ଯୁବକଙ୍କୁ ସାମିଲ କରାଯାଇଛି। ବେଆଇନ ଖଣିରୁ ଲଘୁଖଣିଜ ଉଠିବାଠାରୁ ବିଭିନ୍ନ ଗାଡ଼ିରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରାଯିବା ସହିତ ସମସ୍ତ ସୂଚନା ଦିଆଯାଉଛି।
ଚଢ଼ଉ ଟିମ୍ର ଗତିବିଧି ଉପରେ ସୂଚନା ରହୁଛି
ଆକ୍ରମଣ କରିବାକୁ ପଛାଉ ନାହାନ୍ତି
କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କୁନ୍ଥକୁନ୍ଥ
ଏହାପରେ ଗାଡ଼ିଗୁଡ଼ିକ ଯେଉଁ ରାସ୍ତାରେ ଯିବ ସେଠାରେ ନିୟୋଜିତ ଥିବା ସଦସ୍ୟମାନେ ଗାଡ଼ି ସମ୍ପର୍କରେ ଗ୍ରୁପ୍କୁ ଅପ୍ଡେଟ୍ ସୂଚନା ଦେଉଛନ୍ତି। ଖାଲି ଏତିକି ନୁହେଁ, ପୁଲିସ, ତହସିଲ କିମ୍ବା ଖଣି ବିଭାଗ କାର୍ଯ୍ୟାଳୟ ପାଖରେ ମଧ୍ୟ ଗ୍ରୁପ୍ର କିଛି ସଦସ୍ୟ ନିୟୋଜିତ ରହି ପ୍ରଶାସନର ଗତିବିଧି ଉପରେ ନଜର ରଖୁଛନ୍ତି। ପରବର୍ତ୍ତୀ ସମୟରେ ଅଧିକାରୀମାନେ ବେଆଇନ ଖଣି କିମ୍ବା ଗାଡ଼ି ଉପରେ ଚଢ଼ଉ ପାଇଁ ବାହାରିଲେ ଉକ୍ତ ହ୍ବାଟ୍ସଆପ୍ ଗ୍ରୁପ୍ରେ ଆଗୁଆ ସୂଚନା ପଡ଼ିଯାଉଛି। ଫଳରେ ସମସ୍ତେ ସତର୍କ ହୋଇ ଯାଉଛନ୍ତି। ଏହି ହ୍ବାଟ୍ସଆପ୍ ଗ୍ରୁପ୍ ସଂପର୍କରେ ଅଧିକ ଛାନ୍ଭିନ୍ ଚାଲିଛି। ବେଆଇନ ଲଘୁ ଖଣିଜ କାରବାର ବନ୍ଦ କରିବା ଲାଗି ପୁଲିସ ପ୍ରଶାସନ ତଥା ସରକାର ଡାଳେ ଡାଳେ ଗଲେ ମାଫିଆମାନେ ପତ୍ରେ ପତ୍ରେ ଯାଉଥିବା ସ୍ପଷ୍ଟ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୭ ତାରିଖ(ସୋମବାର) ରାତି ସାଢ଼େ ୯ଟା ସମୟରେ ବାଲେଶ୍ବର ଜିଲ୍ଲା ଖଣି ଅଧିକାରୀଙ୍କ ନିର୍ଦ୍ଦେଶରେ ୩ ଜଣ ସହକାରୀ ଖଣି ଅଧିକାରୀ ଖନ୍ତାପଡ଼ାଠାରେ ଏକ ପଥର ବୋଝେଇ ଡମ୍ପରକୁ ଅଟକାଇଥିଲେ। ଏହି ସମୟରେ ୧୦ଟି ବାଇକ୍ ଓ ଗୋଟିଏ କାର୍ରେ ୨୫ରୁ ଅଧିକ ଯୁବକ ମୁହଁରେ କପଡ଼ା ବାନ୍ଧି ଖଣି ଅଧିକାରୀଙ୍କ ଗାଡ଼ି ଓ ଜବତ ପଥର ବୋଝେଇ ଡମ୍ପରକୁ ଘେରି ଯାଇଥିଲେ। ଅଧିକାରୀମାନଙ୍କୁ ସେମାନେ ଗାଳିଗୁଲଜ କରିବା ସହ ଜବତ ଡମ୍ପରକୁ ନ ଛାଡ଼ିଲେ ଜୀବନରୁ ମାରିଦେବାକୁ ଧମକାଇଥିଲେ। ଏପରିକି, ଅଧିକାରୀଙ୍କୁ ପିଛାକରି ପଥର ମାଡ଼ କରିଥିଲେ। ଗତକାଲି ଖଣି ଅଧିକାରୀଙ୍କ ତରଫରୁ ଖନ୍ତାପଡ଼ା ଥାନାରେ ଦିଆଯାଇଥିବା ଏତଲା ପରେ କେସ୍ ନମ୍ବର ୧୦୦/୨୫ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ତେବେ ଅଟକ ୪ ଜଣ ଯୁବକଙ୍କୁ ନୋଟିସ୍ କରାଯାଇ ଛାଡ଼ି ଦିଆଯାଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ଅଟକ ଯୁବକମାନଙ୍କୁ ଅଧିକ ପଚରାଉଚରା ନ କରି କିପରି ଛାଡ଼ିଦେଲା ବୋଲି ପ୍ରଶ୍ନ ଉଠିଛି।