୨୬୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଆସନ୍ତାକାଲି ଆହୁରି ୫ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ବିମାନ ଯୋଗେ ଉତ୍କେଲାରେ ପହଞ୍ଚିବେ। ସେଠାରୁ ଆସି ଭବାନୀପାଟଣା ଡାକ୍ତରଖାନାରେ ସକାଳ ୧୦ଟାରେ ପହଞ୍ଚିବା‌ର କାର୍ଯ୍ୟକ୍ରମ ରହିଛି। ଆଜି ୟୁରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ସୁରେଶ ରୁଲାନିଆ, ଡାକ୍ତର କିଶୋର ଟନଜି, ରେଡିଓଲୋଜି ସ୍ପେସାଲିଷ୍ଟ ଡାକ୍ତର ଶାନ୍ତିଭୂଷଣ ଦାସ, କାର୍ଡିଓଲୋଜି ସ୍ପେସାଲିଷ୍ଟ ଡାକ୍ତର ଜେ. ସତ୍ୟ ସାରଥି, ନେଫ୍ରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ରାକେଶ କୁମାର ରାଉତରାୟ ଆଜି ପହଞ୍ଚିଥିଲେ।

ଏଠାରେ ୨୬୭ ଜଣ ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା କରାଯାଇଥିଲା। ଆସନ୍ତାକାଲି ୫ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନାରେ ବିମାନ ଯୋଗେ ଉତ୍କେଲା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା କରିବେ। ଏହି ଡାକ୍ତରୀ ଦଳରେ ୟୁରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ଦତ୍ତେଶ୍ବର ହୋତା, କାର୍ଡିଓଲୋଜି ସ୍ପେସାଲିଷ୍ଟ ଡାକ୍ତର ସତ୍ୟ ନାରାୟଣ ରାଉତ, ଆନାସ୍ତିଆଲୋଜି ସ୍ପେସାଲିଷ୍ଟ ଡାକ୍ତର ଦେବପ୍ରସାଦ ମହାନ୍ତି, ନ୍ୟୁରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ଅଶୋକ ମଲ୍ଲିକ, ନେଫ୍ରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ବିବେକାନନ୍ଦ କର ବିମାନ ଯୋଗେ ଆସିବେ। ଆଜି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଏକ ସ୍କ୍ରିନିଂ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ରୋଗୀମାନଙ୍କୁ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁଯାୟୀ ବିଭାଗୀୟ ସୁପର ସ୍ପେସାଲିଷ୍ଟ ଡାକ୍ତରଙ୍କ ପରାମର୍ଶ ନିମନ୍ତେ ସୁପାରିସ କରାଯିବ। ଆସନ୍ତାକାଲି ଚିହ୍ନଟ ହୋଇଥିବା ରୋଗୀଙ୍କୁ ସୁପର ସ୍ପେସାଲିଷ୍ଟଙ୍କ ପରାମର୍ଶ ପାଇଁ ସୁବିଧା ଉପଲବ୍ଧ କରାଯିବ। ୟୁରୋ ସର୍ଜରି ନିମନ୍ତେ ୧୭ ଜଣ, କାର୍ଡିଓଲୋଜି ନିମନ୍ତେ ୩୯, ନ୍ୟୁରୋଲୋଜି ନିମନ୍ତେ ୨୭ ଜଣ, ନେଫ୍ରୋଲୋଜି ନିମନ୍ତେ ୩୨ ଜଣ, ଗେଷ୍ଟ୍ରୋଏଣ୍ଟ୍ରୋଲୋଜି ନିମନ୍ତେ ୩ ଜଣ, ଜେନେରାଲ ସର୍ଜରି ନିମନ୍ତେ ୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଓ ଡାକ୍ତରମାନଙ୍କ ଯିବା ଆସିବା, ରହିବା, ଖାଇବା ନିମନ୍ତେ ପ୍ରାୟ ୬ ଲକ୍ଷ ଟଙ୍କା ପିଏଚ୍‌ଆର୍‌ଏଫ୍‌ ଯୋଜନାରୁ ଖର୍ଚ୍ଚ କରାଯିବ। ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା କାର୍ଯ୍ୟକ୍ରମ ଯୋଗୁଁ ରୋଗୀମାନେ ଉପକୃତ ହୋଇପାରିବେ।

ମାର୍ଚ୍ଚ ୨୯ ଓ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ସଂପ୍ରତି ରାଜ୍ୟର ୪ଟି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଜିଲ୍ଲା ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାରେ କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ରହିଛି ଓ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ଏହା ଶେଷ ହେବା ପରେ ୨୭ ତାରିଖ ଠାରୁ କଳାହାଣ୍ଡି ଜିଲ୍ଲାରେ ଏହା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ କିଭଳି ସଫଳତାର ସହିତ ପରିଚାଳନା କରାଯିବ ଓ ଏଥିରେ କିଭଳି ଅଧିକରୁ ଅଧିକ ଜିଲ୍ଲାର ରୋଗୀ ଉପକୃତ ହୋଇପାରିବେ ସେ ସଂପର୍କରେ ଜରୁରି ଆଲୋଚନା କରିବା ପାଇଁ ଗତ ୨୭ ତାରିଖ କଳାହାଣ୍ଡି ସିଡିଏମ୍‌ଓ ଡାକ୍ତର କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିପିଏମ୍ ଅବନୀ ରଞ୍ଜନ ମହାପାତ୍ର, ଏଡିଏମ୍‌ଓ ଡା. ରଞ୍ଜନ ମିତ୍ର, ଡାକ୍ତରଖାନାର ମ୍ୟାନେଜର ଡା. ଶ୍ରୀରାମ ମହାନ୍ତି, ପ୍ରବୀଣ ସେନାପତି ଓ ଶକ୍ତିରଞ୍ଜନ ସିଂହ, ଶୁଭ୍ରା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର