କଟକ: ଓଡ଼ିଆ ଉଦ୍ୟୋଗୀଭାବେ ଦେଶ ତଥା ବିଦେଶରେ ଏକ ମସଲା କମ୍ପାନିକୁ ପ୍ରତିଷ୍ଠିତ କରିବା କ୍ଷେତ୍ରରେ ସୁରେନ୍ଦ୍ରନାଥ ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡାଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ଉଭୟଙ୍କ ଦାତାପଣିଆ ଯୋଗୁଁ ଭାରତ ମସଲା ଆଜି ଏକ ବ୍ରାଣ୍ଡନେମ୍ରେ ପରିଣତ ହୋଇଛି। କେବଳ ବ୍ୟାବସାୟିକ ଲକ୍ଷ୍ୟ ନରଖି ସେବାକୁ ମୂଳମନ୍ତ୍ର କରିଥିବା ଏହି କମ୍ପାନି ଓଡ଼ିଆ ଜାତି ପାଇଁ ଗର୍ବ ଓ ସ୍ୱାଭିମାନର ପ୍ରତୀକ ବୋଲି ବାରଙ୍ଗ ରାମଦାସପୁର ସ୍ଥିତ ଭାରତ ମସଲା କମ୍ପାନି ପରିସରରେ ଜୟ ଭାରତ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ୨୬ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ପ୍ରତିଷ୍ଠା ଦିବସ ଉତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି।
ଜୟ ଭାରତ ଫାଉଣ୍ଡେସନ୍ର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରି ଫାଉଣ୍ଡେସନ୍ ସବୁବେଳେ ପୂଜ୍ୟପୂଜା ପରମ୍ପରାକୁ ସମ୍ମାନ ଦେଇ ଆସିଛି ବୋଲି କହିଥିଲେ। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କମ୍ପାନିର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ଓ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା ଅନ୍ୟମାନଙ୍କ ପାଇଁ ଆଦର୍ଶ। ମାତ୍ର ୧ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଏବେ ବାର୍ଷିକ ୭୦୦କୋଟିର ବ୍ୟବସାୟ କରୁଛି ବୋଲି କହିଥିଲେ। ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଥିଲେ ଯେ, ଉତ୍ପାଦିତ ଦ୍ରବ୍ୟକୁ ରପ୍ତାନି କରିବା ପାଇଁ ୨୦୦୯ ମସିହାରୁ ଉଦ୍ୟମ କରାଯାଇ ତାହାର ସଫଳ ରୂପାୟନ ପାଇଁ ୧୫ବର୍ଷ ଲାଗିଗଲା। ଗତବର୍ଷରୁ ପାରାଦୀପ ପୋର୍ଟ ଜରିଆରେ କମ୍ପାନିର ସାମଗ୍ରୀ ବିଦେଶ ପଠାଯାଉଛି। ରାଜ୍ୟରେ ଏଭଳି କୌଣସି ଜିଲ୍ଲା ନାହିଁ, ଯେଉଁଠାରେ ଭାରତ ମସଲା ସାମାଜିକ ସେବା କାର୍ଯ୍ୟ କରୁନାହିଁ ବୋଲି ଶ୍ରୀ ପଣ୍ଡା କହିଥିଲେ। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ଭାରତ ମସଲା କଂପାନିର ସଫଳତାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଡାକ୍ତର ଜୟନ୍ତ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ସୁଲଗ୍ନା ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ପୂର୍ବତନ ଭାରତୀୟ ସେନାଧିକାରୀ କ୍ୟାପ୍ଟେନ୍ ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ‘ଭାରତ ଗୌରବ’, ଡିଏଭି ସ୍କୁଲର ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀଙ୍କୁ ‘ସେବା ଭାରତ’, ଅବସରପ୍ରାପ୍ତ ଆଇଏଏସ୍ ତଥା କଥାକାର ଡକ୍ଟର ଅରବିନ୍ଦ ବେହେରାଙ୍କୁ ‘କଥା ଭାରତ’, ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଡକ୍ଟର ଶ୍ୱେତକୁମାର ଦାଶଙ୍କୁ ‘ସଂସ୍କୃତି ଭାରତ’, କିଶୋର ଜେନାଙ୍କୁ ‘କ୍ରୀଡ଼ା ଭାରତ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯୁକ୍ତ୨ କଳା, ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷସ୍ଥାନରେ ଥିବା ପ୍ରିୟଦର୍ଶିନୀ ଗଡ଼ନାୟକ, ଆର୍ଚ୍ଚି ଚିନ୍ମୟୀ ପ୍ରଧାନ ଓ ତପେଶ୍ୱର ବାଗଙ୍କୁ ‘ବିଦ୍ୟା ଭାରତ’ ସମ୍ମାନ ପ୍ରଦାନ କରାଯାଇଥିଲା। ନନ୍ଦିତା ପଣ୍ଡାଙ୍କ ସମ୍ପାଦନା, ପ୍ରଫୁଲ୍ଲ ମହାନ୍ତିଙ୍କ ସହଯୋଗୀ ସମ୍ପାଦନାରେ ପ୍ରସ୍ତୁତ ‘ସମ୍ଭବାମୀ ଭାରତ’ ଉନ୍ମୋଚନ ହୋଇଥିଲା। ଭାରତ ମସଲାର ଜିଏମ୍ (ଅପରେସନ୍) ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ପାଠ ସହ ଧନ୍ୟବାଦ ଦେଇଥିଲେ। ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଦ୍ୱାରା ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ଏସ୍ଏନ୍ ମିଲେନିୟମ, ଜିଏମ୍ ଅଶ୍ୱିନୀ କୁମାର ଦାସ, ଜିଏମ୍ (ପ୍ରଡକସନ୍) ନବକୃଷ୍ଣ ପ୍ରଧାନ, ପିଆର୍ଓ ଆଶିଷ ମନ୍ଥନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।