ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ୪୯ ହଜାର ୪୯୭ ଦିବ୍ୟାଙ୍ଗ ଅଛନ୍ତି। ତେବେ ପଞ୍ଜିକୃତ ଦିବ୍ୟାଙ୍ଗ ସଂଖ୍ୟା ଢ଼େର୍ କମ୍। ଏଯାଏଁ ୩୫,୮୦୭ ଜଣ(୭୨.୩୪%) ଦିବ୍ୟାଙ୍ଗ ପଞ୍ଜିକୃତ ହୋଇସାରିଲେଣି। ଅର୍ଥାତ୍, ୧୩,୬୯୦ ଜଣ(୨୭.୬୫%) ଦିବ୍ୟାଙ୍ଗ ଏଯାଏଁ ପଞ୍ଜିକୃତ ହୋଇପାରିନାହାନ୍ତି। ସେହିଭଳି ପଞ୍ଜିକୃତ ଦିବ୍ୟାଙ୍ଗଙ୍କ ମଧ୍ୟରୁ ୨୮,୧୨୩ ଜଣ(୭୮.୫୪%)ଙ୍କୁ ପରିଚୟ ପତ୍ର ଦିଆଯାଇଛି। ୭,୬୮୪ ଜଣ(୨୧.୪୫%)ଙ୍କୁ ପରିଚୟ ପତ୍ର ପ୍ରଦାନ ସମ୍ଭବ ହୋଇପାରିନି। ଦିବ୍ୟାଙ୍ଗମାନଙ୍କୁ ସଚେତନ କରାନଯିବା ଏହାର ପ୍ରମୁଖ କାରଣ ପାଲଟିଛି। ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଯୋଗୁଁ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିପାରୁନି।
ସୁନ୍ଦରଗଡ଼ ପୌରପାଳିକା ଓ ସୁନ୍ଦରଗଡ଼ ସଦର ବ୍ଲକରେ ଜିଲ୍ଲାର ଅନ୍ୟ ବ୍ଲକ, ପୌରପାଳିକା, ମହାନଗର ନିଗମ ତୁଳନାରେ ଅଧିକ ସଂଖ୍ୟକ ଦିବ୍ୟାଙ୍ଗ ଅଛନ୍ତି। ତଦନୁଯାୟୀ ପଞ୍ଜିକୃତ ଓ ପରିଚୟ ପତ୍ର ପାଇସାରିଥିବା ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ଢ଼େର୍ ଅଧିକ। ଏଠାରେ ଥିବା ମୋଟ୍ ୫,୯୩୪ ପଞ୍ଜିକୃତ ଦିବ୍ୟାଙ୍ଗଙ୍କ ମଧ୍ୟରୁ ୪,୫୯୫ ଜଣ ପରିଚୟ ପତ୍ର ପାଇସାରିଲେଣି।
ଜିଲ୍ଲାରେ ଦ୍ବିତୀୟ ସ୍ଥାନରେ ରହିଛି ରାଉରକେଲା ମହାନଗର ନିଗମ। ଏଠାରେ ମୋଟ୍ ୫,୮୫୦ ଜଣ ପଞ୍ଜିକୃତ ଦିବ୍ୟାଙ୍ଗ ଥିବାବେଳେ ୪,୪୭୯ ଜଣଙ୍କୁ ପରିଚୟ ପତ୍ର ମିଳିସାରିଛି। ସେହିଭଳି କୁଆଁରମୁଣ୍ଡା ବ୍ଲକ ଓ ବୀରମିତ୍ରପୁର ପୌରାଞ୍ଚଳରେ ଥିବା ୨,୬୦୦ ପଞ୍ଜିକୃତ ଦିବ୍ୟାଙ୍ଗଙ୍କ ମଧ୍ୟରୁ ୨,୧୨୨ ଜଣ ଓ ରାଜଗାଙ୍ଗପୁର ବ୍ଲକ ଏବଂ ପୌରପାପଳିକାର ୧,୯୨୫ ଜଣ ପଞ୍ଜିକୃତଙ୍କ ମଧ୍ୟରୁ ୧,୫୬୫ ଜଣଙ୍କୁ ପରିଚୟ ପତ୍ର ଦିଆଯାଇଛି। ଜିଲ୍ଲାର ପଞ୍ଜିକୃତ ଦିବ୍ୟାଙ୍ଗ ପରିସଂଖ୍ୟାନ ହିସାବରେ ବାଲିଶଙ୍କରା ବ୍ଲକରେ କମ୍ ସଂଖ୍ୟକ ପଞ୍ଜିକୃତ ଦିବ୍ୟାଙ୍ଗ(୫୫୨) ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/8-3.jpg)