ପୁଷ୍ଟିକର ପନିପରିବା ଯୋଗାଉଛି ‘ପୋଷଣ ବଗିଚା’: ସୁନ୍ଦରଗଡ଼ ଜିଲ୍ଲାରେ ତିଆରି ହେଲାଣି ୨୭ ହଜାର, ଏ ବର୍ଷ ହେବ ଆଉ ୧୨ ହଜାର

ଡିଏମ୍‌ଏଫ୍‌ ପାଣ୍ଠି ଅନୁଦାନରେ ଦିଆଯାଉଛି ମଞ୍ଜି, ବୈଷୟିକ ସହାୟତା

ରାଉରକେଲା: ଗର୍ଭବତୀ, ସ୍ତନ୍ୟପାନ କରାଯାଉଥିବା ମହିଳା ତଥା ନବଜାତମାନେ ସୁଷମ ଖାଦ୍ୟ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ। ହୃଷ୍ଟପୃଷ୍ଟହେବାକୁ ହେଲେ ପୁଷ୍ଟିକର ଖାଦ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ‘ପୋଷଣ ବଗିଚା’ ବା ‘ମୋ ଉପକାରୀ ବଗିଚା’ ଆରମ୍ଭ କରାଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଅନୁଦାନରେ ଓଡିଶା ଲିଭ୍‌ଲିହୁଡ୍‌ ମିଶନ ଅଧିନରେ ଏହି ପୋଷକ ବଗିଚା ସ୍ଥାପନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୭ ହଜାର ପୋଷଣ ବଗିଚା ସୃଷ୍ଟି କରାଯାଇଥିବାବେଳେ ଚଳିତ ବର୍ଷ ଆଉ ୧୨ ହଜାର ବଗିଚା ତିଆରି କରାଯିବ।

ଏହି ପୋଷଣ ବଗିଚା ପାଇଁ ମାତ୍ର ୨ ଡିସିଭିଲ ଜମି ଆବଶ୍ୟକ। ଯଦି ଜଣଙ୍କର ଆଦୌ ଜମି ନାହିଁ, ତା’ହେଲେ ସେମାନେ ବସ୍ତାରେ ମାଟି ଭର୍ତ୍ତି କରି ମଧ୍ୟ ଏହି ବଗିଚା ସୃଷ୍ଟି କରିପାରିବେ। ଏହାବାଦ୍‌ ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ ପରିସରରେ ମଧ୍ୟ ପୋଷଣ ବଗିଚା ସୃଷ୍ଟି କରାଯାଉଛି। ଏହି ବଗିଚା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ମଞ୍ଜି, ଯଥା-ଲକି, କାକୁଡ଼ି, ଲାଉ, ଜହ୍ନି, ପୋଇ, କଲରା, ବାଇଗଣ, ଟମାଟର, ଲଙ୍କା, ଭେଣ୍ଡି, ସାଗ, ପାଳଙ୍ଗ, ଧଣିଆ, ବିନ୍‌, କଲମା, ଗୁଆରା, ଝୁଡ଼ଙ୍ଗ, ଗାଜର, ମୂଳା ଆଦି ମଞ୍ଜି ଦିଆଯାଉଛି। ଏତଦ୍‌ବ୍ୟତୀତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି। ଏମିତିକି ଟ୍ରେନ୍‌ର ମଧ୍ୟ ନିଯୁକ୍ତ ଅଛନ୍ତି। ଏମାନେ ଘରକୁ ଘର ଯାଇ କିଭଳି ବଗିଚା ସୃଷ୍ଟି କରାଯିବ, କେଉଁ ମାଧ୍ୟମରେ ମଞ୍ଜି ରୋପଣହେବ, ଏହା ଲାଳନପାଳନ ଆଦି ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି।

ବର୍ତ୍ତମାନ ସୁଦ୍ଧା, ଜିଲ୍ଲାରେ ୨୭ ହଜାରଟି ପୋଷକ ବଗିଚା ତିଆରି କରାଯାଇସାରିଲାଣି। ଏଥିମଧ୍ୟରୁ ଟାଙ୍ଗରପଲ୍ଲୀ ବ୍ଲକରେ ସର୍ବାଧିକ ୩୭୩୦ଟି ପୋଷକ ବଗିଚା ନିର୍ମାଣ କରାଯାଇଥିବାବେଳେ ବାଲିଶଙ୍କରା ବ୍ଲକରେ ୩୬୦୦ଟି, ବଡ଼ଗାଁ ବ୍ଲକରେ ୫୦୦, ବିଶ୍ରାରେ ୩୨୦, ବଣାଇଁଗଡ଼ରେ ୩୬୦୦, ଗୁରୁଣ୍ଡିଆରେ ୧୫୦୦, ହେମଗିରରେ ୫୦୦, କୋଇଡ଼ାରେ ୨୦୦, କୁଆରମୁଣ୍ଡାରେ ୩୬୫୦, କୁତ୍ରାରେ ୧୫୦୦, ଲହୁଣୀପଡ଼ାରେ ୫୦୦, ଲାଠିକଟାରେ ୫୦୦, ଲେଫ୍ରିପଡ଼ାରେ ୧୫୦୦, ନୂଆଗାଁରେ ୯୦୦, ରାଜଗାଙ୍ଗପୁରରେ ୩୫୦୦, ସବଡେଗାରେ ୫୦୦ ଓ ସୁନ୍ଦରଗଡ଼ ସଦର ବ୍ଲକରେ ୫୦୦ଟି ବଗିଚା ତିଆରି କରାଯାଇସାରିଲାଣି। ଏହାସହ ଜିଲ୍ଲାରେ ୧୩୦ଟି ଅଙ୍ଗନୱାଡ଼ି କେନ୍ଦ୍ର ଓ ୪୦ଟି ଆଦିବାସୀ ସ୍କୁଲ ପରିସରରେ ମଧ୍ୟ ତିଆରି ହୋଇଛି। ଏବର୍ଷ ଆହୁରି ୧୨ ହଜାର ପୋଷକ ବଗିଚା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର