ଭୁବନେଶ୍ବର: ଶିଳ୍ପାୟନରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟର ୧୨ଟି ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ ୨୫,୩୭୪.୩୪ କୋଟି ଟଙ୍କା ପୁଞ୍ଜିନିବେଶ ହେବ ଏବଂ ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ୫୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓୟୁଏଟିସ୍ଥିତ କନ୍‌ଭେନ୍‌ସନ ସେଣ୍ଟର୍‌ରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଶାକୁ ନିବେଶ ଆସିବା ସହ ଶିଳ୍ପଜଗତର ଭରସା ଓ ନିବେଶକମାନଙ୍କ ଆସ୍ଥା ବୃଦ୍ଧି ପାଉଛି। ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍‌ଚରିଂ ହବ୍ କରିବା ପାଇଁ ଆମେ ବିଭିନ୍ନ ଉଚ୍ଚ ମୂଲ୍ୟର ଉତ୍ପାଦ ଉତ୍ପାଦନ ଦିଗରେ ନିବେଶକମାନଙ୍କୁ ଆକୃଷ୍ଟ କରୁଛୁ। ବିଶ୍ବ ବଜାରରେ ପ୍ରତିଦ୍ବନ୍ଦ୍ବିତା କରିପାରୁଥିବା ଉଚ୍ଚ ମୂଲ୍ୟର ଉତ୍ପାଦ ନିର୍ମାଣ କରିବା ଉପରେ ଜୋର ଦିଆଯାଉଛି। ସେ ଆହୁରି ମଧ୍ୟ କହିଥିଲେ ଯେ ୧୫ ମାସ ମଧ୍ୟରେ ରାଜ୍ୟ ସରକାର ୨୬୦ ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ସେଥିରେ ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ସେହି ସମୟରେ ୮୪ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେଥିରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହେଉଥିବା ବେଳେ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି।

Advertisment

ଶିଳ୍ପପତିମାନଙ୍କୁ ଭରସା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଉପଯୁକ୍ତ ନୀତି ସହିତ ପ୍ରତ୍ୟେକ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପ୍ରଶାସନିକ ପ୍ରତିବନ୍ଧକକୁ ହଟାଯାଇଛି। ଶିଳ୍ପପତିମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଆମେ ସବୁ ସମୟରେ ଉପସ୍ଥିତ ଅଛୁ। ଯେକୌଣସି ଅସୁବିଧାରେ ଶିଳ୍ପପତିମାନଙ୍କ ସମସ୍ୟା ଦୂର କରିବା ପାଇଁ ସରକାର 
ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏକ୍ ପେଡ୍‌ ମା କି ନାମ୍ ୨.୦ ଅଭିଯାନରେ ସାମିଲ ହୋଇ ନିଜ ଅଞ୍ଚଳରେ ଚାରାରୋପଣ କରିବାକୁ ସେ ଶିଳ୍ପସଂସ୍ଥାମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୩୦ ତାରକା ନିଯୁକ୍ତିଦାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡ଼ା, କୋରାପୁଟ ଓ ଅନୁଗୁଳଠାରେ ଆଭାସୀ ମାଧ୍ୟମରେ ସେ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ମାନୁଫାକ୍‌ଚରିଂ ହବ୍ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
୧୫ ମାସରେ ୨୬୦ ପ୍ରକଳ୍ପ ମଞ୍ଜୁର
୩୦ ତାରକା ନିଯୁକ୍ତିଦାତାଙ୍କୁ ସମ୍ବର୍ଦ୍ଧନା
ଏକ୍ ପେଡ୍ ମା’ କେ ନାମ୍‌ ୨.୦ ଅଭିଯାନରେ ‌ଯୋଡ଼ିହେବାକୁ ଶିଳ୍ପସଂସ୍ଥାଙ୍କୁ ଆହ୍ୱାନ

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୁଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଓ ଶିଳ୍ପ ଅନୁକୂଳ ପରିବେଶ ହିଁ ଆଜି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଏକ ପ୍ରମୁଖ ସମ୍ଭାବନାର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସକ୍ଷମ ହୋଇଥିବା କହିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ଯାହାର ଇଚ୍ଛା ଓ ଦୃଢ଼ ମନୋବଳ ଅଛି ସେ ଦିନେ ନା ଦିନେ ସଫଳ ହେବ। ଗ୍ରାଉଣ୍ଡ୍‌ ଜିରୋରୁ କିଭଳି ସଫଳତା ମିଳିବ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଥିବା ସେ କହିଥିଲେ। ଆଜି ଏସ୍‌ଆର୍‌ଏଫ୍‌, ଲପ୍‌ଲିସନ୍ କାର୍ବନ୍ ଅଶୋକା ପ୍ରାଇଭେଟ୍ ଲିମିଟେଡ୍‌, ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ୍‌ ମେଟାଲିକ୍ସ ଲିମିଟେଡ୍, ଗ୍ରିନ୍‌ପ୍ଲାଏ ଗ୍ରୁପ୍, ଶୋଭା ସୋଲାର ଲିମିଟେଡ୍, ଫେରୋ ଆଲୟଜନ କର୍ପୋରେସନ୍ ଲିମିଟେଡ୍‌, ଏମ୍‌ଏଏସ୍‌ ଇଣ୍ଡିଆ କ୍ଲୋଥିଂ ପ୍ରାଇଭେଟ୍‌ ଲିମିଟେଡ୍‌, ଲିଣ୍ଡେ ଇଣ୍ଡିଆ, ଅଲ୍‌ଟ୍ରାଟେକ୍, ହିନ୍ଦୁସ୍ତାନ ଆକ୍ବା, ଏସ୍‌ଏନ୍‌ଏମ୍‌ ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟସ୍‌, ସୁମା ରିଅଲ୍‌ ମିଡିଆ, ସୁପ୍ରିମ୍‌ ଇଣ୍ଡଷ୍ଟ୍ରିଜ୍ ଓ ମୋଗ୍‌ଲି ଲ୍ୟାବ୍‌ସ ଇଣ୍ଡିଆ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ତାଲିକାରେ ଆଦିଷ୍ଟମ୍‌ ଭେଞ୍ଚର୍ସ, ଆଇଟିସି, ହୋଟେଲ୍‌ ପାଲ୍‌ ରିଜେନ୍ସି, ଏସ୍‌ଏପିଏଲ୍‌ ଇଣ୍ଡଷ୍ଟ୍ରିଜ୍‌ର ୟୁନିଟ୍‌-୨, ତ୍ରିପଥଗା ଟେକ୍ସଟାଇଲ୍‌ସ, ବିକେ ଇଣ୍ଟରନ୍ୟାସନାଲ୍, ଆମ୍ରିତାଶ ହେଲ୍‌ଥକେୟାର, କେଶବ ପ୍ଲାଷ୍ଟ୍‌ଟେକ୍, ମେଡିଏଡ୍‌ ମାର୍କେଟିଂ ସର୍ଭିସେସ୍‌, ଚୋସୁନ୍ ସର୍ବେସ୍‌ ରିଫ୍ରାକ୍ଟରିଜ୍, ଜୟ ଭାରତ ସ୍ପାଇସେସ୍ ଏବଂ ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ୍‌ ଫେରୋ ଆଲୟଜ୍‌ (ଇମ୍ଫା) ପ୍ରକଳ୍ପ ମଧ୍ୟ ରହିଛି। ଏହି ପ୍ରକଳ୍ପଗୁଡ଼ିକୁ ଗଞ୍ଜାମ, ଝାରସୁଗୁଡ଼ା, ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ଭଦ୍ରକ, ସୁନ୍ଦରଗଡ଼, କଟକ, ପୁରୀ, ସମ୍ବଲପୁର, ଯାଜପୁର ଓ ରାୟଗଡ଼ା ଜିଲ୍ଲାରେ ସ୍ଥାପନ କରାଯାଉଛି। ଏହି ଅବସରରେ ଉନ୍ନୟନ କମିସନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଦକ୍ଷତା ବିକାଶ ସଚିବ ଭୁପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ଥିଲେ।