ଭୁବନେଶ୍ବର: ରାଜଧାନୀରେ ବି ଚାଲିଛି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁ ଆଦି ବଡ଼ବଡ଼ ମଟ୍ରୋ ସହରରେ ଚାଲିଥିବା ରେଭ୍‌ ପାର୍ଟି। ବଡ଼ବଡ଼ିଆ ପିଲାଙ୍କ ଜନ୍ମଦିନ ହେଉ କି ବିବାହବାର୍ଷିକୀ ହେଉ, ସଉକରେ ଆୟୋଜନ କରାଯାଉଛି ରେଭ୍‌ ପାର୍ଟି। ଶୁଣିବାକୁ ଅବିଶ୍ବାସଯୋଗ୍ୟ ହେଲେ ବି ଆଜି ଅବକାରୀ ବିଭାଗ ଜାଲରେ ଫସିଥିବା ୩ ନିଶା ମାଫିଆ ଏଭଳି କଥା ମାନିଛନ୍ତି। ବଡ଼ କଥା ହେଉଛି ଏକଦା ତାରକା ହୋଟେଲ୍‌ରେ ରିସେପ୍‌ସନିଷ୍ଟ୍‌ ଥିବା ରଶ୍ମିତା ପାଢ଼ୀ ଏଭଳି ରେଭ୍‌ ପାର୍ଟି ଆୟୋଜନ କରୁଥିବା ଜଣାପଡ଼ିଛି। ବିଟେକ୍‌ ପାସ୍‌ଆଉଟ୍‌ ଶୁଭ୍ରଜ୍ୟୋତି ମହାନ୍ତି ଓ ପେସାଦାର ବ୍ରାଉନ୍‌ସୁଗାର ବେପାରୀ ରାହୁଲ୍‌ ନାୟକକୁ ହାତବାରିସି କରି ନିଶା ରାଣୀ ରଶ୍ମିତା ପାଢ଼ୀ ଏଭଳି ପାର୍ଟି ଆୟୋଜନ କରୁଥିବା ସୂଚନା ମିଳିଛି। ଗତକାଲି ରାତିରେ ଏହି ରୢାକେଟ୍‌ ଅବକାରୀ ବିଭାଗ ଜାଲରେ ଫସିବା ପରେ ରାଜଧାନୀରେ ଚାଲିଥିବା ରେଭ୍‌ ପାର୍ଟିର କଥା ପଦାକୁ ଆସିଛି। ଭୁବନେଶ୍ବରରେ ହେବାକୁ ଥିବା ଏକ ରେଭ୍‌ ପାର୍ଟି ପାଇଁ ସେମାନେ ନୟାଗଡ଼ ଅଞ୍ଚଳରୁ ୨୭୫ ଗ୍ରାମ୍‌ ବ୍ରାଉନ୍‌ସୁଗାର(ବଜାର ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ) ନେଇ କାର୍‌ ଯୋଗେ ରାଜଧାନୀ ଆସୁଥିବା ବେଳେ ଧରାପଡ଼ିଛନ୍ତି।

Advertisment

ଏହି ରୢାକେଟ୍‌ ନୟାଗଡ଼ରୁ ବ୍ରାଉନ୍‌ସୁଗାର ନେଇ ରାଜଧାନୀ ଆସୁଥିବା ନେଇ ଏକ ସମର୍ଥିତ ସୂତ୍ରରୁ ଖବର ମିଳିବା ପରେ ଭୁବନେଶ୍ବର ଅବକାରୀ ଟିମ୍‌ ସେମାନଙ୍କୁ ଧରିବାକୁ ପ୍ରସ୍ତୁତି ଚଳାଇଥିଲା। ଅବକାରୀ ଟିମ୍‌ ଖୋର୍ଦ୍ଧାରୁ ସେମାନଙ୍କୁ ପିଛା କରିବାକୁ ଯୋଜନା କରିଥିଲା। ଏହି ଟିମ୍‌ ଖୋର୍ଦ୍ଧା ଟାଉନ୍‌ ସୀମାରେ ଭୁବନେଶ୍ବର ଆଡ଼କୁ ଏକ ଛକରେ ଜଗି ରହିଥିଲା। ଏକ କାର୍‌ରେ ଥିବା ଦମ୍ପତିଙ୍କ ହାବଭାବରୁ ଅବକାରୀ ଟିମ୍‌ ସନ୍ଦେହ କରି ତାକୁ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ କାର୍‌ଟି ନ ଅଟକି ଦ୍ରୁତବେଗରେ ଆଗକୁ ମାଡ଼ି ଚାଲିଲା। ତେଣୁ ଅବକାରୀ ଟିମ୍ ମଧ୍ୟ କାର୍‌କୁ ପିଛା କଲା। ୧୬ ନମ୍ବର ଜାତୀୟ ରାଜପଥରେ ଅବକାରୀ ଟିମ୍‌ର ଗାଡ଼ି ଉକ୍ତ କାର୍‌କୁ ଅତିକ୍ରମ କରିପାରିନଥିଲା। କିନ୍ତୁ ପିଛା ଛାଡ଼ି ନଥିଲା। କାର୍‌ଟି ଭୁବନେଶ୍ବର ଭିତରେ କେଦାରପଲ୍ଲୀ ଭିତରକୁ ପଶିଯାଇଥିଲା। ଅବକାରୀ ବିଭାଗ ଗାଡ଼ି ପଛରେ ଥିବା ଦେଖି କାର୍‌ ଚାଳକ ଓ ଦମ୍ପତି କାର୍‌ରୁ ବାହାରି ଦୌଡ଼ିବାକୁ ଲାଗିଥିଲେ। କିନ୍ତୁ ଖସିପାରିନଥିଲେ। ସେମାନଙ୍କ କାର୍‌ରୁ ୨୭୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ମିଳିଥିଲା। ପଚରାଉଚରା କରିବା ପରେ ସେମାନଙ୍କ ଅସଲ ପରିଚୟ ଓ ବେପାରର ରହସ୍ୟ ଜଣାପଡ଼ିଥିଲା। ରଶ୍ମିତା ପାଢ଼ୀ ଓ ଶୁଭ୍ରଜ୍ୟୋତି ଦମ୍ପତିଭାବେ ରହୁଥିବା ବେଳେ ରାହୁଲ୍‌ କାର୍‌ ଚାଳକ କାମ କରୁଥିଲା। ନୟାଗଡ଼ କଣ୍ଟିଲୋ ଅଞ୍ଚଳର ରାନୁ ପାଢ଼ୀ, ଭୁବନେଶ୍ବର ସାମନ୍ତରାପୁର ଅଞ୍ଚଳର ଶୁଭ୍ରଜ୍ୟୋତି ଓ କ୍ୟାପିଟାଲ ଥାନା କେଦାରପଲ୍ଲୀର ରାହୁଲ୍‌ ମିଶି ଏହି କାରବାର ଚଳାଇଥିଲେ।