ମାଲକାନଗିରି: ଲାଲ୍ ଆତଙ୍କ ଉପରେ ସୁରକ୍ଷାକର୍ମୀଙ୍କ ବଡ଼ ପ୍ରହାର। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମଡ଼ ଜଙ୍ଗଲରେ ୨୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ସଂଗଠନର ମହାସଚିବ ନାମ୍ବଲା କେଶବ ରାଓ ଓରଫ୍ ବାସବରାଜୁ ଓରଫ୍ ଗଗନ୍ନା ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳିଗୋଳା, ବିସ୍ଫୋରକ ଜବତ ହୋଇଛି। ଏହି ସଫଳତା ପରେ ସୁରକ୍ଷାକର୍ମୀଙ୍କୁ ଶୁଭେଚ୍ଛା ଜଣାଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନକ୍ସଲଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।
ନକ୍ସଲ ଉପଦ୍ରୁତ ଦନ୍ତେୱାଡ଼ା, ନାରାୟଣପୁର ଏବଂ ବିଜାପୁର ଜିଲ୍ଲା ସୀମାରେ ପିଏଲ୍ଜିଏ ପଲିଟି ବ୍ୟୁରୋ ସଦସ୍ୟ ଓ କେନ୍ଦ୍ରୀୟ କମିଟି ନେତା ଠୁଳ ହୋଇଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଏହା ପରେ ଛତିଶଗଡ଼ର ଡିଆର୍ଜି ଏବଂ ଏସ୍ଟିଏଫ୍ ଯବାନ ଅବୁଝମାଡ଼ ଜଙ୍ଗଲକୁ ଚାରିପଟୁ ଘେରି ଯାଇଥିଲେ। ନକ୍ସଲଙ୍କ ଖସିବା ବାଟ ବନ୍ଦ କରିବା ପରେ ଆରମ୍ଭ ହୋଇଥିଲା ଅପରେସନ୍। ଆଜି ସକାଳେ ନକ୍ସଲଙ୍କ ସହ ମୁହାଁମୁହିଁ ହେବାରୁ ଉଭୟ ପଟୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ବହୁ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ନକ୍ସଲ ସଂଗଠନର ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି। ଶେଷ ଖବର ସୁଦ୍ଧା କେନ୍ଦ୍ରୀୟ କମିଟି ମହାସଚିବ ତଥା ସଂପାଦକ ନାମ୍ବାଲା କେଶବ ରାଓ ଓରଫ୍ ବାସବରାଜୁ ସମେତ ୨୭ ନକ୍ସଲ ନିହତ ହୋଇଛନ୍ତି। ୧୯୫୫ ମସିହାରେ ଜନ୍ମିତ ବାସବରାଜୁ ୧୯୭୦ ମସିହାରେ ସଂଗଠନରେ ଯୋଗ ଦେଇଥିଲେ। ୧୯୯୦ ମସିହାରେ ତାଙ୍କୁ ସଂଗଠନର କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା।
ଇଞ୍ଜିନିୟରିଂ ପାସ୍ କରିଥିବା ବାସବରାଜୁ ୩୫ ବର୍ଷ ଧରି ୪ଟି ରାଜ୍ୟରେ ଲାଲ୍ ଆତଙ୍କ ଖେଳାଇଥିଲା। ଯୁଦ୍ଧକଳା ଓ ରଣନୀତି ପ୍ରସ୍ତୁତିରେ ନିପୁଣ ଥିବା ଏହି ଟପ୍ କ୍ୟାଡର୍ ନେତାଙ୍କୁ ୨୦୧୮ ମସିହାରେ ସଂଗଠନର କେନ୍ଦ୍ରୀୟ କମିଟି ମହାସଚିବ ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୦ ମସିହାରେ ଦନ୍ତେଵାଡ଼ାରେ ସିଆର୍ପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ଏବଂ ୨୦୧୩ ମସିହାରେ ଜିରମଘାଟି ହମଲାରେ ବାସବରାଜୁର ସିଧାସଳଖ ସଂପୃକ୍ତି ଥିଲା। ତତ୍କାଳୀନ ଛତିଶଗଡ଼ ରାଜ୍ୟ କଂଗ୍ରେସ ସଭାପତି ମହେନ୍ଦ୍ର କର୍ମା ଓ ୨୦୧୮ ମସିହାରେ ଟିଡିପି ବିଧାୟକ କେ. ସର୍ବେଶ୍ବର ରାଓଙ୍କ ହତ୍ୟା ଘଟଣାରେ ମଧ୍ୟ ସେ ସାମିଲ ଥିଲା ବୋଲି ଜଣାପଡ଼ିଛି। ତା’ ନିର୍ଦ୍ଦେଶରେ ଗଡ଼ଚିରୋଲିରେ ୧୫ଜଣ କମାଣ୍ଡୋଙ୍କୁ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଅନେକ ବର୍ଷ ହେଲା ବାସବରାଜୁର ସନ୍ଧାନରେ ଥିଲା ପୁଲିସ। ଏଥିପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଥିଲା। ଘଟଣାସ୍ଥଳରୁ ଜବତ ଅନ୍ୟ ୨୬ ନକ୍ସଲଙ୍କ ମୃତଦେହ ଚିହ୍ନଟ ହୋଇପାରି ନାହିଁ। ଅନେକ ଟପ୍ କ୍ୟାଡର ତଥା ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ଏହି ଅପରେସନ୍ରେ ନିହତ ହୋଇଥିବା ଅନୁମାନ କରାଯାଉଛି। ସଂଗଠନ ବର୍ତ୍ତମାନ ଭୁଶୁଡ଼ିବା ସ୍ଥିତିରେ ରହିଛି। ହାତଗଣତି ନେତା ହିଁ ଏବେ ଜୀବିତ ଅଛନ୍ତି। ତୁରନ୍ତ ଆତ୍ମସମର୍ପଣ ନ କଲେ ସମସ୍ତେ ସମଦଶା ଭୋଗିବେ ବୋଲି ପୁଲିସ ଚରମବାଣୀ ଶୁଣାଇଛି। ଅନ୍ୟପକ୍ଷରେ ଆଜିର ଅପରେସନ୍ରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି।