ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ଅନ୍ୟୁନ ୩୫ ପ୍ରତିଶତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। ମାଷ୍ଟର ପ୍ଲାନ୍ ଅନୁଯାୟୀ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା(ପିଏମ୍‌କେଏସ୍‌ୱାଇ)ରେ ୨୭ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏସବୁ ପ୍ରକଳ୍ପରେ ୨୨୭୬.୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିବା ବେଳେ ୨୬୯୯ ହେକ୍ଟର ଜମିକୁ ପାଣି ମାଡ଼ିବା ନେଇ ଆକଳନ କରାଯାଇଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ୍‌ରେ ୨୨୫.୫୯ ଲକ୍ଷ ଟଙ୍କା ବ୍ୟୟରେ ୫ଟି କ୍ଷୁ୍ଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ‌ଯୋଜନା ରହିଛି। ଏହି ପ୍ରକଳ୍ପ ଜରିଆରେ ୨୫୬ ହେକ୍ଟର ଜମି ଜଳସେଚିତ ହେବ। ସେହିପରି ଜମନକିରା ବ୍ଲକ୍‌ରେ ୫ଟି କ୍ଷୁ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଜନା ଥିବା ବେଳେ ଏଥିପାଇଁ ୧୧୫୭.୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ପ୍ରକଳ୍ପ ଜରିଆରେ ୧୭୮୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍ଧ କରାଯାଇପାରିବ। ସେହିପରି ଯୁଯୁମୁରା ବ୍ଲକ୍‌ରେ ୪ଟି ପ୍ରକଳ୍ପ ପାଇଁ ୨୫୦.୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏଥିରେ ୧୯୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ମାନେଶ୍ବର ବ୍ଲକ୍‌ରେ ୧୩୫.୭୦ ଲକ୍ଷ ଟଙ୍କା ବ୍ୟୟରେ ୩ ପ୍ରକଳ୍ପ ନିର୍ମାଣ ଯୋଜନା ରହିଛି। ଏହି ପ୍ରକଳ୍ପରେ ୧୯୧ ହେକ୍ଟର ଜମିକୁ ପାଣି ମାଡ଼ିବ। ନାକ୍‌ଟିଦେଉଳ ବ୍ଲକ୍‌ର ୬ଟି ପ୍ରକଳ୍ପ ନିମନ୍ତେ ୩୧୮.୬୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ୨୧୮ ହେକ୍ଟର ଜମି ଜଳସେଚିତ ହେବ। ରେଢ଼ାଖୋଲ ବ୍ଲକ୍‌ରେ ୨ଟି ପ୍ରକଳ୍ପ ପାଇଁ ୧୦୩.୦୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏସବୁ ପ୍ରକଳ୍ପରେ ୫୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ରେଂଗାଲି ବ୍ଲକ୍‌ରେ ୨ଟି ପ୍ରକଳ୍ପ ପାଇଁ ୮୫.୭୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୯୦ ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ବହୁ ଚାଷୀ ଉପକୃତ ହୋଇପାରିବେ।