ପୁରୀ: ରଥ ସଂହିତା ମୁତାବକ ଶାସ୍ତ୍ରୀୟ ବିଧିରେ ରଥ ନିର୍ମାଣ କରାଯାଏ। ମାତ୍ର ପ୍ରତ୍ୟେକ ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ବ ଦେବଦେବୀଙ୍କୁ ପ୍ରତିବର୍ଷ ନିର୍ମାଣ କରାଯାଏ ନାହିଁ। ବରଂ ନବକଳେବର ସମୟରେ ଯେବେ ନୂଆ କରି ଚତୁର୍ଦ୍ଧା ବିଗ୍ରହଙ୍କୁ ଗଢ଼ାଯାଏ, ସେଇ ବର୍ଷ ରଥର ପାର୍ଶ୍ବ ଦେବଦେବୀଙ୍କୁ ନୂଆ କରି ଗଢ଼ାଯାଏ। ରୂପକାର ସେବକମାନେ ଏହି କାର୍ଯ୍ୟ କରିଥାଆନ୍ତି। ନିମ୍ବକାଠରେ ତିନିରଥ ପାଇଁ ମୋଟ୍ ୨୭ ପାର୍ଶ୍ବ ଦେବଦେବୀଙ୍କ ବିଗ୍ରହ ନିର୍ମାଣ ହୁଏ। ପ୍ରତିବର୍ଷ ପାର୍ଶ୍ବ ଦେବଦେବୀ ରଥରେ ଅଧିଷ୍ଠିତ ହେବାପୂର୍ବରୁ ଚିତ୍ରକର ସେବକମାନେ ଏହି ପାର୍ଶ୍ବ ଦେବଦେବୀ ବିଗ୍ରହଙ୍କୁ ରଙ୍ଗ କରିଥାଆନ୍ତି। ଯଦି କୌଣସି ଦେବଦେବୀଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇଥାଏ, ତେବେ ଆବଶ୍ୟକସ୍ଥଳେ ରୂପକାର ସେବକମାନଙ୍କ ଦ୍ବାରା ଏହାର ମରାମତି କରାଯାଇଥାଏ। ରଥଯାତ୍ରା ପୂର୍ବରୁ ମୂର୍ତ୍ତିରେ ରଙ୍ଗ ଦେବା ପରେ ରଥରେ ସଂଯୋଗ କରାଯାଇଥାଆନ୍ତି। ପ୍ରତ୍ୟେକ ରଥରେ ଦେବଦେବୀଙ୍କୁ ସ୍ଥାନିତ କରାଯିବା ନେଇ କିମ୍ବଦନ୍ତୀ ରହିଛି।
କଥିତ ରହିଛି, ନନ୍ଦିଘୋଷ ରଥକୁ ଦେବତାଗଣ ରାବଣ ସହ ଯୁଦ୍ଧ ବେଳେ ଶ୍ରୀରାମଙ୍କୁ ଭେଟି ଦେଇଥିଲେ। ଏହି ରଥରେ ବସି ଶ୍ରୀରାମ ରାବଣ ସହ ଯୁଦ୍ଧ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୯ ଜଣ ପାର୍ଶ୍ବ ଦେବଦେବୀ ଅବସ୍ଥାନ କରିଥାନ୍ତି। ପାର୍ଶ୍ବ ଦେବଦେବୀ ଭାବେ ହରିହର, ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ରାବଣ ଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ, ଲକ୍ଷ୍ମଣ ଓ ପଞ୍ଚମୁଖୀ ମହାବୀର ସ୍ଥାନିତ ହୋଇଥାଆନ୍ତି। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୯ ଜଣ ପାର୍ଶ୍ବ ଦେବଦେବୀ ଯଥ ପ୍ରଳମ୍ବାରୀ ମହାଦେବ, ବାଇଶିଭୂଜ ନୃସିଂହ, ବଳରାମ, ନଟବର ଗଣେଶ, ଅଙ୍ଗଦ, ନାଟାମ୍ବର, ଷଡ଼ାନନ କାର୍ତ୍ତିକେଶ୍ବର, ମଧୁକୈଟଭ ଓ ଅନନ୍ତ ବାସୁଦେବ ସ୍ଥାନିତ ହୋଇଥାଆନ୍ତି। ଦର୍ପଦଳନ ରଥର ଅନ୍ୟ ନାମ ଦେବୀଦଳନ ବା ଦେବୀ ରଥ। ଦେବୀ ରଥ ହୋଇଥିବାରୁ ଏହି ରଥରେ ପାର୍ଶ୍ବ ଦେବଦେବୀ ଭାବେ ଦେବୀମାନେ ଅବସ୍ଥାନ କରିଥାନ୍ତି। ମା’ ସୁଭଦ୍ରାଙ୍କର ରଥରେ ୯ ଜଣ ପାର୍ଶ୍ବ ଦେବଦେବୀ ହେଲେ, ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ (ମତାନ୍ତରେ ଜୟଦୁର୍ଗା), ଉମା (ମତାନ୍ତରେ ବନଦୁର୍ଗା), କାତ୍ୟାୟନୀ, ହରଚଣ୍ଡୀ, ରାମଚଣ୍ଡୀ ଓ ଅଘୋରା। ଦେବସ୍ନାନ ପୂର୍ଣ୍ଣିମା ପରଠୁ ଚିତ୍ରକରଙ୍କ କାର୍ଯ୍ୟର ଶୁଭାରମ୍ଭ କରାଯାଏ। ମାତ୍ର ଏଥର ଏହାପୂର୍ବରୁ ଆରମ୍ଭ ହୋଇଯାଇଛି।