ବାତ୍ୟା‌ ବିପନ୍ନଙ୍କୁ ମିଳିଲାନି, ପୋତା ହେଲା ୨୭ କ୍ବିଣ୍ଟାଲ୍‌ ଚୁଡ଼ା

ବ୍ରହ୍ମଗିରି : ବାତ୍ୟା ବିପନ୍ନଙ୍କୁ ଦିଆଯିବାକୁ ଥିବା ୨୭ କ୍ବିଣ୍ଟାଲ ଚୁଡ଼ାକୁ ପ୍ରଶାସନ ସାତପଡା ଓଟିଡିସି କାର୍ଯ୍ୟାଳୟ ନିକଟରେ ଗାତ ଖୋଳି ପୋତି ଦେଇଛି। ସାତପଡାସ୍ଥିତ ପାନ୍ଥନିବାସରେ ବାତ୍ୟା ବିପନ୍ନଙ୍କ ପାଇଁ ଏହି ରିଲିଫ୍‌ ସାମଗ୍ରୀ ମହଜୁଦ ରଖାଯାଇଥିଲା। ବାତ୍ୟା ପରେ ଲୋକେ ରିଲିଫ୍‌ ପାଇଁ ଡହଳ ବିକଳ ହେଲେ। ଏପରିକି ପ୍ରତିବାଦରେ ଅନେକଥର ରାସ୍ତାରୋକ ମଧ୍ୟ କଲେ। କିନ୍ତୁ ଲୋକଙ୍କୁ ରିଲିଫ୍‌ ମିଳିଲାନି। ମାତ୍ର ବାତ୍ୟାକୁ ଦୁଇ ମାସ ପୂରିବାକୁ ଥିବାବେଳେ ପ୍ରଶାସନ ଲୋକଙ୍କ ପାଇଁ ଆସିଥିବା ଚୁଡ଼ାକୁ ଏବେ ଗାତ ଖୋଳି ପୋତି ଦେବା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।

ଖବର ନେବାରେ ଜଣାପଡିଛି, ପୁରୀ ଜିଲ୍ଲାରେ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ସରକାରଙ୍କ ପକ୍ଷରୁ ଚୁଡ଼ା, ଗୁଡ଼ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏଥିପାଇଁ ସାତପଡାସ୍ଥିତ ଓଟିଡିସି ପାନ୍ଥନିବାସରେ ରିଲିଫ୍‌ ସାମଗ୍ରୀ ମହଜୁଦ ସାମଗ୍ରୀ ରଖାଯାଇଥିଲା। କିନ୍ତୁ ବାତ୍ୟା ପରେ ବିପନ୍ନଙ୍କୁ ସଠିକ୍‌ ଭାବେ ଏହି ସାମଗ୍ରୀ ବଣ୍ଟନ କରଗଲା ନାହିଁ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର ଏବେ ୨୭ କ୍ୟୁଣ୍ଟାଲ୍‌ ଚୁଡା ପୋତାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ନେଇ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବାତ୍ୟା ପୂର୍ବରୁ ସାତପଡାସ୍ଥିତ ପାନ୍ଥନିବାସରେ ଚୁଡ଼ା ରଖା ଯାଇଥିଲା। କିନ୍ତୁ ଉକ୍ତ ଘରର ଝରକା ଭାଙ୍ଗି ପାଣି ପଶି ଯିବାରୁ ୨୭ କ୍ବିଣ୍ଟାଲ ୨୦ କେଜି ଚୁଡ଼ା ନଷ୍ଟ ହୋଇ ଯାଇଥିଲା। ଏ ନେଇ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଘଟଣାର ତଦନ୍ତ କରିଥିଲେ। ତଦନ୍ତ କମିଟି ନିଷ୍ପତ୍ତି ଅନୁଯାୟୀ ଏହାକୁ ଗାତ ଖୋଳି ପୋତି ଦିଆଯାଇଛି। ବାତ୍ୟା ବିପନ୍ନ ଚୁଡ଼ା ପାଇ ନଥିବାବେଳେ ଏତେ ପରିମାଣର ଚୁଡ଼ା ପୋତା ଯିବା ଘଟଣାର ଅଧିକ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର