ବିଲ୍ ପାସ୍ ପାଇଁ ୨୭ ହଜାର ଲାଞ୍ଚ: ଭିଜିଲାନ୍ସ୍ ପଞ୍ଝାରେ ଜିଆର୍‌ଏସ୍

ଗୋଳନ୍ଥରା: ବନ୍ଧ ପୁନରୁଦ୍ଧାର କାମର ବିଲ୍ ପାସ୍ କରିବାକୁ ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ସିଏଚ୍‌.ଚନ୍ଦ୍ରେୟା। ଅଭିଯୋଗକାରୀ ହନ୍ତଳୁ ଗ୍ରାମର ଋଷି ରେଡ୍ଡୀଙ୍କଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ ଅଧିକାରୀ ଚନ୍ଦ୍ରେୟାଙ୍କୁ କାବୁ କରି ନେଇଛନ୍ତି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ସହ କେସ୍ ନମ୍ବର ୨୦ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଏଥିସହିତ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍‌ ଉଠାଇ ନେଇ ଜେରା ଚଳାଇଛନ୍ତି। ଭିଜିଲାନ୍ସ୍ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସୂଚନାନୁସାରେ, ଇନ୍ଦ୍ରାକ୍ଷୀ ପଞ୍ଚାୟତ ହନ୍ତଳୁ ଗ୍ରାମରେ ଭାଗ୍ୟବନ୍ଧର ପୁନରୁଦ୍ଧାର ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ମାଟି କାମ ବାବଦରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରଥମ କିସ୍ତିରେ ୨ ଲକ୍ଷ ୩୨ ହଜାର ୯୨୦ ଟଙ୍କାର‌ ବିଲ୍ ହୋଇଥିଲା। ଉକ୍ତ ବିଲ୍‌କୁ ପାସ୍ କରିବା ଲାଗି ଚନ୍ଦ୍ରେୟା ୨୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରମିକମାନଙ୍କ ପ୍ରତିନିଧି ଋଷି ବ୍ରହ୍ମପୁର ଭିଜିଲାନ୍ସ୍‌ରେ ଦ୍ବାରସ୍ଥ ହେବାସହ ଅଭିଯୋଗ କରିଥିଲେ। ଆଜି ଦିନ ୧୧ଟାରେ ଋଷି ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଟଙ୍କା ନେଉଥିବା ସମୟରେ ଚନ୍ଦ୍ରେୟାଙ୍କୁ ଭିଜିଲାନ୍ସ୍ ଅଧିକାରୀମାନେ କାବୁ କରି ନେଇଥିଲେ।

ଅନ୍ୟପକ୍ଷରେ, ରଙ୍ଗେଇଲୁଣ୍ଡା ବିଡିଓ ଗଞ୍ଜାମ ବ୍ଲକ୍‌ରୁ ବଦଳି ହୋଇ ଆସିବାପରେ ଗତକାଲି ସେଠାକାର ସହକାରୀ ଯନ୍ତ୍ରୀ ଭିଜିଲାନ୍ସ୍ ଜାଲରେ ପଡ଼ିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ ଦାୟିତ୍ବ ନେବାର କିଛିଦିନ ପରେ କାର୍ଯ୍ୟାଳୟ​ରେ ଭିଜିଲାନ୍ସ୍ ଅଧିକାରୀମାନଙ୍କ ପାଦ ପଡ଼ିବା ଆରମ୍ଭ ହୋଇଛି। ଏପରିକି ଗତ ୧୯ ତାରିଖରେ ବ୍ଲକ୍ ପରିସରରୁ ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ ସହ ଅପହରଣ କରାଯାଇଥିଲା। ଏହି ଘଟଣା ବି ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର