୨୭ ବର୍ଷ ପୁରୁଣା ଋଷିକୁଲ୍ୟା ସେତୁ ସ୍ଲାବ୍ ଦୁର୍ବଳ

୯୦ ବନ୍ୟାରେ ଧୋଇ ଯାଇଥିଲା, ବାରମ୍ବାର ମରାମତି ଯୋଗୁଁ ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ

ଆସିକା: ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଆସିକାକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଋଷିକୁଲ୍ୟା ନଦୀ ସେତୁର ସ୍ଲାବ୍ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଗୋଟିଏପଟେ ଯାନବାହନ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଏହି ‌ସେତୁକୁ ମରାମତି ପାଇଁ ସରକାର କେବଳ ତତ୍ପରତା ଦେଖାଉଛନ୍ତି। ହେଲେ ସହର ପାଇଁ ସାଂପ୍ରତିକ ପରିସ୍ଥିତିରେ ଅତି ଆବଶ୍ୟକ ପଡ଼ୁଥିବା ଦ୍ବିତୀୟ ପୋଲ ନିର୍ମାଣକୁ ଏଯାବତ୍ ବିଚାରରେ ନିଆଯାଇନି।
ଆସିକା ହେଉଛି ରାଜ୍ୟର ବ୍ୟାବସାୟିକ କେନ୍ଦ୍ରସ୍ଥଳୀ ଓ ସମବାୟ ସହର ଭାବେ ପରିଚିତ। ଋଷିକୁଲ୍ୟା ଓ ବଡ଼ନଦୀ ମଧ୍ୟରେ ଅବସ୍ଥିତ ଏହି ସହରକୁ ଯାତାୟାତ କରିବା ପାଇଁ ଉଭୟ ନଦୀର ସେତୁ ପାର ହେବାକୁ ପଡ଼ିଥାଏ। ଋଷିକୁଲ୍ୟା ସେତୁ ଦକ୍ଷିଣ ଓଡ଼ିଶାକୁ ସମଗ୍ର ରାଜ୍ୟ ସହ ଯୋଡ଼ିଛି।

୧୯୯୦ ମସିହାରେ ଭୟଙ୍କର ବନ୍ୟାରେ ଆସିକାରେ ବ୍ରିଟିସ୍ ଶାସନ ଅମଳରେ ୧୮୫୦ ମସିହା ବେଳକୁ ନିର୍ମିତ ‌ଋଷିକୁଲ୍ୟା ନଦୀ ଉପର ଲୁହା ସେତୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ବନ୍ୟାରେ ଭାସି ଯାଇଥିଲା। ଫଳରେ ଏହି ସହର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାପରେ ଋଷିକୁଲ୍ୟା ନଦୀ ଉପରେ ନୂତନ ସେତୁ ନିର୍ମାଣ କରା ଯାଇଥିଲା। ୧୯୯୬ ମସିହା ଅଗଷ୍ଟ ୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି ନବନିର୍ମିତ ସେତୁକୁ ଉଦ୍‌ଘାଟନ କରିଥିଲେ।

ବର୍ତ୍ତମାନ ଏହି ସେତୁ ରାଞ୍ଚି-ବିଜୟୱାଡ଼ା କରିଡର୍‌ରେ ଅନ୍ତର୍ଭୁକ୍ତ ହୋଇ ଜାତୀୟ ରାଜପଥ ଅଧୀନରେ ରହିଛି। କିନ୍ତୁ ୨୭ ବର୍ଷ ବିତିସାରିଥିବାରୁ ଏହାର ସ୍ଲାବ୍ ଦୁର୍ବଳ ହେବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଆସିକା-କାଳଷଣ୍ଢପୁର ମଧ୍ୟରେ ଥିବା ଏହି ସେତୁ ଦେଇ ପ୍ରତିଦିନ ସହସ୍ରାଧିକ ଯାତ୍ରାବାହୀ ବସ୍ ଯାତାୟାତ କରୁଛି। ଏହାବାଦେ ପ୍ରତିଦିନ ଚିନିଶିଳ୍ପକୁ ଟ୍ରକ୍ ସମେତ ଅନ୍ୟାନ୍ୟା ଭାରୀଯାନ ଯା’ଆସ କରିଥାଏ। ତେବେ ଯାନବାହନ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଥିବା ବେଳେ ବାରମ୍ବାର ମରାମତି ଯୋଗୁଁ ଏହି ସେତୁର ସ୍ଥାୟୀତ୍ବକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେତୁ ଉପରେ ପଡ଼ିଥିବା ସ୍ଲାବ୍ ନଷ୍ଟ ହେବାକୁ ବସିଲାଣି। ପୋଲର ଉପର ଅଂଶ ଧୀରେ ଧୀ‌ରେ ନଷ୍ଟ ହେବାକୁ ବସିଲାଣି। ପୂର୍ବରୁ ପୂର୍ତ୍ତ ବିଭାଗ ଓ ପରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଏହାର ମରାମତି ହୋଇଛି।

କିନ୍ତୁ ଧୀରେ ଧୀରେ ସ୍ଲାବ୍‌ର ବହୁ ସ୍ଥାନରେ ଦିଆଯାଇଥିବା ଲୁହାଖାଡ଼ି ବାହାରକୁ ଦେଖାଗଲାଣି। ଫଳରେ ସେତୁ ସାରା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାନବାହନ ବୃଦ୍ଧିକୁ ନଜରରେ ରଖି ବର୍ତ୍ତମାନ ଆସିକାରୁ ବ୍ରହ୍ମପୁର ଓ ଆସିକାରୁ ଭଞ୍ଜନଗର ମଧ୍ୟ ଚାରିଥାକିଆ ରାସ୍ତା ନିର୍ମାଣ କାମ ଚାଲିଛି। ଆଉ ଏହାମଧ୍ୟରେ ସେତୁର ମଧ୍ୟ ମରାମତି ଚାଲିଥିବାରୁ ଟ୍ରାଫିକ୍ ସମସ୍ୟା ଚିନ୍ତାର କାରଣ ପାଲଟୁଛି। କୌଣସି କାରଣରୁ ରାସ୍ତା ଅବରୋଧ ହେଲେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହେଉଛି। ଫଳରେ ଋଷିକୁଲ୍ୟା ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣର ଆବଶ୍ୟକତା ରହିଥିବା ସହରର ବୁଦ୍ଧିଜୀବୀ କହିଛନ୍ତି।

ଜାତୀୟ ରାଜପଥ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସେତୁ ଉପରେ ମରାମତି କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଦିଗରେ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସେତୁର ଏକ୍ସପାନସନ୍ ଜଏଣ୍ଟ୍ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଚଳିତମାସ ୧୬ ତାରିଖ ସୁଦ୍ଧା ଶେଷ ହେବ। ଲୋକଙ୍କ ସୁବିଧା ଉପରେ ଖୋଳାଯାଇଥିବା ସ୍ଥାନରେ ବାଲିବସ୍ତା ରଖାଯାଇଛି। ତେବ‌େ ଲୋକଙ୍କ ଆବଶ୍ୟକତାକୁ ନେଇ ସର୍ଭେ କରି ଆସିକାରେ ଋଷିକୁଲ୍ୟା ନଦୀ ଉପରେ  ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଆସିକା ଠାରୁ ବ୍ରହ୍ମପୁର ଓ ଆସିକା ଠାରୁ ଭଞ୍ଜନଗର ରାସ୍ତାକୁ ସଂପ୍ରସାରଣ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର