ମାଓପ୍ରବଣ ଅଞ୍ଚଳରେ ଯୋଗାଯୋଗକୁ ଗୁରୁତ୍ବ
ପ୍ରତିଷ୍ଠା ହେବ ୪୪୩ ମୋବାଇଲ୍‌ ଟାୱାର
ନିଯୁକ୍ତି ପାଇବେ ୫୪୪ ଯୁବକ ଯୁବତୀ
ରାଜ୍ୟରେ ‌‘ସେମି କଣ୍ଡକ୍ଟର ୟୁନିଟ୍‌’ ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ

Advertisment

ଭୁବନେଶ୍ବର : ପୂର୍ବୋଦୟ ବିକାଶ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାକୁ ଯୋଡ଼ିବା ପାଇଁ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ରାଜ୍ୟରେ ଟେଲି ଯୋଗାଯୋଗକୁ ସୁଦୃଢ଼ କରିବା ସହ କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନାର ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ। ଦିଲ୍ଲୀ ଓ ଓଡ଼ିଶା ମଧ୍ୟରେ ମଧ୍ୟସ୍ଥତା ରହିବ ନାହିଁ। ଏଥପାଇଁ ଡାକ ବିକାଶକୁ ବି ଗୁରୁତ୍ବ ଦିଆଯାଉଛି। ଆଜି ଭୁବନେଶ୍ବର ସ୍ଥିତ ବିଏସ୍‌ଏନ୍‌ଏଲ୍‌ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦେଇ ଓଡ଼ିଶାରେ ୪୪୩ଟି ମୋବାଇଲ ଟାୱାର ଓ ୨୭୨ଟି ନୂତନ ପୋଷ୍ଟ ଅଫିସ ଉଦ୍‌ଘାଟନ କରି ଏଭଳି ବାର୍ତ୍ତା ଦେଇଛନ୍ତି।

ରାଜ୍ୟର ୧୧ଟି ମାଓ ପ୍ରଭାବିତ ଜିଲ୍ଲାରେ ୨୭୨ଟି ନୂଆ ଡାକଘର ଖୋଲାଯିବ। ବର୍ତ୍ତମାନ ସୁଦ୍ଧା ୧୨୮ ଡାକଘର ଆରମ୍ଭ ହୋଇସାରିଥିବା ବେଳେ ବାକି ୧୪୪ଟିକୁ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଯେଉଁଠି କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନାର ସୁବିଧା ସୁଯୋଗ ମିଳିବ। ସୁକନ୍ୟା ସମୃଦ୍ଧି ଯୋଜନା ଠାରୁ ଆରମ୍ଭ କରି ଟ୍ରେନ୍‌ ଟିକେଟ ବୁକିଂ, ଅର୍ଥ କାରବାର ଆଦି ଅନେକ ସୁବିଧା ଲୋକମାନେ ପାଇ ପାରିବେ। ଏହାଦ୍ବାରା ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସ୍କିମ୍‌ରେ ସାଢ଼େ ୪ଲକ୍ଷ ଲୋକଙ୍କୁ ୬୩କୋଟି ଟଙ୍କା, ଉଜ୍ଜ୍ବଳା ସ୍କିମ୍‌ରେ ୨୧୫୫ଜଣ ଲୋକ, ୧୦ବର୍ଷରୁ କମ୍‌ ୯ଲକ୍ଷ ନାବାଳିକା ଏବଂ ୨.୪ଲକ୍ଷ ଆକାଣ୍ଟଧାରୀ ଉପକୃତହେବେ। ଖାଲି ଏତିକି ନୁହେଁ ଏହି ଡାକଘର ଖୋଲିବା ଫଳରେ ନୂତନ ନିଯୁକ୍ତି ସୃଷ୍ଟି ହେବ। ୫୪୪ ଜଣ ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କହିଥିଲେ ଯେ, ପୂର୍ବରୁ ନେଟ୍‌ୱର୍କ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଠାରୁ ଆରମ୍ଭ କରି ଯୋଗାଯୋଗରେ ଅନେକ ସମସ୍ୟା ଉପୁଜୁଥିଲା। ହେଲେ ଏବେ ଆଉ ତାହା ରହିବ ନାହିଁ। କାରଣ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଗତପତି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି ଭଳି ୧୦ଟି ଆକାଂକ୍ଷୀ ଜିଲ୍ଲାରେ ୩୨୧୯ କୋଟି ବ୍ୟୟ ଅଟକଳରେ ୪୪୩ଟି ୪ଜି ଟାୱାର ଲଗାଯିବ। ଫଳରେ ଉକ୍ତ ଅଞ୍ଚଳରେ ଥିବା ୩ ହଜାର ୯୩୩ ଗ୍ରାମର ଲୋକ ଉପକୃତ ହେବ। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଅର୍ଥ ଯୋଗାଇଦେବ‌େ। ଭାରତ ସରକାରଙ୍କ ଅସଂଯୋଗୀକୁ ସଂଯୋଗୀକରଣ ଯୋଜନା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଅଦି ୫ଟି ରାଜ୍ୟର ୪୪ ଆକାଂକ୍ଷୀ ଜିଲ୍ଲାର ୭୨୮୭ ଗ୍ରାମକୁ ଏହି ମୋବାଇଲ ସେବା ପ୍ରଦାନ କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ବେଳେ କେବଳ ଓଡ଼ିଶାକୁ ୫୦ ପ୍ରତିଶତରୁ ଅଧିକ ୪ଜି ମୋବାଇଲ ଟାୱାର ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ଓଡ଼ିଶାରେ ‘ସେମି କଣ୍ଡକ୍ଟର୍‌ ୟୁନିଟ୍‌’ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଶାରେ ସେମି କଣ୍ଡକ୍ଟର୍‌ର ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଏହା ହେବା ଦ୍ବାରା ପୂର୍ବ ଭାରତ ସମେତ ଓଡ଼ିଶାର ବିକାଶ ହୋଇପାରିବ।

କାର୍ଯ୍ୟକ୍ରମରେ ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ହରୀଶ ଚନ୍ଦ୍ର ମହାନ୍ତି, ବଳରାମ ପାଲ୍‌, ବରିଷ୍ଠ ଡିଡିଜି ବିଜୟ ନାୟକ, ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ବାଇଁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର, ପ୍ରଭାତୀ ପରିଡ଼ା ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।