ସମ୍ବଲପୁର: ଚାଷ ଜମି ନୁହେଁ, କିନ୍ତୁ ରାଜ୍ୟର ୨.୭୩ ଲକ୍ଷ ପ୍ଲଟ୍ରେ ଚାଷ କରାଯାଇଥିବା ଦର୍ଶାଇଛନ୍ତି ଚାଷୀ। ଏଥିରେ ବାଲେଶ୍ବର ଜିଲ୍ଲାର ସର୍ବାଧିକ ୪୯ ହଜାର ୭୧୦ ପ୍ଲଟ୍ ରହିଛି। ପଶ୍ଚିମଓଡ଼ିଶାର ବରଗଡ଼ ଜିଲ୍ଲାରେ ୩୮ ହଜାର ୫୬୭, ବଲାଙ୍ଗୀରରେ ୬୪୧୭, ବୌଦ୍ଧରେ ୩୧୧୩, ଝାରସୁଗୁଡ଼ାରେ ୧୦୫୪, କଳାହାଣ୍ଡିରେ ୨୦ ହଜାର ୧୨୧, ସମ୍ବଲପୁରରେ ୫୭୬୫, ସୁବର୍ଣ୍ଣପୁରରେ ୧୦ ହଜାର ୧୪୩ ଓ ସୁନ୍ଦରଗଡ଼ରେ ୧୨୧୩ ଚାଷ ହେଉନଥିବା ନକଲି ପ୍ଲଟ୍ ଥିବା ନେଇ ସମବାୟ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ଦିଆଯାଇଛି। ପଞ୍ଜୀକରଣରେ ଭୁଲ ତଥ୍ୟ ଏବଂ ନକଲି ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଜବାଜ ହେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ବର୍ତ୍ତମାନ ନକଲି ପ୍ଲଟ୍ ସଂକ୍ରାନ୍ତରେ ସାଟେଲାଇଟ୍ ସର୍ଭେକୁ ଗୁରୁତ୍ବ ଦିଆଯାଉଛି। ସାଟେଲାଇଟ୍ ସର୍ଭେ ଜରିଆରେ ନକଲି ଚାଷ ଜମି ଚିହ୍ନଟ ପ୍ରକ୍ରିୟା ୫ ବର୍ଷରୁ ଅଧିକ ସମୟ ହେଲା ଆରମ୍ଭ ହୋଇଛି। ସର୍ଭେ ପରେ ନକଲି ପ୍ଲଟ୍କୁ ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ୍ ଦିଆଯାଏ। କିନ୍ତୁ ଚଳିତ ବର୍ଷ ପ୍ରଥମଥର ପାଇଁ ପଞ୍ଜୀକରଣ ବେଳେ ଭୁଲ ତଥ୍ୟ ଦେଇଥିବା ଓ ନକଲି ପ୍ଲଟ୍ର ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଦିଆଯାଇଛି।
ବାଲେଶ୍ବରରେ ସର୍ବାଧିକ ୫୦ ହଜାର, ବରଗଡ଼ରେ ୩୮ ହଜାର
କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀ ପ୍ରସ୍ତୁତି
ତେବେ ଏହାକୁ କାର୍ଯ୍ୟକାରୀ କରାଗଲେ, ଚାଷୀଙ୍କ ପାଇଁ ବିପଦ ଆଶଙ୍କା କରାଯାଉଛି। କାରଣ ଚାଷୀଙ୍କ ଅନୁସାରେ, ଧାନ ସଂଗ୍ରହ ପଞ୍ଜୀକରଣ ବେଳେ ନଥିପତ୍ରରେ ଚକ ଏବଂ ମେଜର୍ ନେଇ ଦ୍ବନ୍ଦ୍ବ ରହିଥାଏ। ବର୍ତ୍ତମାନ ବି ସମ୍ବଲପୁର ଜିଲ୍ଲାର ଅଧିକାଂଶ ଚକବନ୍ଦୀ ହୋଇଥିବା ଗାଁରେ ଚାଷୀଙ୍କ ପଟ୍ଟା ଚକଭୁକ୍ତ ଜମିର ଥିବାବେଳେ ଦଖଲ ମେଜର ବନ୍ଦୋବସ୍ତ ଅନୁଯାୟୀ ରହିଛି। ତେଣୁ ଚାଷୀ ଯେଉଁ ପ୍ଲଟ୍ରେ ଚାଷ କରୁଛି ତାହା ବାସ୍ତବରେ ତାର ନୁହେଁ ଓ ଚକବନ୍ଦୀ ଅନୁଯାୟୀ ଯେଉଁ ପ୍ଲଟ୍ ତା’ ନାମରେ ରେଜେଷ୍ଟ୍ରିଭୁକ୍ତ ହୋଇଛି ତାହା କେଉଁଠି ଅଛି ତାକୁ ଜଣା ନାହିଁ। ତେଣୁ ଅନେକ ଚାଷୀ ଅଜାଣତରେ ଭୁଲ ତଥ୍ୟ ଦେଉଛନ୍ତି। ଦ୍ବିତୀୟତଃ ଚାଷ କରାଯାଇଥିବା ପ୍ଲଟ୍କୁ ତ୍ରୁଟିପୂର୍ଣ୍ଣ ସାଟେଲାଇଟ୍ ସର୍ଭେ ଯୋଗୁଁ ଅକାରଣରେ ଅଣଚାଷ ଜମି ଭାବରେ ଦର୍ଶାଯାଇଥାଏ। ଏଥିଯୋଗୁଁ ଚାଷୀ ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ ପଡ଼ି ପୂର୍ବରୁ ହିଁ କ୍ଷତି ସହୁଛି। ବର୍ତ୍ତମାନ ଯଦି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ, ଗରିବ ଚାଷୀ ଅକାରଣରେ ହଇରାଣ ହେବେ ବୋଲି କୃଷକ ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।
ଯୋଗାଣ ବିଭାଗର ସୂଚନା ଅନୁସାରେ, ବୋନସ୍ ବ୍ୟବସ୍ଥା ଲାଗୁ ହେବା ପରେ ଧାନସଂଗ୍ରହ ପରିମାଣ ବୃଦ୍ଧିପାଇଛି। ସମଗ୍ର ରାଜ୍ୟରେ ଚଳିତବର୍ଷ ରବିଋତୁରେ ୭୩.୪୫ ଲକ୍ଷ ମେଟ୍ରିକ୍ ଟନ୍ ସଂଗ୍ରହ କରାଯାଇଛି। ଏଥିରେ ବରଗଡ଼ରୁ ୭.୯୩ ଲକ୍ଷ ମେଟ୍ରିକ୍ ଟନ୍, ସମ୍ବଲପୁରରୁ ୪.୬୭ ଲକ୍ଷ ମେଟ୍ରିକ୍ ଟନ୍, ବଲାଙ୍ଗୀରରୁ ୪.୦୯ ଲକ୍ଷ ମେଟ୍ରିକ୍ ଟନ୍, ବୌଦ୍ଧରୁ ୨.୦୪ ଲକ୍ଷ ମେଟ୍ରିକ୍ ଟନ୍, ଦେବଗଡ଼ରୁ ୬୩ ହଜାର ୨୮୯ ମେଟ୍ରିକ୍ ଟନ୍, ଝାରସୁଗୁଡ଼ାରୁ ୯୦ ହଜାର ୬୧୮ ମେଟ୍ରିକ୍ ଟନ, କଳାହାଣ୍ଡିରେ ୬.୦୯ ଲକ୍ଷ ମେଟ୍ରିକ୍ ଟନ୍, ସୁବର୍ଣ୍ଣପୁରରେ ୩.୭୨ ଲକ୍ଷ ମେଟ୍ରିକ୍ ଟନ ଏବଂ ସୁନ୍ଦରଗଡ଼ରୁ ୨.୪୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ବୋନସ୍ ପାଇଁ ନକଲି ଚାଷୀଙ୍କ ଜରିଆରେ ବାହାର ରାଜ୍ୟର ଧାନ ବିକ୍ରି କରାଯାଉଛି। ଯାହା ଫଳରେ ସରକାରଙ୍କ ରାଜସ୍ବ କ୍ଷତି ହେଉଛି। ଏହି ସମୁଦାୟ ପ୍ରକ୍ରିୟା ଯୋଗୁଁ ଅନେକ କ୍ଷେତ୍ରରେ ପ୍ରକୃତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।