ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’କୁ ତୃତୀୟ ପର୍ଯ୍ୟାୟରେ ପୁଣି ସମ୍ପ୍ରସାରଣ କରାଯାଇଛି। ଏଥର ପାଞ୍ଚ ବର୍ଷ ପାଇଁ ଅର୍ଥାତ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୨୭୩୮ କୋଟି ଟଙ୍କା ବରାଦ କରାଯାଇଛି। ଆଜି କ୍ୟାବିନେଟ୍ ବୈଠକରେ ଏହି ଯୋଜନାରେ ମୋହର ବାଜିଛି। ପାଞ୍ଚ ବର୍ଷରେ ୫୭୫୨୫ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରାଯିବା ସହିତ ୪୧୭୧୩ ହେକ୍ଟର ଚାଷ ଜମିକୁ ପୁନଃ ଜଳସେଚିତ ବ୍ୟବସ୍ଥା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୪ଟି ବିଭାଗର ପାଞ୍ଚଟି ପ୍ରସ୍ତାବରେ ମୋହର ବାଜିଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ରାଜ୍ୟରେ ଥିବା ଛୋଟ ଛୋଟ ନାଳଗୁଡ଼ିକରେ ୩୩୧୩ଟି ନୂଆ ଆଡ଼ିବନ୍ଧ ନିର୍ମାଣ କରି ସୁନିଶ୍ଚିତ ଜଳସେଚନ ତଥା ଅଚଳ ଅବସ୍ଥାରେ ଥିବା ୩୫୨୯ଟି ଆଡ଼ିବନ୍ଧର ପୁନରୁଦ୍ଧାର ଦ୍ବାରା ନିରବଚ୍ଛିନ୍ନ ଜଳସେଚନ ବ୍ୟବସ୍ଥା ନିମନ୍ତେ ସରକାର ଯୋଜନା କରିଛନ୍ତି। ଏହାଦ୍ବାରା ମୌସୁମୀ ପରବର୍ତ୍ତୀ ସମୟରେ ଗ୍ରାମଗୁଡ଼ିକୁ ପାନୀୟଜଳ ସୁବିଧା ସହ ଭୂତଳ ଜଳ ସଞ୍ଚାରଣ ଏବଂ ଖରିଫ ଜଳସେଚନକୁ ବୃଦ୍ଧି କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।