ଭୁବନେଶ୍ବର : ଆଧୁନିକ ଜ୍ଞାନ କୌଶଳ ସହ ନିଜକୁ ପରିଚୟ କରାଅ। ନିଃସ୍ବାର୍ଥପର ଭାବେ ଲୋକଙ୍କ ସେବା ସାର। ଆଜି ଜଳ ସମ୍ପଦ ବିଭାଗରେ ୨୭୫ ଜଣ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରି ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଯୁକ୍ତି ପାଇଥିବା ଇଞ୍ଜିନିୟରମାନଙ୍କ ମଧ୍ୟରୁ ୯୨ ଜଣ ମହିଳା ଓ ୧୮୩ ଜଣ ସିଭିଲ ଇଞ୍ଜିନିୟରିଂ ବିଭାଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାବେଳେ ୩୩ ଜଣ ମେକାନିକାଲ ବିଭାଗରେ ନିଯୁକ୍ତି ପାଇଛନ୍ତି। ନୂତନ ନିଯୁକ୍ତି ପାଇଥିବା ଇଞ୍ଜିନିୟରମାନଙ୍କୁ ୩ଟି ପର୍ଯ୍ୟାୟରେ ନିଯୁକ୍ତି ଦିଆଯିବ। ଏହି ଅବସରରେ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ରାଜ୍ୟରେ ଜଳ ସମ୍ପଦର ବିକାଶ ପାଇଁ ବହୁ ଉଲ୍ଲେଖନୀୟ ଅବଦାନ ନେଇ ମନେପକାଇଥିଲେ। ଜଳର ପ୍ରତିଟି ବିନ୍ଦୁର ସଠିକ୍ ଉପଯୋଗ ଉପରେ ଯେପରି ଗୁରୁତ୍ବ ଦିଆଯିବ ସେଥିପାଇଁ ପ୍ରତ୍ୟେକ ଇଞ୍ଜିନିୟର ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ।
ନୂତନ ନିଯୁକ୍ତି ପାଇଥିବା ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଜଳ ସମ୍ପଦ ବିଭାଗରେ ଅନେକ ଚାଲେଞ୍ଜ ରହିଛି। ଦ୍ରୁତ ଗତିରେ ସମୟ ବଦଳୁଛି। ରାଜ୍ୟର ଜଳ ସମ୍ପଦକୁ କିପରି ବୈଜ୍ଞାନିକ ପଦ୍ଧତିରେ ଉପଯୋଗ ହୋଇପାରିବ, ସେଥିପାଇଁ ନୂଆ ଜ୍ଞାନ କୌଶଳ ସହିତ ଇଞ୍ଜିନିୟରମାନେ ନିଜକୁ ପରିଚୟ କରିବାର ଆବଶ୍ୟକତା ରହିଛି। ଏହାହେଲେ ରାଜ୍ୟର ବିକାଶ ହୋଇପାରିବ। ଓଡ଼ିଶାରେ ଜଳସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ କରିବା ପାଇଁ ଅପାର ସମ୍ଭାବନା ରହିଛି। ଯେତେବେଳେ ରାଜ୍ୟର ସବୁ କ୍ଷେତ୍ରରେ ପ୍ରଶାସନିକ ସଂସ୍କାର କରିଚାଲିଛି ସେହିସମୟରେ ଚାକିରିରେ ଆପଣମାନେ ଯୋଗଦେଇଛନ୍ତି। ଆଗାମୀ ଦିନରେ ଆଗକୁ ଇଞ୍ଜିନିୟରମାନଙ୍କୁ ଗୁରୁ ଦାୟିତ୍ବ ତୁଲାଇବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ଉତ୍ସାହିତ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ। ସବୁ ଜମିକୁ ସେଚ ସୁବିଧା ପହଞ୍ଚିଲେ କୃଷିର ବିକାଶ ହୋଇପାରିବ। ଯାହାକି ରାଜ୍ୟର କୃଷି ବିକାଶର ସବୁଠୁ ବଡ଼ ମାପକାଠି। ଜଳସେଚନ ପାଇଁ ରାଜ୍ୟ ସରକାର ବହୁତ ଅର୍ଥ ବିନିଯୋଗ କରିଆସୁଛନ୍ତି। ୧୦ଟି ବୃହତ ଜଳ ସେଚନ ପ୍ରକଳ୍ପ, ୫୦ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୨ ହଜାର ୫୦୦ ଟି କ୍ଷୁଦ୍ର ଡ୍ୟାମ୍ ପ୍ରକଳ୍ପ କାମ ଏବେ ନିର୍ମାଣାଧୀନ ରହିଛି। ଲୋୟର ସୁକତେଲ, ଦେଓ, କାନପୁର, ସୁବର୍ଣ୍ଣରେଖା ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି ଓ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ବି ହେବ। ଅନ୍ୟ ପ୍ରକଳ୍ପ କାମଗୁଡ଼ିକ ମଧ୍ୟ ଆଗେଇ ଚାଲିଛି। ଜଳସେଚନ ସୁବିଧା ଯୋଗୁ ଧାନ ଓ ଅନ୍ୟ ଫସଲ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ପରିଚୟ ପାଇଛି। ଏହା କହି ମୁଖ୍ୟମନ୍ତ୍ରୀ ନୂତନ ନିଯୁକ୍ତି ପାଇଥିବା ଇଞ୍ଜିନିୟରମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ପୂର୍ବରୁ ଜଳ ସମ୍ପଦ ବିଭାଗରେ ଗୋଟିଏ ବ୍ୟାଚ୍ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ମିଳିଥିଲା। ଦ୍ବିତୀୟ ଥର ପାଇଁ ଏହି ନିଯୁକ୍ତି ମିଳିଲା। ଏହି ବ୍ୟାଚ୍ରେ ୯୨ଜଣ ମହିଳା ଇଞ୍ଜିନିୟର ନିଯୁକ୍ତି ପାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ୫'ଟି' ସଚିବ ଭି.କେ ପାଣ୍ଡିଆନ୍ ନୂତନ ନିଯୁକ୍ତି ପାଇଥିବା ଇଞ୍ଜିନିୟରମାନଙ୍କୁ ସରକାରଙ୍କ ୫'ଟି' ପ୍ରଶାସନିକ ସଂସ୍କାର ସମ୍ପର୍କରେ ଅବଗତ କରାଇଥିଲେ। ଇଞ୍ଜିନିୟରମାନେ ଏହି ଅନୁଶୀଳନୀକୁ ପାଳନ କରି ରାଜ୍ୟର ବିକାଶ ଦିଗରେ ଯେପରି ସହଭାଗୀ ହୋଇପାରିବେ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।