ବନ୍ଦ ହେବ କନ୍ଧମାଳ ଜିଲ୍ଲାର ୨୭୫ ସ୍କୁଲ, ବିଦ୍ୟାଳୟ ବନ୍ଦ ନ କରିବାକୁ ବ୍ରଡ଼ିଗୁଡ଼ାବାସୀଙ୍କ ନିବେଦନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ୨୭୫ଟି ସ୍କୁଲ ବନ୍ଦ ହେବ। ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫ଟି ଶ୍ରେଣୀରେ ୧୫ ଜଣ କିମ୍ବା ୧୫ରୁ କମ୍‌ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ୧୬୯ଟି ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶାଇ ଦିଆଯିବ। ସେହିଭଳି ଯେଉଁ ସ୍କୁଲରେ ମୋଟ ଉପସ୍ଥାନ ୨୫ ଥିବା ସହ ଏହାଠାରୁ ୧ କିଲୋମିଟର ଦୂରରେ ଯଦି ଅନ୍ୟ ଏକ ସ୍କୁଲ ଥିବ, ତାହା ସହ ଉକ୍ତ ସ୍କୁଲକୁ ମିଶାଇ ଦିଆଯିବ। କନ୍ଧମାଳ ଜିଲ୍ଲାରେ ଏଭଳି ସ୍କୁଲ ସଂଖ୍ୟା ୧୫ଟି ରହିଛି। ଅର୍ଥାତ୍‌ ଏଭଳି ୧୫ଟି ସ୍କୁଲ ବନ୍ଦ କରାଯିବ। ସେହିଭଳି ପ୍ରଥମଶ୍ରେଣୀରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଥିବା ଉଚ୍ଚପ୍ରାଥମିକ ସ୍କୁଲ ଯେଉଁଥିରେ ୨୦ ଜଣ କିମ୍ବା ୨୦ରୁ କମ୍‌ ଉପସ୍ଥାନ ଥିବ ଏବଂ ୩ କିଲୋମିଟର ଦୂରରେ ଯଦି ଅନ୍ୟ ଏକ ସ୍କୁଲ ଥିବ, ସେ କ୍ଷେତ୍ରରେ ସ୍କୁଲ ମିଶ୍ରଣ କରାଯିବ। କନ୍ଧମାଳ ଜିଲ୍ଲାରେ ଉଚ୍ଛେଦ ହେବାକୁ ଥିବା ଏଭଳି ସ୍କୁଲ ସଂଖ୍ୟା ୯୧। ଏଣୁ କନ୍ଧମାଳ ଜିଲ୍ଲାରେ ମୋଟ ୨୭୫ ସ୍କୁଲରେ ଏବେ ତାଲା ପଡ଼ିବାକୁ ଯାଉଛି। ଏସବୁ ସ୍କୁଲ ଘରକୁ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏଭଳି ସ୍ଥଳେ ବନ୍ଦ ହେବାକୁ ଥିବା ସ୍କୁଲର ଛାତ୍ରଛାତ୍ରୀମାନେ କିଭଳି ଅନ୍ୟ ସ୍କୁଲକୁ ଗ୍ରହଣ କରିବେ ତାହା ବଡ଼ ପ୍ରଶ୍ନବାଚୀ ପାଲଟିଛି।

ଆଜି ଖଜୁରୀପଡ଼ା ବ୍ଲକ୍‌ର ବ୍ରଡ଼ିଗୁଡ଼ା ଗ୍ରାମବାସୀ ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ବ୍ରଡ଼ିଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ବିରୋଧରେ ଆଜି ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବହୁପୁରୁଣା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଏହି ପ୍ରାଥମିକ ବିଦ୍ୟାଳୟଟି ୧୯୯୨ ମସିହାରେ ସ୍ଥାପିତ ହୋଇଥିଲା। ସ୍କୁଲରେ ମୋଟ ୫ଟି ଶ୍ରେଣୀ ପାଇଁ ୨୨ ଜଣ ଛାତ୍ରଛାତ୍ରୀ ଥିବାରୁ ପ୍ରଶାସନ ଏହି ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶାଇଦେବାକୁ ନିଷ୍ପତ୍ତି ନେଇଛି। ବ୍ରଡ଼ିଗୁଡ଼ାଠାରୁ ୪ କିଲୋମିଟର ଦୂରରେ ଥିବା ଟୁକୁଲୁପଡ଼ା ପ୍ରାଥମିକ ବିଦ୍ୟାଳୟ ସହିତ ଏହି ସ୍କୁଲକୁ ମିଶାଇ ଦିଆଯିବ। ବିଦ୍ୟାଳୟର ସମସ୍ତ ରେକର୍ଡପତ୍ର ଟୁକୁଲୁପଡ଼ା ପ୍ରାଥମିକ ବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ୨୨ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥାଇ ଗତ ମାସରେ ମୋଟ ୮୪ ଦିନର ମଧ୍ୟାହ୍ନ ଭୋଜନ ଚାଉଳ ଓ ଟଙ୍କା ବ୍ରଡ଼ିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ବଣ୍ଟନ କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଏହି ସ୍କୁଲକୁ ଟୁକୁଲୁପଡ଼ା ସହ ମିଶାଇ ଦିଆଯିବ ବୋଲି ଗ୍ରାମବାସୀ ଯୁକ୍ତି ବାଢ଼ିଛନ୍ତି। ଅପରପ‌କ୍ଷେ, ବ୍ରଡ଼ିଗୁଡ଼ା ଏବଂ ଟୁକୁଲୁପଡ଼ା ଗ୍ରାମ ମଧ୍ୟରେ ଏକ ପାହାଡ଼ି ନାଳ ବହିଯାଇଛି। ବର୍ଷାଦିନେ ଏହି ନାଳରେ ପ୍ରବଳ ପାଣି ଆସିବା ଯୋଗୁଁ ଛାତ୍ରଛାତ୍ରୀମାନେ ଟୁକୁଲୁପଡ଼ା ସ୍କୁଲକୁ ଯିବା ଏକପ୍ରକାର ଅସମ୍ଭବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ବ୍ରଡ଼ିଗୁଡ଼ା ସ୍କୁଲ୍‌ ବନ୍ଦ କରିବା ନିଷ୍ପତ୍ତି ସରକାରଙ୍କ ଦୁଇ ଗାଇଡ୍‌ଲାଇନରେ ଆସୁ ନଥିବା ବେଳେ କାହିଁକି ସ୍କୁଲକୁ ବନ୍ଦ କରି ଦିଆଯିବ ବୋଲି ଗ୍ରାମବାସୀ ଯୁକ୍ତି ଉପସ୍ଥାପନ କରିଛନ୍ତି। ତେବେ ବ୍ରଡ଼ିଗୁଡ଼ା ଗ୍ରାମବାସୀଙ୍କ ଏହି ଦାବି ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବୃନ୍ଦା ଡି. ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର