୨୭୬ ସୌରଶକ୍ତି ଚାଳିତ ନଳକୂପ ଅଚଳ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସୌରଶକ୍ତି ଚାଳିତ ନଳକୂପ ଖୋଳା ଯାଇଥିଲା। କିନ୍ତୁ ଶହଶହ ନଳକୂପ ଏବେ ଅଚଳ। ଏହାକୁ ସଜାଡ଼ିବାରେ ପ୍ରଶାସନ ଯେତିକି ତତ୍ପରତା ଦେଖାଇବା କଥା ଦେଖାଉ ନାହିଁ। ଫଳରେ ଅର୍ଥ ଅପଚୟ ସହ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।

ଓରେଡା ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ୨୦୧୪ ମସିହାରେ ୧୨୬୧ଟି ଗାଁରେ ସୌରଶକ୍ତି ଚାଳିତ ନଳକୂପ ଖୋଳା ଯାଇଥିଲା। ବିଶେଷ କରି ଯେଉଁ ସ୍ଥାନରେ ବିଦ୍ୟୁତ୍‌ ସମସ୍ୟା ରହିଛି ସେହି ଗାଁରେ ଏସବୁ ନଳକୂପ ଖୋଳା ଯାଇଥିଲା। ପ୍ରାରମ୍ଭରେ ସଫଳତାର ସହ ସୌରଶକ୍ତି ଚାଳିତ ନଳକୂପ କାର୍ଯ୍ୟକ୍ଷମ ହେବା ସହ ଲୋକେ ପାନୀୟ ଜଳ ପାଇଲେ। ନଳକୂପ ଖୋଳିଥିବା ସଂସ୍ଥା ୫ବର୍ଷ ପର୍ଯ୍ୟନ୍ତ ଏହାର ମରାମତି କରିବ ବୋଲି ସରକାରଙ୍କ ସହ ବୁଝାମଣା କରିଥିଲା। ପ୍ରତ୍ୟେକ ସ୍ଥାନରେ ଏଥିପାଇଁ ଏକ ଟୋଲ୍‌ଫ୍ରି ନମ୍ବର ମଧ୍ୟ ଲେଖା ହୋଇଥିଲା। ନଳକୂପ ଅଚଳ ହେଲେ ଏହି ଟୋଲ୍‌ଫ୍ରି ନମ୍ବରରେ ଫୋନ୍‌ କରି ଜଣାଇଲେ ମରାମତି କରାଯିବ ବୋଲି କୁହାଯାଇଥିଲା। ମାତ୍ର ଟେଣ୍ଡର ପାଇଥିବା ସଂସ୍ଥା ଅଚଳ ନଳକୂପ ମରାମତି କରୁନଥିବାରୁ ଏହା ଲୋକଙ୍କ କାମରେ ଲାଗିପାରୁ ନାହିଁ।

ଏବେ ଜିଲ୍ଲାରେ ୯୮୫ଟି ସୌରଶକ୍ତି ଚାଳିତ ନଳକୂପ ସଚଳ ଥିବାବେଳେ ଏକବର୍ଷରୁ ଊର୍ଦ୍ଧ୍ବ ହେବ ୨୭୬ଟି ନଳକୂପ ଅଚଳ ହୋଇପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆନନ୍ଦପୁର ବ୍ଲକ୍‌ରେ ୯ଟି, ବାଂଶପାଳରେ ୬୯ଟି, ଚମ୍ପୁଆରେ ୧୬ଟି, ଘସିପୁରାରେ ୧୮ଟି, ଘଟଗାଁରେ ୧୨ଟି, ହରିଚନନ୍ଦନପୁରରେ ୨୧ଟି, ହାଟଡିହିରେ ୮ଟି, ଝୁମ୍ପୁରାରେ ୨୩ଟି, ଯୋଡ଼ା ବ୍ଲକ୍‌ରେ ୩୪ଟି, କେନ୍ଦୁଝର ସଦର ବ୍ଲକ୍‌ରେ ୧୯ଟି, ପାଟଣାରେ ୨୦ଟି, ତେଲକୋଇ ବ୍ଲକ୍‌ରେ ୧୯ଟି ଏବଂ ସାହାରପଡ଼ା ବ୍ଲକ୍‌ରେ ୮ଟି ନଳକୂପ ଅଚଳ ହୋଇପଡ଼ିଛି। ନଳକୂପରୁ ସୌରଶକ୍ତି ଚାଳିତ ମୋଟର ସାହାଯ୍ୟରେ ଟାଙ୍କିକୁ ପାଣି ଉଠାଯାଇ ଲୋକଙ୍କୁ ଯୋଗାଇବା ପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସରକାର ଯେଉଁ ମହତ ଉଦ୍ଦେଶ୍ୟ ରଖି ଏସବୁ ନଳକୂପ ବିଭିନ୍ନ ଦୁର୍ଗମ ସ୍ଥାନରେ ଖୋଳିଥିଲେ ତାହା ଏବେ ଅଚଳ ହୋଇଯାଇଥିବାରୁ ଲୋକେ ପାଣିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର