ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଛନ୍ତି ୨୭,୮୮୭ ଶିଶୁ

ଭୁବନେଶ୍ବର : ରାଜ୍ୟରେ ୩୦ଟି ଜିଲ୍ଲାରେ କିଶୋର ନ୍ୟାୟ(ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ ଅଧୀନରେ ପଞ୍ଜୀକୃତ ୨୩୯ଟି ଶିଶୁ ଯତ୍ନ ଅନୁଷ୍ଠାନ ଚାଲିଛି। ଏହା ମଧ୍ୟରୁ ୨୩୧ଟି ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଏବଂ ୮ଟି ଆଇନ ସହ ଦ୍ବନ୍ଦ୍ବରେ ଥିବା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସବୁ ଅନୁଷ୍ଠାନର ନିୟନ୍ତ୍ରଣ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ରାଜ୍ୟ ଶିଶୁ ସୁରକ୍ଷା ସମିତି ଗଠନ କରାଯାଇଛି। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଓ ସଦସ୍ୟମାନେ ପ୍ରତି ମାସରେ ଦୁଇ ଥର ଏହି ଅନୁଷ୍ଠାନ ପରିଦର୍ଶନ କରୁଛନ୍ତି। ଆଜି ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ମୁକେଶ ମହାଲିଙ୍ଗଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ କିଶୋର ନ୍ୟାୟ ଆଇନ୍,୨୦୧୫ ଲାଗୁ ହେବା ପରେ ୨୦୧୬ ଜାନୁଆରି ୧୫ ତାରିଖରୁ ଅଦ୍ୟାବଧି ଯତ୍ନ ଓ ସୁରକ୍ଷାର ଆବଶ୍ୟକ କରୁଥିବା ୮୮୨୦୬ ଜଣ ଶିଶୁଙ୍କୁ ଚିହ୍ନଟ କରି ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇଛି। ଉପରୋକ୍ତ ଶିଶୁମାନଙ୍କ ମଧ୍ୟରୁ ୨୭,୮୮୭ ଜଣ ଶିଶୁଙ୍କୁ ଶିଶୁ କଲ୍ୟାଣ କମିଟିର ନିର୍ଦ୍ଦେଶ ମୁତାବକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଶିଶୁ ଯତ୍ନ ଅନୁଷ୍ଠାନରେ ରହିବାର ବନ୍ଦୋବସ୍ତ କରାଯାଇଛି। ପଞ୍ଜୀକୃତ ୨୩୧ ଶିଶୁ ଯତ୍ନ ଅନୁଷ୍ଠାନ ମଧ୍ୟରୁ ୧୨୫ଟି ଅନୁଷ୍ଠାନକୁ ଶିଶୁ ସୁରକ୍ଷା ସେବା ଯୋଜନାରେ ୫୫୧୧ ଜଣ ଶିଶୁଙ୍କ ପାଇଁ ମାସିକ ୨୧୬୦ ଟଙ୍କା ପ୍ରଦାନ କରାଯାଉଛି। ଶିଶୁ ଯତ୍ନ ଅନୁଷ୍ଠାନ ସୁପରିଚାଳନା ଓ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ପାଇଁ ନିକଟରେ ସରକାର ଏକ ପରିବର୍ଦ୍ଧିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ରାଜ୍ୟ ଶିଶୁ ସୁରକ୍ଷା ସମିତି ନିୟମିତ ବ୍ୟବଧାନରେ ଭିନ୍ନ ଭିନ୍ନ ଦାୟିତ୍ବରେ ଥିବା କର୍ମଚାରୀଙ୍କ ପାଇଁ ବିବିଧ ପ୍ରସଙ୍ଗରେ ତାଲିମର ଆୟୋଜନ କରୁଛନ୍ତି। ଶିଶୁ ଯତ୍ନ ଅନୁଷ୍ଠାନରେ ନିୟୋଜିତ ସମସ୍ତ କର୍ମଚାରୀଙ୍କର ପୁଲିସ ତଦାରଖ କରାଯାଉଛି। କୌଣସି କର୍ମଚାରୀ କିମ୍ବା ଅନୁଷ୍ଠାନ ଯଦି ଆଇନ ଉଲ୍ଲଂଘନ କରନ୍ତି, ତେବେ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର