ଭୁବନେଶ୍ବର: ରାଞ୍ଚିରେ ପୂର୍ବାଞ୍ଚଳ ପରିଷଦ (ଇଷ୍ଟର୍ଣ୍ଣ ଜୋନାଲ୍ କାଉନ୍ସିଲ୍)ର ୨୭ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ସଫଳତା ଓ ଗତ ବର୍ଷକର ଉପଲବ୍ଧି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ମହିଳା ସଶକ୍ତୀକରଣ, ଆୟୁଷ୍ମାନ ଭାରତ ଯୋଜନା, ଶ୍ରୀ ଅନ୍ନ ଯୋଜନା, ସମାଜର ପଛୁଆବର୍ଗର ଲୋକମାନଙ୍କ ବିକାଶ, ଶିଶୁ କଲ୍ୟାଣ, ସ୍ବାସ୍ଥ୍ୟସେବା, ଶିକ୍ଷା, ସହରୀ ଯୋଜନା, ଶକ୍ତି ଭିତ୍ତିଭୂମି ଆଦି କ୍ଷେତ୍ରରେ ଓଡ଼ିଶା କିପରି ସମନ୍ବିତ ବିକାଶକୁ ଆଖି ଆଗରେ ରଖି କାମ କରୁଛି, ତାହା ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ରାଜ୍ୟରେ ଗ୍ରାମାଞ୍ଚଳରେ ମୋବାଇଲ୍ ନେଟ୍ୱର୍କ ବଢ଼ାଇବା, ୧୬୩୧ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସ୍ଥାୟୀ ଶାଖା ଖୋଲିବାକୁ ସେ ଦାବି ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାର ଏ ନେଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ପରିଷଦର ପରବର୍ତ୍ତୀ ବୈଠକ ପୁରୀରେ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
୨୦୨୬ ମାର୍ଚ୍ଚ ସୁଦ୍ଧା ଭାରତ ନକ୍ସଲମୁକ୍ତ ହେବ: ଶାହ
ଆସନ୍ତାବର୍ଷ ପୁରୀରେ ବୈଠକ
ବୈଠକକୁ ସମ୍ବୋଧିତ କରି ଶ୍ରୀ ଶାହ କହିଥିଲେ ଯେ ସମସ୍ତ ରାଜ୍ୟର ଏକତା ଓ ସୁରକ୍ଷା ବାହିନୀର ସାହସିକତା କାରଣରୁ ଆମେ ନକ୍ସଲବାଦ ବିରୋଧରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛୁ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରାଯିବ ବୋଲି ସେ କହିଛନ୍ତି। ସେ କହିଲେ, ମୋଦୀ ସରକାରରେ ଆଞ୍ଚଳିକ ପରିଷଦଗୁଡ଼ିକ ଏବେ ଆଲୋଚନାର ମଞ୍ଚ ପରିବର୍ତ୍ତେ ସହଯୋଗର ଇଞ୍ଜିନ ପାଲଟିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଏକାଠି ହୋଇ ଆଗକୁ ବଢ଼ିବାକୁ ପଡ଼ିବ। ଆଞ୍ଚଳିକ ପରିଷଦ ବୈଠକଗୁଡ଼ିକରେ ୮୩ ପ୍ରତିଶତ ପ୍ରସଙ୍ଗର ସମାଧାନ ହୋଇଛି। ୨୦୦୪-୨୦୧୪ ମଧ୍ୟରେ ୨୫ଟି ଆଞ୍ଚଳିକ ପରିଷଦ ବୈଠକ ହୋଇଥିଲା। କିନ୍ତୁ ୨୦୧୪-୨୫ ମଧ୍ୟରେ ଦୁଇ ଗୁଣାରୁ ଅଧିକ, ଅର୍ଥାତ ୬୩ଟି ବୈଠକ ହୋଇଛି।
ଏହି ବୈଠକରେ ମସାନଜୋର ଡ୍ୟାମ୍, ତାଇୟାବପୁର ବ୍ୟାରେଜ, ଇନ୍ଦ୍ରପୁରୀ ଜଳଭଣ୍ଡାର, ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ବିଭାଜନ ଦିନରୁ ବିଚାରାଧୀନ ରହିଥିବା ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ସମ୍ପତ୍ତି ଓ ଦାୟିତ୍ବ ବଣ୍ଟନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ନୂତନ ଅପରାଧିକ ଆଇନର ଶୀଘ୍ର କାର୍ଯ୍ୟକାରିତା ଦିଗରେ ଅଧିକ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି। ବୈଠକରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଚାନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗକୁ ନେଇ ପୂର୍ବ କ୍ଷେତ୍ରୀୟ ପରିଷଦ ଗଠନ କରାଯାଇଛି।