ହତ୍ୟା ମାମଲାରୁ ୨୮ ଅଭିଯୁକ୍ତଙ୍କୁ ଦୋଷମୁକ୍ତ ପ୍ରସଙ୍ଗ: ୩୧ ବର୍ଷ ପରେ ସରକାରଙ୍କ ଆବେଦନ ଖାରଜ

କଟକ: ୧୯୮୯, ମାର୍ଚ୍ଚ ୨ରେ ପିପିଲି ଥାନା ଅଞ୍ଚଳରେ ହୋଇଥିବା ଏକ ହତ୍ୟା ମାମଲାରେ ୧୯୯୧, ଜାନୁଆରି ୧୬ରେ ପୁରୀ ଦ୍ବିତୀୟ ଅତିରିକ୍ତ ଦୌରା ଜଜ୍‌ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଦାୟର କରିଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ସମସ୍ତ ୨୮ଜଣ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବାରୁ ଦୋଷମୁକ୍ତ ନେଇ ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିବା ସହିତ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପିପିଲି ଥାନା ଅନ୍ତର୍ଗତ ମଙ୍ଗୁଳିଆ ଖାତ କେନାଲବନ୍ଧ ନିକଟରେ ବାନାମ୍ବର ପ୍ରଧାନଙ୍କୁ ୧୯୮୯, ମାର୍ଚ୍ଚ ୨ରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରୁ ମୋଟରସାଇକେଲ, ହେଲମେଟ, ଲାଠି ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିବା ବେଳେ ଜଣେ ଅଭିଯୁକ୍ତଙ୍କ ବାରିରୁ ମୃତଦେହ ଉଦ୍ଧାର କରାଯାଇଥିଲା। ପିପିଲି ପୁଲିସ ଘଟଣାର ତଦନ୍ତ କରି ୨୮ଜଣ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୪୮, ୧୪୯ରେ ଚାର୍ଜସିଟ ଦାଖଲ କରିଥିଲା। ପୁରୀ ଦ୍ବିତୀୟ ଅତିରିକ୍ତ ଦୌରା ଜଜ୍ ମାମଲାର ଶୁଣାଣି କରି ସମସ୍ତ ୨୮ ଜଣ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖାଲସ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ୧୯୯୧ରେ ରାଜ୍ୟ ସରକାର ହାଇକୋର୍ଟରେ ଦାୟର କରିଥିବା ମାମଲା ବିଚାରାଧୀନ ଥିବାବେଳେ ୬ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା। ଅବଶିଷ୍ଟ ୨୨ଜଣ ଅଭିଯୁକ୍ତ ପିପିଲି ଥାନା ଅନ୍ତର୍ଗତ ଅଞ୍ଚଳର ହୋଇଥିବା ବେଳେ ସେମାନେ ଏବେ ଠିକ୍‌ ଅଛନ୍ତି ବୋଲି ପୁରୀ ପୁଲିସ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲା। ଏହାପରେ ମାମଲାର ଚୂଡାନ୍ତ ଶୁଣାଣି କରି ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର