ଶିଶୁଯତ୍ନ ଗୃହର ୨୮ ପିଲା ମାଟ୍ରିକ୍‌ ପାସ୍‌

ନୂଆ ଭବିଷ୍ୟତ ସନ୍ଧାନରେ ବାପାମା’ ଛେଉଣ୍ଡ, ଏଚ୍‌ଆଇଭି ସଂକ୍ରମିତ ଶିଶୁ

ବ୍ରହ୍ମପୁର: କାହାର ମା’ ନାହିଁ ତ, ଆଉ କାହାର ବାପା, ପୁଣି କିଏ ବାପାମା’ ଛେଉଣ୍ଡ। ମୁଣ୍ଡ ଉପରେ କାହାରି ହାତ ନାହିଁ। ଅନେକ ବାପା ମା’ଛେଉଣ୍ଡ ଓ ଏଚ୍‌ଆଇଭି ସଂକ୍ରମିତ। ସେହି ପିଲାଙ୍କୁ ସାହା ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଲାଳନପାଳନ, ଶିକ୍ଷାଦାନ ଦାୟିତ୍ବ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସବୁଠାରୁ ଖୁସିର ଖବର ହେଲା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧୀନରେ ରହିଥିବା ଜିଲ୍ଲାର ୪ଟି ଶିଶୁଯତ୍ନ ଗୃହରେ ରହୁଥିବା ୨୮ଜଣ ଅନ୍ତେବାସୀ ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ କରିଛନ୍ତି। ମାଟ୍ରିକ୍‌ ପାସ୍‌ କରିବା ପରେ ସେହି ପିଲାମାନେ ନୂଆ ଭବିଷ୍ୟତ ସନ୍ଧାନରେ ଅଗ୍ରସର ହେବେ। ମାଟ୍ରିକ୍‌ ପାସ୍‌ କରିଥିବା ପିଲାଙ୍କୁ ଆଇଟିଆଇରେ ନାମ ଲେଖାଥିବା ବ୍ୟବସ୍ଥା ହୋଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ ଶିଶୁ ସୁରକ୍ଷା ବିଭାଗ ଅଧୀନରେ ୪ଟି ଶିଶୁଯତ୍ନ ଗୃହ ରହିଛି। ସେଠାରେ ବାପା-ମା’ ଛେଉଣ୍ଡ ପିଲା ଓ ଏଚ୍‌ଆଇଭି ସଂକ୍ରମିତ ଅନାଥ ପିଲାଙ୍କୁ ଥଇଥାନ କରା ଯାଇଥାଏ। ବ୍ରହ୍ମପୁର ଗୋସାଇଁନୂଆଗାଁରେ ଉତ୍କଳ ବାଳାଶ୍ରମ ରହିଥିବା ବେଳେ ଗୋପାଳପୁରରେ ଏଚ୍‌ଆଇଭି ସଂକ୍ରମିତ ପିଲାଙ୍କ ପାଇଁ ଶ୍ରଦ୍ଧା ସଂଜୀବନୀ ଶିଶୁଯତ୍ନ ଗୃହ ରହିଛି। ସେହିପରି ଧରାକୋଟରେ ବାଲ୍ମୀକେଶ୍ବର ଶିଶୁଯତ୍ନ ଗୃହ ଓ ଚିକିଟିରେ ଦିବ୍ୟଜୀବନ ଶିଶୁଯତ୍ନ ଗୃହ ରହିଛି। ଗୋସାଇଁନୂଆଗାଁ ଉତ୍କଳ ବାଳାଶ୍ରମରେ ନବଜାତ ଶିଶୁଙ୍କୁ ଥଇଥାନ କରା ଯାଇଥାଏ। ବିଭିନ୍ନ ସମୟରେ ଜନ୍ମପରେ ମାତା-ପିତା ଶିଶୁକୁ ଗ୍ରହଣ ନକରି ଏଣେତେଣେ ଛାଡ଼ି ଚାଲି ଯାଉଛନ୍ତି। ସେଭଳି ପିଲାଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରି ଥଇଥାନ କରାଯାଉଛି। ସେମାନଙ୍କୁ ଏକ ନୂଆ ପରିଚୟ ଦେଇ ଉଜ୍ବଳ ଭବିଷ୍ୟତର ରାସ୍ତା ଦେଖାଉଛି ଜିଲ୍ଲା ପ୍ରଶାସନ। ସେହିପରି ଚିକିଟି ଓ ଧରାକୋଟରେ ମଧ୍ୟ କିଶୋର/କିଶୋରୀଙ୍କୁ ରଖାଯାଉଛି। ଏହି ଶିଶୁଯତ୍ନ ଗୃହରେ ରହୁଥିବା ୨୮ଜଣ ଅନ୍ତେବାସୀ ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ କରିଛନ୍ତି।

ତନ୍ମଧ୍ୟରେ ଧରାକୋଟ ଶିଶୁଯତ୍ନ ଗୃହର ୧୬ଜଣ ଅନ୍ତେବାସୀ ରହିଥିବା ବେଳେ ଚିକିଟି ଶିଶୁଯତ୍ନ ଗୃହର ୬ଜଣ, ଶ୍ରଦ୍ଧା ସଂଜୀବନୀର ୪ଜଣ ଓ ଉତ୍କଳ ବାଳାଶ୍ରମର ୨ଜଣ ଅନ୍ତେବାସୀ ରହିଛନ୍ତି। ୧୮ବର୍ଷ ପର୍ଯ୍ୟନ୍ତ ଏହି ପିଲାଙ୍କୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆ ଯାଇଥାଏ। ୧୮ବର୍ଷ ପରେ ପିଲାମାନେ କିପରି ରୋଜଗାରକ୍ଷମ ହୋଇ ସ୍ବାବଲମ୍ବୀ ହେବେ ସେ ଦିଗରେ ମଧ୍ୟ ସମସ୍ତ ଦାୟିତ୍ବ ନେଇଥାଏ। ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ସହିତ ଯୋଗାଯୋଗ କରି ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପିଲାଙ୍କୁ ନିଯୁକ୍ତି ସୁଯୋଗ ଦିଆ ଯାଇଥାଏ।

ଏହି କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ଅଧିକାରୀ ଓ ଶିଶୁଯତ୍ନ ଗୃହର ପରିଚାଳକଙ୍କ ଉପସ୍ଥିତିରେ ସମସ୍ତ ପିଲାଙ୍କୁ ସମ୍ମାନିତ କରାଯାଇଥିଲା। ଯାହାକି ପିଲାଙ୍କୁ ଆଗକୁ ବଢ଼ିବା ଦିଗରେ ପ୍ରେରଣା ଦେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର