ହିଞ୍ଜିଳିରେ ୨୮କୋଟିର ପ୍ରକଳ୍ପ ଉଦ୍‌ଘାଟିତ : ଏବେ ଛୋଟ ସହର ବିକାଶକୁ ଗୁରୁତ୍ୱ

ଭୁବନେଶ୍ବର : ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇପାରିବେ, ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦ୍‌ଘାଟନ ଅବସରରେ ଏଭଳି ମତ ରଖିଛନ୍ତି।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି। ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ବ ଦେଇଆସିଛନ୍ତି। ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ।

ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ୍‌ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି। ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ।
କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “କରୋନା ମହାମାରୀ ସହ ଆପଣମାନେ ଯେପରି ଲଢିଲେ, ଗଞ୍ଜାମ ଯେପରି ଲଢିଲା, ତାହା ସାରା ବିଶ୍ବ ଦେଖିଛି। ଆପଣମାନଙ୍କ ସହଯୋଗରେ ଆଜି କରୋନାକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇଛୁ। ଏ ଦିଗରେ ଗଞ୍ଜାମର ସଫଳତା ସାରା ବିଶ୍ବର ପ୍ରଶଂସା ପାଇଥିଲା । ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧି ମାନଙ୍କୁ, ମିସନ ଶକ୍ତିର ମା’ ମାନଙ୍କୁ ଓ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଉଛି। ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦ ପୁରା ଦୂର ହୋଇନାହିଁ। ତେଣୁ ଆମକୁ ସାବଧାନ ରହିବାକୁ ହେବ।”

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ହିଞ୍ଜିଳି ସହରର ବିକାଶ ପାଇଁ ୨୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା।

ଏହି ଅବସରରେ ହିଞ୍ଜିଳିର ନୂତନ ପ୍ରକଳ୍ପ ଗୁଡିକ ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରମିଳା ବିଷୋଇ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍, ଗଞ୍ଜାମ ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର