ବଢ଼ିଲା ସଙ୍ଗ‌ରୋଧ ଅବଧି : ଫେରନ୍ତାଙ୍କ ପାଇଁ ୨୮ଦିନର ବାଧ୍ୟତାମୂଳକ

ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପରେ ୨୧, ଘରେ ୭ଦିନ , ୧୦ଦିନର କାର୍ଯ୍ୟ ମିଳିବ, ଦିନକୁ ୧୫୦ ଟଙ୍କା

ଭୁବନେଶ୍ବର : ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଆଜି ସଙ୍ଗରୋଧ ବ‌ା କ୍ବାରାଣ୍ଟିନ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି। ରାଜ୍ୟକୁ ଫେରିବା ପରେ ଏଣିକି ସମସ୍ତଙ୍କୁ ସରକାରଙ୍କ ପଞ୍ଚାୟତସ୍ତରରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଥିବା ସଙ୍ଗରୋଧ କେନ୍ଦ୍ରରେ ୨୧ଦିନ ରହିବାକୁ ପଡ଼ିବ। ଏହାସହ ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ପରେ ୭ଦିନ ପର୍ଯ୍ୟନ୍ତ ଘରେ ସଙ୍ଗରୋଧରେ ରହିବାକୁ ହେବ। ପୂର୍ବରୁ ସଙ୍ଗରୋଧ ଅବଧି ୧୪ଦିନ ରହିଥିଲା। ଅନେକ ବ୍ୟକ୍ତି ୧୪ଦିନର ସଙ୍ଗରୋଧ ଅବଧି ପରେ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଆଗାମୀ ଦିନ‌ରେ ରାଜ୍ୟକୁ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବେ। ଏଭଳି ପରିସ୍ଥିତିରେ ଏତେସଂଖ୍ୟକ ଲୋକଙ୍କୁ ପଞ୍ଚାୟତସ୍ତରରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପରେ ଏକକାଳୀନ ରଖିବା ସମ୍ଭବ ନୁହେଁ। ଏହାସହ ନିକଟରେ କେନ୍ଦ୍ର ସରକାର ମଧ୍ୟ ଘରେ ସଙ୍ଗରୋଧରେ ରହିବା ଲାଗି ନିର୍ଦେଶାବଳୀ ଜାରି କରିଛନ୍ତି। ତେଣୁ ଏସବୁକୁ ନଜରରେ ରଖି ପ୍ରବାସୀ ଓଡ଼ିଆଙ୍କ ପାଇଁ ସଙ୍ଗରୋଧ ଅବଧିରେ ପରିବର୍ତ୍ତନ କରାଯାଇଛି। ଅସ୍ଥାୟୀ କ୍ୟାମ୍ପ୍‌ରେ ୨୧ଦିନ ସଙ୍ଗରୋଧ ରହିବା ସମୟରେ ଯଦି ସଂପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ, ତାହାଲେ ତାଙ୍କୁ ୭ଦିନ ଘରେ ସଙ୍ଗରୋଧରେ ରହିବା ଲାଗି ଅନୁମତି ଦିଆଯିବ। ଘରେ ସଙ୍ଗରୋଧରେ ରହିବା ସମୟରେ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଜାରି ଏସ୍‌ଓପିକୁ ପାଳନ କରିବାକୁ ହେବ। ଯଦି କୌଣସି ଲୋକ ଏଥିରେ କୌଣସି ପ୍ରକାର ଉଲ୍ଲଂଘନ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସଙ୍ଗରୋଧ କେନ୍ଦ୍ରରେ ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ। ସଙ୍ଗରୋଧ କେନ୍ଦ୍ରରେ ପଢ଼ାପଢ଼ି, ଯୋଗ, ଟିଭି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ମଧ୍ୟ ରହିବ। ତେବେ ସଙ୍ଗରୋଧ କେନ୍ଦ୍ରକୁ ଲୋକମାନେ ଜେଲ୍‌ ବୋଲି ନ ଭାବି ଏହାକୁ ଏନ୍‌ଏସ୍‌ଏସ୍‌ କିମ୍ବା ଏନ୍‌ସିସି କ୍ୟାମ୍ପ ଭଳି ଉପଯୋଗ କରି‌ପାରିବେ। ସଙ୍ଗରୋଧରେ ରହିବା ସମୟରେ ଲୋକମାନେ ଚାହିଁଲେ ଉନ୍ନୟନ କାର୍ଯ୍ୟରେ ନିଜକୁ ସାମିଲ କରି‌ପାରିବେ। ଇଚ୍ଛୁକ ବ୍ୟକ୍ତିମାନଙ୍କୁ ୧୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ଦିନକୁ ୧୫୦ ଟଙ୍କା ଦିଆଯିବ। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ସଙ୍ଗରୋଧ କେନ୍ଦ୍ରକୁ ଅଧିକ ସୁରକ୍ଷିତ କରିବା ଲାଗି ସିସିଟିଭି ଲଗାଯିବା ସହିତ ଏସବୁ ସ୍ଥାନରେ ୧୪୪ ଧାରା ଜାରି କରାଯିବ। ଏହାସହ ଆଗାମୀ ଦିନରେ ଅଧିକ ସଂଖ୍ୟାରେ କୋଭିଡ୍‌ ‌କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ନ ଥିବା ବ୍ୟକ୍ତିମାନଙ୍କୁ ସେଠାରେ ରଖି ଚିକିତ୍ସା କରାଯିବ। ଫଳରେ କୋଭିଡ ହସ୍ପିଟାଲରୁ ଚାପ କମି ପାରିବ। ଏହାସହ ରାଜ୍ୟ ସରକାର ମାନବସମ୍ବଳକୁ ମଧ୍ୟ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର