ପ୍ରବାସୀ ଫେରନ୍ତାଙ୍କ ସଂଗରୋଧର ଅବଧି ୨୮ ଦିନକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରବାସୀ ଫେରନ୍ତାଙ୍କୁ ଏଣିକି ୧୪ ଦିନ ବଦଳରେ ୨୮ ଦିନ ଯାଏଁ ସଂଗରୋଧରେ ରହିବାକୁ ପଡ଼ିବ । ରାଜ୍ୟ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କାରଣ ୧୪ ଦିନର କ୍ୱାରେଣ୍ଟାଇନ ମଧ୍ୟରେ ରୋଗର ଲକ୍ଷଣ ଜଣାପଡୁ ନାହିଁ । ଏହି ୨୮ ଦିନ ମଧ୍ୟରୁ ୨୧ ଦିନ ସଂଗରୋଧରେ ଦିନ ବିତାଇବାକୁ ପଡ଼ିବ । କିନ୍ତୁ ବାକି ୭ ଦିନ ଘରେ ସଙ୍ଗରୋଧ ପାଳନ କରିବାକୁ ହେବ । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି ।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ୨୧ ଦିନପରେ ପ୍ରବାସୀ ୭ ଦିନ ଘରେ ରହି ସଂଗରୋଧ ନିୟମ ପାଳନ କରିବେ । ସଂଗରୋଧ କେନ୍ଦ୍ରକୁ ବାହାର ଲୋକ ଯାଇପାରିବେ ନାହିଁ । ସଂଗରୋଧ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ ଏବଂ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଶ୍ରୀ ବାଗଚୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ୨୧ ଦିନ ସଂଗରୋଧରେ ରହିବା ପ୍ରବାସୀମାନଙ୍କ ମନକୁ ବିଚଳିତ କରିପାରେ । ଏହି ସମୟକୁ ନେଇ କିଛି ପ୍ରବାସୀ ବିରକ୍ତି ପ୍ରକାଶ ମଧ୍ୟ କରିପାରନ୍ତି । କିନ୍ତୁ ଏହା ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଭଲ । ଆମେ ପାଠ ପଢ଼ିବା ସମୟରେ ବିଭିନ୍ନ କ୍ୟାମ୍ପରେ ଦିନ ବିତାଇଛେ । ଯଥା ଏନସିସି ଓ ଏନସିସି ଶିବିରରେ ଆମକୁ ରହିବାକୁ ପଡ଼ିଛି । ଶିବିରରେ ଥିବା ସମୟ ମଧ୍ୟରେ ଘର କଥା ଭାବିବାକୁ ନ ଥିଲା । ଶିବିରରେ ଆମକୁ ବଭିନ୍ନ ବିକାଶ ମୂଳକ କାମ କରିବାକୁ ପଡୁଥିଲା ।

ଶ୍ରୀ ବାଗଚୀ କହିଛନ୍ତି, ସଂଗରୋଧରେ ଥାଇ ଯୋଗ କରିହେବ ଏବଂ ଟିଭି ମଧ୍ୟ ଦେଖିହେବ । ସରକାର ଚାହୁଁଛନ୍ତି ଯେ, ସଂଗରୋଧରେ ରହୁଥିବା ଲୋକେ ବିକାଶମୂଳକ କାମ କରନ୍ତୁ । ଇଚ୍ଛୁକ ବ୍ୟକ୍ତି କାମ କରିପାରିବେ । ସ୍କୁଲର କାମ କରିପାରିବେ । ଗଛ ଲଗାଇପାରିବେ, ରଙ୍ଗାକାମ କରିପାରିବେ । ଯେଉଁମାନେ ଠିକ ଭାବେ କାମ କରିିବେ ସେମାନଙ୍କୁ ୧୫୦ ଟଙ୍କା ଦୈନିକ ପାରିଶ୍ରମିକ ମିଳିବ । ପ୍ରତିଟି ଲୋକଙ୍କୁ ୧୦ ଦିନ କାମ ଦିଆଯିବ । ଠିକ ଭାବରେ କାମ କରିଥିବା ଲୋକଙ୍କ ୨୦୦୦ ଟଙ୍କା ବ୍ୟତୀତ ଏହି ପାରିଶ୍ରମିକ ପାଇବେ ।

ସମ୍ବନ୍ଧିତ ଖବର