ନୀଳଗିରିରେ ପଶିଲେ ୨୮ ଝାଡ଼ଖଣ୍ତୀ ହାତୀ

ନୀଳଗିରି: ମୟୂରଭଂଜ ଓ ବାଲେଶ୍ବରରେ ଝାଡ଼ଖଣ୍ଡୀ ହାତୀ। ହାତୀଙ୍କ ଉପସ୍ଥିତି ଏବେ ଉଭୟ ଜିଲ୍ଲାର ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରୁ ମୟୂରଭଞ୍ଜ ଜିଲ୍ଲାକୁ ୩୧ରୁ ଅଧିକ ଝାଡ଼ଖଣ୍ତୀ ହାତୀ ପଶିଛନ୍ତି। ହାତୀପଲ ୧୭ ତାରିଖ ରାତିରେ ସାରିଆରୁ ବାହାରି ଜାତୀୟ ରାଜପଥ ଓ ରେଳଧାରଣା ଡେଇଁବା ସହ ବେତନଟୀ ବ୍ଲକ୍‌ ନଡ଼ପୁର ରିଜର୍ଭ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ତେବେ ସେଠାରୁ ୨୮ଟି ହାତୀ ଗତକାଲି ରାତିରେ ନୀଳଗିରି ମୁହାଁ ହୋଇଥିଲେ। ହାତୀମାନେ ସୋନ ନଦୀ ପାର ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ପଲରୁ ଅଲଗା ହୋଇଯାଇଥିବା ଗୋଟିଏ ଦନ୍ତା ଓ ଦୁଇଟି ମାଈ ହାତୀ ଗତକାଲି ରାସଗୋବିନ୍ଦପୁର ରେଞ୍ଜ ଅଧୀନ ବାଘଝରଣ ନିକଟରେ ଥିବା ବେଳେ ଆଜି ଅସନବଣି ଜଙ୍ଗଲରେ ପହଂଚିଥିଲେ। ସେଠାରେ ଗୋଟିଏ ମାଈହାତୀ ଆକ୍ରମଣରେ ଗୋରୁ ଚରାଇବାକୁ ଯାଇଥିବା ବୃଦ୍ଧ ନରେନ୍ଦ୍ର ସିଂ (୬୫) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର