ରାଇବଣିଆରେ ୨୮ ହାତୀଙ୍କ ଉତ୍ପାତ

ଜଳେଶ୍ଵର/ଓଲମରା: ସୋମବାର ଭୋର ସମୟରେ ଜଳେଶ୍ଵର ବ୍ଲକ ଅଧୀନସ୍ଥ ରାଇବଣିଆ ଅଞ୍ଚଳକୁ ପଶ୍ଚିମବଙ୍ଗ ପଟୁ ୨୮ ଟିକିଆ ହାତୀପଲ ପ୍ରବେଶ କରିଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

ହାତୀପଲ ଲୁହାପଡ଼ା କ୍ରସର ପାଖ ଦେଇ ରାଇବଣିଆ ଅଞ୍ଚଳକୁ ପ୍ରବେଶ କରିଥିବା ବେଳେ ଆମ୍ବତୁମ୍ବା, ଦୁଧିଆଶୋଳ ଓ ରଙ୍ଗାମାଟିଆ ଜଙ୍ଗଲରେ ରହିଥିଲେ। ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଘାସମାରୀ ଜଙ୍ଗଲ ଓ ପରେ କଳମା ପଞ୍ଚାୟତର ପ୍ରସାଦଶୋଳ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଫଳରେ ଏହାକୁ ଲାଗିଥିବା ଶାଳବଣି, ବରଡ଼ିହା, ସରଡ଼ିହା, ଗୋକୁଣ୍ଡି ଓ ରାଇବଣିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀପଲରେ ୨ଟି ଦନ୍ତା,୧୮ଟି ମାଈ ଓ ୮ଟି ଛୁଆ ହାତୀ ରହିଥିବା ବନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି।

ହାତୀପଲକୁ ଘଉଡ଼ାଇବା ପାଇଁ ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଜଳେଶ୍ଵର ରେଞ୍ଜର ସରୋଜ ମହାନ୍ତି ଦୁଇଟି ଟିମ ଗଠନ କରିଛନ୍ତି। ପ୍ରଥମ ଟିମରେ ୭ ଜଣ ରହିଥିବା ବେଳେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଅଶ୍ବିନୀ ଦାସ ଓ ଫରେଷ୍ଟର ବିବେକାନନ୍ଦ ଜେନା ଏହାର ନେତୃତ୍ବ ନେଉଛନ୍ତି। ସେହିପରି ୧୦ ଜଣିଆ ଦ୍ବିତୀୟ ଟିମର ଫରେଷ୍ଟ ଗାର୍ଡ ଦୁଷ୍ମନ୍ତ ଜେନା ନେତୃତ୍ବ ନେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର