ସରକାରୀ ଉଦ୍ୟୋଗ ବୁଡ଼ାଇଦେଲେ, ୨୮ଟିରେ ତାଲା ଝୁଲିଲାଣି

ସଂସ୍ଥାକୁ ବୁଡ଼ାଉଥିବା ଅପାରଗ ବାବୁଙ୍କୁ ମାଫ୍‌, ବାକି ସଂସ୍ଥାରେ ଅର୍ଦ୍ଧାଧିକ ପଦବି ଖାଲି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଉଦ୍ୟୋଗଗୁଡ଼ିକର ବିକଳ ସ୍ଥିତି ଜଳ ଜଳ ହୋଇ ଦେଖାଗଲାଣି। ବିଭିନ୍ନ ସମୟରେ ପରିଚାଳନାଗତ ତ୍ରୁଟି, କିଛି ଅଧିକାରୀଙ୍କ ମନମାନି, ପ୍ରିୟାପ୍ରୀତି ତୋଷଣ ପାଇଁ ୨୮ଟି ସଂସ୍ଥାରେ ତାଲା ଝୁଲିସାରିଲାଣି। ଆଉ ‌ଯେତିକି ଅଛି, ସେଥିରୁ ଅଧିକାଂଶ ସଂସ୍ଥାରେ ଅର୍ଦ୍ଧାଧିକ ପଦବି ଖାଲି। ଲାଭରେ ଚାଲୁଥିଲେ ବି ତାହାକୁ ଅଧିକ ଗତିଶୀଳ କରାଇବା ପାଇଁ କୌଣସି ସ୍ତରରେ ଆଗ୍ରହ ପ୍ରକାଶ ପାଉ ନାହିଁ। ଏପରିକି ଏବେ ଓଟିଡିସି ପରି ଲାଭରେ ଥିବା ସଂସ୍ଥାକୁ ମଧ୍ୟ ଦେବାଳିଆ କରିବାକୁ କିଛି ଅଧିକାରୀ ମାତିଛନ୍ତି।

ବନ୍ଦ ହୋଇଥିବା ୨୮ଟି ଉଦ୍ୟୋଗ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ବନ୍ଦ ହୋଇଯାଇଛି। ସେହି ସଂସ୍ଥାଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇ ନାହିଁ। ଓଟିଏମ୍‌ ଓ କୋଣାର୍କ ଟିଭି ପରି କିଛି ଉଦ୍ୟୋଗ ଏକ ସମୟରେ ଓଡ଼ିଶାର ପରିଚୟ ସାଜିଥିଲେ। ସେଠାରୁ ଉତ୍ପାଦନ ହେଉଥିବା ଟିଭି ଓ କପଡ଼ାର ଚାହିଦା କେବଳ ଓଡ଼ିଶା ଭିତରେ ନୁହେଁ, ବାହାରେ ବି ଥିଲା। କିନ୍ତୁ ପରିଚାଳନାଗତ ଚରମ ବିଶୃଙ୍ଖଳା ଯୋଗୁ ତାହା ୨୦ ବର୍ଷ ହେଲା ବନ୍ଦ ହୋଇପଡ଼ିଛି।

ବିଧାନସଭାରେ ବିଭିନ୍ନ ସମୟରେ ଓଟିଏମ୍‌ର ପୁନରୁଦ୍ଧାର ନେଇ ତମ୍ବିତୋଫାନ ହୋଇଛି। ସରକାର ପଦକ୍ଷେପ ନେବେ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ କିଛି ଫଳ ମିଳି ନାହିଁ। ଏପରିକି ଓଟିଏମ୍‌ର ସବୁ ମେସିନ୍ ଦୀର୍ଘ ବର୍ଷ ବନ୍ଦ ହୋଇପଡ଼ିଥିବାରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଆଇନଗତ ଆଳ ଦେଖାଇ ତାହାର ଅକ୍ସନ୍ କରାଯାଉନି। ଶିଳ୍ପାୟନ ପଛରେ ସରକାର ଧାଉଁଥିଲା ବେଳେ ଓଟିଏମ୍‌ ପରି ଉଦ୍ୟୋଗକୁ ପୁନରୁଦ୍ଧାର କରି ପୁଣି ଥରେ ତାହାକୁ ଓଡ଼ିଶାର ବ୍ରାଣ୍ଡ୍‌ ଭାବେ ଉପସ୍ଥାପିତ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏହା ସରକାରୀ ବ୍ୟବସ୍ଥାର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଉଛି। କେବଳ କୋଣାର୍କ ଟିଭି ଓ ଓଟିଏମ୍ ନୁହେଁ, ସରକାରୀ ଉଦାସୀନତା, ସମୟୋପ‌ଯୋଗୀ ପଦକ୍ଷେପର ଅଭାବ ଯୋଗୁ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସରକାରୀ ଉଦ୍ୟୋଗ ବନ୍ଦ ହୋଇଯାଇଛି। କୌଣସି ଉଦ୍ୟୋଗକୁ ସକ୍ଷମ କରାଯିବା ପାଇଁ ସରକାରଙ୍କର ବର୍ତ୍ତମାନ ପ୍ରସ୍ତାବ ନାହିଁ ବୋଲି ନିଜେ ସରକାରୀ ଊଦ୍ୟୋଗ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ଯଦି ସଂପୃକ୍ତ ପ୍ରଶାସନିକ ବିଭାଗରୁ ପ୍ରସ୍ତାବ ହସ୍ତଗତ ହୁଏ, ତେବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ମୂଳ ବିଭାଗଗୁଡ଼ିକ ଏ ଦିଗରେ ଆଦୌ ଆନ୍ତରିକତା ପ୍ରକାଶ କରୁ ନାହାନ୍ତି କି ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦେଉ ନାହାନ୍ତି।

ଆଶ୍ଚର୍ଯ୍ୟର କଥା ଯେଉଁ ଅଧିକାରୀମାନଙ୍କ ଅପାରଗତା ପାଇଁ ଗୋଟିଏ ପରେ ଗୋଟିଏ ଉଦ୍ୟୋଗ ବନ୍ଦ ହେଲା, ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ କି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଅନ୍ୟ ସରକାରୀ ଉଦ୍ୟୋଗକୁ ବନ୍ଦ କରିବା ପାଇଁ ବାବୁମାନେ ସାହସର ସହ ଚକ୍ରାନ୍ତ କରୁଛନ୍ତି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏହାର ଏକ ବଡ଼ ଉଦାହରଣ। କିଛି ବର୍ଷ ହେଲା ଲାଭରେ ଚାଲୁଥିବା ଏହି ସଂସ୍ଥାର ଲାଭକୁ ବହୁଗୁଣିତ କରିବାକୁ ବିଭାଗୀୟ ଅଧିକାରୀମାନେ ସର୍ବନିମ୍ନ ଉଦ୍ୟମ ବି କରୁ ନାହାନ୍ତି। ବରଂ ଏହାର କିଛି ଲାଭଜନକ ପାନ୍ଥନିବାସକୁ ଘରୋଇ ସଂସ୍ଥାକୁ ଟେକି ସରକାରଙ୍କର କି ଲାଭ କରାଉଛନ୍ତି, ତାହା ବୁଝା ପଡ଼ୁ ନାହିଁ।

ସରକାରୀ ଊଦ୍ୟୋଗ ପରିଚ‌ାଳନାରେ ତ୍ରୁଟି ଏତିକିରେ ସୀମିତ ରହି ନାହିଁ। ବର୍ତ୍ତମାନ ସରକାରଙ୍କ ୩୬ଟି ଉଦ୍ୟୋଗ କାର୍ଯ୍ୟକ୍ଷମ ଅଛି। ତାହା ମଧ୍ୟରୁ ଅଧିକାଂଶ ଲାଭରେ ଚାଲିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ଏଗୁଡ଼ିକ ପ୍ରମୁଖ ଭୂମିକା ନେଉଛନ୍ତି। କିନ୍ତୁ ଲାଭରେ ଚାଲୁଥିବା କିଛି ସଂସ୍ଥାରେ ମଞ୍ଜୁରୀପ୍ରାପ୍ତ ପଦବିର ଅଧାରୁ ଅଧିକ ଖାଲି ପଡ଼ୁଛି। ସେଗୁଡ଼ିକ ପୂରଣ କରି ଉଦ୍ୟୋଗକୁ ଅଧିକ ଗତିଶୀଳ ଓ ଲାଭଜନକ କରିବା ପାଇଁ ଠୋସ୍ ପଦକ୍ଷପ ନିଆଯାଉ ନାହିଁ। ଓଡ଼ିଶା କୃଷି ଶିଳ୍ପ ନିଗମରେ ଏବେ ୧୨୫ କର୍ମଚାରୀ ଥିଲା ବେଳେ ୪୯୦ ମଞ୍ଜୁରୀପ୍ରାପ୍ତ ପଦବି ଖାଲି ପଡ଼ିଛି। ରାଜ୍ୟ ବିହନ ନିଗମରେ ୮୮ ଜଣ କର୍ମଚାରୀ ଏବେ କାର୍ଯ୍ୟ କରୁଥିଲା ବେଳେ ୯୮ ପଦବି ଖାଲି ପଡ଼ିଛି। ସରକାରଙ୍କ ସର୍ବାଧିକ ଲାଭକାରୀ ଉଦ୍ୟୋଗ ଓଏମ୍‌ସିରେ ଏକ ହଜାରରୁ ଅଧିକ ପଦବି ଖାଲି ପଡ଼ିଛି। ରାଜ୍ୟ ସଡ଼କ ପରିବହନ ନିଗମରେ ୧୩୫୧, ଉଠା ଜଳସେଚନ ନିଗମରେ ୭୩୭, ପଣ୍ୟାଗାର ନିଗମରେ ୧୫୭, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମରେ ୧୩୩ ପଦବି ଖାଲି ପଡ଼ିଛି। ଯଦି ମଞ୍ଜୁରୀପ୍ରାପ୍ତ ପଦବିର ଆବଶ୍ୟକତା ନାହିଁ ବୋଲି ସରକାର ଅନୁଭବ କରୁଛନ୍ତି, ତେବେ ତାହାକୁ କାହିଁକି ଉଚ୍ଛେଦ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି। ବର୍ତ୍ତମାନ ସରକାରୀ ଖାତାରେ ୩୬ଟି କାର୍ଯ୍ୟକ୍ଷମ ଉଦ୍ୟୋଗର ନାମ ଗଡ଼ୁଥିଲେ ମଧ୍ୟ ସେଥିରୁ ୩/୪ଟି ସଂସ୍ଥା ସବୁଦିନ ପାଇଁ ତାଲା ପଡ଼ିବା ଅପେକ୍ଷାରେ ଅଛନ୍ତି। ସେସବୁର ପରିଚାଳନାଗତ ଅପାରଗତାର କାରଣ ଖୋଜା ଯାଉ ନାହିଁ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ୧୧ଟି ସରକାରୀ ଊଦ୍ୟୋଗରେ ରାଜନୈତିକ ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅବଶିଷ୍ଟ ଉଦ୍ୟୋଗରେ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର୍‌ମାନେ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର