ଘସିପୁରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ଆକାଉଣ୍ଟକୁ ୨୮ ଲକ୍ଷ ଚାନ୍ଦା!

ପିସି ପ୍ରସଙ୍ଗରେ ପ୍ରଶାସନ ଚୁପ୍‌, ମୋ ଜୀବନ ପ୍ରତି ବିପଦ ଅଛି: ଠିକାଦାର

କେନ୍ଦୁଝର/ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ରେ ଦୁର୍ନୀତି, ଅନିୟମିତତା ଚରମ ସୀମାରେ ପହଞ୍ଚିଛି। ପିସି ନ ଦେଲେ ଫାଇଲ୍‌ ଇଞ୍ଚେ ବି ଘୁ‌ଞ୍ଚୁନି। ଖୋଦ୍‌ ବ୍ଲକ୍‌ ଅଧ୍ୟକ୍ଷା ସୁଜାତା ସାହୁଙ୍କ ଆକାଉଣ୍ଟକୁ ଠିକାଦାର ଦୀପକ ବେହେରା ୨୮ ଲକ୍ଷ ଟଙ୍କା ପଠାଇଥିଲେ। ବିଭିନ୍ନ ଠିକାକାମ ବାବଦକୁ ଚାନ୍ଦା ଦେଇଥିବା ଅଭିଯୋଗ ଆଣିଲେ। ଏହି କାରବାର ଉପରେ ପ୍ରଶାସନ ତଦନ୍ତ ଆରମ୍ଭ କରିବା ବଦଳରେ ଆଶ୍ଚର୍ଯ୍ୟଜନକ ନିରବତା ଅବଲମ୍ବନ କରିଛି। ଅପରପକ୍ଷରେ ଏହି ଖବର ପ୍ରକାଶ ପାଇବା ପରେ ଆଜି ସଂପୃକ୍ତ ଠିକାଦାର ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଅପରପକ୍ଷରେ ଘସିପୁରା ବ୍ଲକ୍‌ ସଂପୂର୍ଣ୍ଣ ୨୮ ଲକ୍ଷ ଟଙ୍କାର ଚାନ୍ଦା ବ୍ଲକ୍‌ ଅଧ୍ୟକ୍ଷା ନେଇଛନ୍ତି ନା ତାଙ୍କୁ ମୋହରା କରି ଅନ୍ୟକେହି ପ୍ରଭାବଶାଳୀ ନେତା ଏହି କାରବାରରେ ସଂପୃକ୍ତ ଅଛନ୍ତି ବୋଲି ପ୍ରଶ୍ନ ଉଠୁଛି। ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଏହି ପ୍ରସଙ୍ଗ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଘସିପୁରା ବ୍ଲକର ଠିକାଦାର ଦୀପକ ବେହେରା କହିଛନ୍ତି ଯେ, ସେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଆରଏମ୍‌ସିର ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କାର ଠିକାକାମ କରିଥିଲେ। ଏହିକାମ ପାଇଁ ତାଙ୍କ ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁଙ୍କ ସ୍ବାମୀ ତଥା ବିଜେଡ଼ି ନେତା ବାବନ ସାହୁ ତାଙ୍କୁ ଚାନ୍ଦା (ପିସି) ମାଗିଥିଲେ। ପ୍ରଥମେ ୫୦ ଲକ୍ଷ ଟଙ୍କା କହିଥିଲେ। କଥାବାର୍ତ୍ତା ପରେ ୩୦ ଲକ୍ଷ ଟଙ୍କା ଦେବାକୁ ଧାର୍ଯ୍ୟ କରିଥି‌ଲେ। ଏହି ବାବଦକୁ ଗତ ୨୦୨୦ ଜାନୁଆରି ୧୬ ତାରିଖରେ ୨୮ଲକ୍ଷ ଟଙ୍କା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ସାହୁଙ୍କ ଆକାଉଣ୍ଟକୁ ପଠାଇଥିଲେ ବୋଲି କହିଛନ୍ତି। ଏହି ପିସି କାରବାର କୌଣସି କାରଣରୁ ଦୁଇଦିନ ପୂର୍ବେ ପ୍ରଘଟ ହୋଇଥିଲା। ତେବେ ଚାନ୍ଦା ଅଭିଯୋଗକୁ ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ଖଣ୍ଡନ କରିଥିଲେ।
ସାଧାରଣତଃ ଜଣେ ଠିକାଦାର ବ୍ଲକ ଅଧ୍ୟକ୍ଷାଙ୍କୁ ଏତେ ପରିମାଣରେ ପିସି ଦେବା ଘଟଣାରେ ପ୍ରଶାସନ ତତ୍ପର ହେବା କଥା। ଏ ଦିଗରେ ତଦନ୍ତ କରାଇ ଏଭଳି ସଂଗିନ ଅଭିଯୋଗର ସତ୍ୟତା ଜାଣିବାକୁ ଚେଷ୍ଟା କରାଯିବା କଥା। ମାତ୍ର ଏପର୍ଯ୍ୟନ୍ତ ପ୍ରଶାସନ ନିରବ ରହିଛି। ସେହିପରି ପିସି ଆଦାୟ ଭଳି ଏକ ସମ୍ବେଦନଶୀଳ ଅଭିଯୋଗ ହୋଇଥିବାରୁ ନିଜ ତରଫରୁ ଘଟଣାର ଯାଞ୍ଚ ପାଇଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାହୁ ମଧ୍ୟ ପ୍ରଶାସନକୁ ଅନୁରୋଧ କରି ନାହାନ୍ତି। ଏଭଳି ସ୍ଥିତିରେ ଠିକାଦାର ଦୀପକ ବେହେରା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତାଙ୍କ ପରିବାରବର୍ଗ ଜୀବନ ପ୍ରତି ବିପଦ ରହିଥିବା ସେ କହିଛନ୍ତି।

ଅପରପକ୍ଷରେ ଗତ କିଛିଦିନ ‌ଧରି କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗରେ ବହୁ ଠିକାଦାର ଜାଲ୍‌‌ କାଗଜପତ୍ର ଦେଇ ଟେଣ୍ଡର ହାତେଇଥିବା ଘଟଣା ପଦାକୁ ଆସିବାରେ ଲାଗିଛି। ଏହି ମାମଲାରେ ଜଣେ ଠିକାଦାର ଗିରଫ ହୋଇଥିବା ବେଳେ ବହୁଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ରାଜନେତାଙ୍କ ଚାପରେ ବିଭାଗୀୟ ଯନ୍ତ୍ରୀମାନେ ଜାଲ୍‌ ଦସ୍ତାବିଜକୁ ଅଣଦେଖା କରୁଥିଲେ ବୋଲି ଅଭିଯୋଗ ଉଠୁଛି।

ସମ୍ବନ୍ଧିତ ଖବର