ସୁନ୍ଦରଗଡ଼: ବଢୁଛି ତାତି ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡ଼ରେ ଅଂଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ।
ଅସମ୍ଭାଳ ହେଲାଣି ତାତି, ଅସ୍ୱାଭାବିକ ହେଲାଣି ଜୀବନଶୈଳୀ। ପାରଦ ଯେତିକି ଉପରମୁହାଁ ହେଉଛି ଅଶଂଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବଢ଼ିଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ କେଶ୍ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ୍ ୨୮ ଜଣ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ସରକାରୀ ମେଡିକାଲରେ ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ଜିଲ୍ଲାର ପିଏଚସି ସ୍ତରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ୱାର୍ଡ କରାଯାଇ ଚିକିତ୍ସା ଚାଲିଛି । ପିଏଚସିରେ ଗୋଟିଏ ଲେଖାଏଁ ୱାର୍ଡ, ସିଏଚସିରେ ଦୁଇଟି ଲେଖାଏଁ ୱାର୍ଡ, ସବଡିଭିଜନ ସ୍ତରୀୟ ମେଡିକାଲରେ ୪ ଟି ଲେଖାଏଁ ୱାର୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି ୱାର୍ଡ ସହ ଏସି, କୁଲରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହ ୨୪ ଘଣ୍ଟିଆ ଡାକ୍ତର ରହିଛନ୍ତି ଏବଂ ଔଷଧ ଏବଂ ଓଆରଏସ ମହଜୁଦ ରଖାଯାଇଛି। ଲୋକେ ଏହି ଅଂଶୁଘାତରୁ ବଞ୍ଚିବା ପାଇଁ କଣ କରିବେ, କଣ କରିବେ ନାହିଁ, ସେଥିପାଇଁ ଆଶାକର୍ମୀମାନଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି। ଏନେଇ ସୁଚନା ଦେଇଛନ୍ତି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ କାହ୍ନୁ ଚରଣ ନାୟକ।