ଓଡ଼ିଶା ଜଙ୍ଗଲରେ ୨୮ ମହାବଳ, ୪ ବର୍ଷରେ ଓଡ଼ିଶାରେ ଗୋଟିଏ ବି ବଢ଼ିଲେନି

ଶିମିଳିପାଳରେ ୧୨, ସାତକୋଶିଆରେ ଗୋଟିଏ, ଦେଶରେ ୨୯୬୭ ବାଘ, ମଧ୍ୟପ୍ରଦେଶରେ ସର୍ବାଧିକ

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶା‌ରେ ୨୮ଟି ମହାବଳ ବାଘ ରହିଛନ୍ତି। ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ୧୮ଟି ବାଘ ରହିଥିବା ବେଳେ ଓଡ଼ିଶାର ଅନ୍ୟାନ୍ୟ ବନ୍ୟପ୍ରାଣୀ ଡିଭିଜନ୍‌ ଓ ଅଭୟାରଣ୍ୟରେ ବି ବାଘ ରହିଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ୧୨ଟି ବାଘ ଚଳପ୍ରଚଳ ହେଉଥିବା ବେଳେ ୮ଟି ବାଘ ରହିଥିବା କ୍ୟାମେରାରେ କଏଦ୍‌ ହୋଇଛି। ସାତକୋଶିଆରେ ମାତ୍ର ଗୋଟିଏ ବାଘ ରହିଛି ବୋଲି ୨୦୧୮ ବ୍ୟାଘ୍ର ଗଣନା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟକୁ ବିସ୍ତୃତ ଭାବେ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଓଡ଼ିଶାରେ ବା‌ଘ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଉଛି। ୨୦୦୬ ବ୍ୟାଘ୍ର ଗଣନା ଅନୁଯାୟୀ, ଓଡ଼ିଶାରେ ୪୫ଟି ବାଘ ରହିଥିଲେ। ପରବର୍ତୀ ସମୟରେ ୨୦୧୦ ଗଣନାରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ରେ ୨୮ଟି ବାଘ ରହିଥିବା ବେଳେ ୨୦୧୮ ବ୍ୟାଘ୍ର ଗଣନା ରିପୋର୍ଟରେ ବି ୨୮ଟି ବାଘ ରହିଛନ୍ତି। ଗୋଟିଏପଟେ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ସ୍ଥିର ରହିବାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ଟି ବାଘ ରହିଥିବା ବେଳେ କର୍ଣ୍ଣାଟକରେ ୫୨୪, ଉତ୍ତରାଖଣ୍ଡରେ ୪୪୨, ମହାରାଷ୍ଟ୍ରରେ ୩୧୨, ତାମିଲନାଡ଼ୁରେ ୨୬୪, କେରଳ ଓ ଆସାମରେ ୧୯୦ଟି ଲେଖାଏଁ, ଉତ୍ତରପ୍ରଦେଶରେ ୧୭୩, ସୁନ୍ଦରବନରେ ୮୮ରେ ବାଘ ରହିଛନ୍ତି। ଓଡ଼ିଶା ସମେତ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ବାଘଙ୍କ ସଂଖ୍ୟା ହ୍ରାସ ସବୁଠାରୁ ବଡ଼ ଚିନ୍ତାର ବିଷୟ ହୋଇଛି। ବାଘବଂଶ ବୃଦ୍ଧି ଲାଗି ଯୋଜନା ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନ ଥିବା ରିପୋର୍ଟରେ କୁହାଯାଇଛି।

ଓଡ଼ିଶାରେ ବାଘଙ୍କ ସ୍ଥିତିକୁ ଦେଖିଲେ ଶିମିଳିପାଳ ଅଭୟାରଣ୍ୟରେ ଥିବା ୮ଟି ବାଘଙ୍କ ମଧ୍ୟରୁ ଗୋଟିଏ ମେଲ୍‌(ଅଣ୍ଡିରା) ବାଘ ଥିବା ବେଳେ ୭ଟି ଫିମେଲ୍‌(ମାଈ) ପ୍ରଜାତିର ରହିଛନ୍ତି। ବ୍ୟାଘ୍ର ଗଣନା ଲାଗି ଏହି ଅଭୟାରଣ୍ୟରେ ୧୪୧ଟି କ୍ୟାମେରା ପଏଣ୍ଟ ଲଗାଯାଇଥିଲା। ସେହିପରି ସାତକୋଶିଆ ଅଭୟାରଣ୍ୟରେ ୬୮ଟି କ୍ୟାମେରା ପଏଣ୍ଟ ଲଗାଯାଇ ବ୍ୟାଘ୍ର ଗଣନା ହୋଇଥିଲା। ଅଭୟାରଣ୍ୟରେ ଗୋଟିଏ ବାଘ ରହିଛି, ଯାହାକି ୪ଥର କ୍ୟାମେରା ଟ୍ରାପ୍‌କୁ ଆସିଥିଲା। ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ୩୩ଟି କ୍ୟାମେରା ପଏଣ୍ଟ ଲଗାଯାଇ ବ୍ୟାଘ୍ର ଗଣନା ହୋଇଥିଲା। ସେଠାରେ ଗୋଟିଏ ବାଘ ଚିହ୍ନଟ ହୋଇଛି। ବାଘ ପୁନରୁଦ୍ଧାରରେ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଶିମିଳିପାଳରେ ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳିଛି। ବାଘ ସଂଖା ବୃଦ୍ଧି କରିବାକୁ ହେଲେ ଶିକାରୀଙ୍କ ପଞ୍ଝାରୁ ବାଘଙ୍କୁ ସୁରକ୍ଷା ଦେବାକୁ ହେବ। କୁଲଢ଼ିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ବାଘ ଚଳପ୍ରଚଳର ସମ୍ଭାବ୍ୟ କରିଡର୍‌ ହୋଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ ୨୦୧୯ ଜୁଲାଇ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ବ୍ୟାଘ୍ର ଗଣନା ରିପୋର୍ଟ-୨୦୧୮ର ସାରମର୍ମକୁ ଉନ୍ମୋଚନ କରିଥିଲେ। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉତ୍ସବରେ କେନ୍ଦ୍ର ଜଙ୍ଗଲ, ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଦ୍ବାରା ବିସ୍ତୃତ ରି‌ପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶରେ ୨୯୬୭ବାଘ ରହିଛନ୍ତି। ୨୦୦୬ରେ ଦେଶରେ ୧୪୧୧ବାଘ ରହିଥିବା ବେଳେ ୨୦୧୦ରେ ୧୭୦୬, ୨୦୧୪ରେ ୨୨୨୬ ଓ ୨୦୧୮ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଞ୍ଚିଛି। କେନ୍ଦ୍ରୀୟ ଭାରତ ଓ ପୂର୍ବଘାଟରେ ସର୍ବାଧିକ ୧୦୩୩ଟି ବାଘ ରହିଥିବା ବେଳେ ପଶ୍ଚିମଘାଟରେ ୯୮୧, ସିଭାଲିକ୍‌ ପର୍ବତ ଓ ଗାଙ୍ଗେଟିକ୍‌ ଅଞ୍ଚଳରେ ୬୪୬, ଉତ୍ତରପୂର୍ବ ପର୍ବତ ଓ ବ୍ରହ୍ମପୁତ୍ର ଅଞ୍ଚଳରେ ୨୧୯ଟି ବାଘ ରହିଛନ୍ତି। ବିଶ୍ବର ୭୦ ପ୍ରତିଶତ ବାଘ ଭାରତରେ ରହିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦକର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର