ରାଜ୍ୟରେ ୩୬ଟି ସରକାରୀ ଉଦ୍ୟୋଗ କାର୍ଯ୍ୟକ୍ଷମ ଅଛି, ୨୮ଟି ବନ୍ଦ ହୋଇଯାଇଛି : ମନ୍ତ୍ରୀ

ଅଡିଟ୍‌ ହୋଇ ନ ଥିବା ୫ଟି ଉଦ୍ୟୋଗକୁ ତାଗିଦ୍

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସମୟରେ ୬୪ଟି ସରକାରୀ ଉଦ୍ୟୋଗ ଗଢ଼ାଯାଇଛି। କିନ୍ତୁ ସେଥିରୁ ୨୮ଟି ପରିଚାଳନାଗତ ତ୍ରୁଟି ଓ କ୍ରମାଗତ କ୍ଷତି ଯୋଗୁ ବନ୍ଦ ହୋଇଯାଇଛି। ବର୍ତ୍ତମାନ ୩୬ଟି ସାଧାରଣ ଉଦ୍ୟୋଗ କାର୍ଯ୍ୟକ୍ଷମ ଅଛି। ତାହା ମଧ୍ୟରୁ ୨୩ଟି ଲାଭଜନକ ସଂସ୍ଥା। ଆଜି ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ସାମଲ, ମୋହନ ଚରଣ ମାଝୀ ଓ ସୁରେଶ ରାଉତରାୟଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି, କୌଣସି ବନ୍ଦ ଓ ରୁଗ୍ଣ ସଂସ୍ଥାକୁ ସରକାର ଏ ପର୍ଯ୍ୟନ୍ତ ବିକ୍ରି କରି ନାହାନ୍ତି। ଉଭୟ ସଚଳ ଓ ଅଚଳ ନିଗମ ବାବଦରେ ରାଜ୍ୟ ଉପରେ ମୋଟ ୧୩୯୨.୫୮ କୋଟି ଟଙ୍କାର ଆର୍ଥିକ ବୋଝ ଅଛି। କ୍ଷତିରେ ଚାଲୁଥିବା ଉଦ୍ୟୋଗର ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥି ନିମନ୍ତେ ଚଳିତ ବଜେଟ୍‌ରେ ୫ କୋଟି ଟଙ୍କାର ଅର୍ଥ ବରାଦ ହୋଇଛି। ବିଗତ ତିନି ବର୍ଷରେ ଏଜି ଦ୍ବାରା ଆଦୌ ଅଡିଟ୍‌ ହୋଇ ନ ଥିବା ୫ଟି ଉଦ୍ୟୋଗକୁ ତାଗିଦ୍ କରାଯାଇଛି। ଏହି ଉଦ୍ୟୋଗଗୁଡ଼ିକ ହେଲା ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା ଗ୍ରାମାଞ୍ଚଳ ଗୃହ ଉନ୍ନୟନ ନିଗମ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ କଳିଙ୍ଗ ଷ୍ଟୁଡିଓ। ତେବେ କ୍ଷତିରେ ଚାଲୁଥିବା ସରକାରୀ ଉଦ୍ୟୋଗଗୁଡ଼ିକୁ ବନ୍ଦ କରାଯିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର