ବାଲେଶ୍ବର / ଭଦ୍ରକ / ସୋର / ବାହାନଗା : ଓଡ଼ିଶାରେ ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା। ଦେଶର ଚତୁର୍ଥ ସର୍ବବୃହତ ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ବିଶ୍ବ ସ୍ତବ୍ଧ। ବୁଲେଟ୍ ଟ୍ରେନ୍ ଦୌଡ଼ ସ୍ବପ୍ନ ଦେଖୁଥିବା ଭାରତ ପାଇଁ ଝଟକା ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ସତ୍ତ୍ବେ ଏଭଳି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିବ, ଏହାକୁ କେହି ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି। ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଛନ୍ତି ବୋଲି ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଏହାଠାରୁ ଢେର ଅଧିକ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଦୁର୍ଘଟଣାସ୍ଥଳରେ ହୃଦୟବିଦାରକ ଦୃଶ୍ୟ। ଚାରି‌ଆଡ଼େ ଟ୍ରେନର ବଗିଗୁଡ଼ିକ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି। ରେଳଧାରଣା ପାଖରେ ଶବର ଧାଡ଼ି। ଅନେକ ବଗି ଭିତରେ ଏବେ ବି ମୃତଦେହ ଚାପି ହୋଇ ରହିଥିବା କୁହାଯାଉଛି। ୯୦୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Advertisment

ସରିଲା ଉଦ୍ଧାର କାର୍ଯ୍ୟ, ରେଳ ଟ୍ରାକ୍‌ରେ ପଡ଼ିଛି ବିଧ୍ବସ୍ତ ବଗି
ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ
କ୍ୟାମ୍ପ କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଓ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ବରଠାରୁ ୨୨ କିମି ଦୂରରେ ଘଟିଥିବା ଏହି ଛାତିଥରା ଟ୍ରେନ୍ ଦୁର୍ଘଟଣା (କରମଣ୍ଡଳ-ସାଲିମାର ଏକ୍ସପ୍ରେସ୍, ଗୋଟିଏ ମାଲବାହୀ ଟ୍ରେନ୍ ଏବଂ ଯଶବନ୍ତପୁର-ହାଵଡା) ସମଗ୍ର ଦେଶକୁ ଦୋହଲାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଘଟଣାସ୍ଥଳରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସହ ସିଧାସଳଖ ଫୋନରେ କଥା ହୋଇ ଆହତ ଓ ତାଙ୍କ ପରିବାରକୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କ ପୁଅ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀ, ରେଳବାଇର ଉଚ୍ଚପଦସ୍ଥ ଅଧିକାରୀ ଓ ବହୁ ଶୀର୍ଷସ୍ତରୀୟ ରାଜନେତା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦୁଇ କେନ୍ଦ୍ରମନ୍ତ୍ରୀ ବାଲେଶ୍ବରରେ କ୍ୟାମ୍ପ କରିବେ ବୋଲି ଜଣାପଡ଼ିଛି।

publive-image

ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ମାରାଥନ୍ ଉଦ୍ଧାର କାର୍ଯ୍ୟ ଶନିବାର ଦିନ ଶେଷ ହୋଇଥିବା କୁହାଯାଉଛି। ତେବେ ଦୁର୍ଘଟଣାସ୍ଥଳରେ ପଡ଼ିଥିବା ଟନ୍‌ ଟନ୍‌ ଓଜନର ଲୁହା, ନଷ୍ଟ ହୋଇ ଯାଇଥିବା ରେଳ ଟ୍ରାକ୍‌ ଓ ଧ୍ବସ୍ତବିଧ୍ବସ୍ତ ବଗିଗୁଡ଼ିକୁ ହଟାଇବା ଲାଗି ଆହୁରି କିଛି ଦିନ ଲାଗିଯିବ ବୋଲି ଜଣାପଡ଼ିଛି। ଡାକ୍ତରଖାନାରେ ମୃତାହତ ଆତ୍ମୀୟ ପରିଜନଙ୍କ କାନ୍ଦବୋବାଳି ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅଧିକାଂଶ ଶବଗୁଡ଼ିକର ଅଙ୍ଗପ୍ରତ୍ୟଙ୍ଗ ଛିଣ୍ଡି ବିକୃତ ହୋଇ ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇଛି। ମୃତକଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ସର୍ବାଧିକ ଲୋକ ଥିବା ବେଳେ ଓଡ଼ିଶା, ଆନ୍ଧ୍ରପ୍ର‌ଦେଶ, ତାମିଲନାଡୁର ଲୋକ ମଧ୍ୟ ଅଛନ୍ତି। ଆଜି କିଛି ମୃତକଙ୍କ ପରିବାର ଆସି ଶବ ନେଇ ଯାଇଛନ୍ତି।

ଶନିବାର ଦିନ ପ୍ରଚଣ୍ଡ ଖରା ସତ୍ତ୍ବେ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ବଗିରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଅପରାହ୍ନ ୩ଟା ସୁଦ୍ଧା ସମସ୍ତ ମୃତଦେହ ଉଦ୍ଧାର କରିଥିଲେ। ସମସ୍ତ ମୃତଦେହଗୁଡ଼ିକୁ ବାହାନଗା ହାଇସ୍କୁଲ ପରିସରରେ ରଖାଯାଇଛି। ଦୁର୍ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳିରେ ମୃତଦେହଗୁଡ଼ିକ ପଚିବାକୁ ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ଶବ ଚିହ୍ନଟ ଯାଏ ବାଲେଶ୍ବର ‘ନୋସିର ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟରେ ମୃତଦେହଗୁଡ଼ିକୁ ବରଫ ଭିତରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଟ୍ରେନ୍ ଦୁର୍ଘଟଣାର ସମ୍ଭାବ୍ୟ କାରଣ, ତ୍ରୁଟି ସଂକ୍ରାନ୍ତରେ ରେଳବାଇ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (ଟ୍ରେନ୍ ନଂ ୧୨୮୪୧)କୁ ବାହାନଗା ବଜାର ଷ୍ଟେସନ୍‌ଠାରେ ଅପ୍‌-ମେନ୍‌ ଲାଇନ୍‌ (କେବଳ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପାଇଁ ଉଦ୍ଦିଷ୍ଟ ଟ୍ରାକ୍‌)ରେ ଆଗକୁ ବଢ଼ିବାକୁ ସିଗ୍‌ନାଲ୍‌ ମିଳିଥିଲା। ଟ୍ରେନ୍‌ ଚାଳକ (ଲୋକୋ ପାଇଲଟ୍‌) ମଧ୍ୟ ଏହି ସିଗ୍‌ନାଲ୍‌ ଗ୍ରହଣ କରିଥିବା ଜଣାପଡ଼ିଛି। ହେଲେ କୌଣସି କାରଣରୁ ଟ୍ରେନ୍‌ଟି ଅପ୍‌ ଲାଇନ୍‌ରେ ନଯାଇ ଲୁପ୍‌ ଲାଇନ୍‌ (ମାଲବାହୀ ଟ୍ରେନ୍ ପାଇଁ ଉଦ୍ଦିଷ୍ଟ) ଲାଇନ୍‌ରେ ପ୍ରବେଶ କରିଥିଲା ଓ ଉକ୍ତ ଲାଇନ୍‌ରେ ପୂର୍ବରୁ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କରମଣ୍ଡଳ ଏକ୍ସପ୍ରେସ୍‌ର ଇଞ୍ଜିନ୍‌ ମାଲ୍‌ବାହୀ ଟ୍ରେନ୍‌ ଉପରକୁ ଚଢ଼ି ଯାଇଥିବା ବେଳେ ପଛକୁ ପଛ ବଗିଗୁଡ଼ିକ ଟ୍ରାକ୍‌ ବାହାରକୁ ୨/୩ ଥର ପଲଟି ଗଡ଼ି ପଡ଼ିଥିଲା। ଦୁର୍ଭାଗ୍ୟକୁ ଏହି ସମୟରେ ପାର୍ଶ୍ବବର୍ତ୍ତୀ ଡାଉନ୍‌ ଲାଇନ୍‌ରେ ଭଦ୍ରକ ପଟୁ ଦ୍ରୁତଗତିରେ ଆସୁଥିବା ବେଙ୍ଗାଲୁରୁ ୟଶବନ୍ତପୁର-ହାୱାଡା ସୁପରଫାଷ୍ଟ (ଟ୍ରେନ୍ ନଂ ​୧୨୮୬୪)ର ଦୁଇଟି ବଗି କରମଣ୍ଡଳର ଗଡ଼ି ପଡ଼ିଥିବା ବଗି ସହ ଧକ୍କା ଖାଇ ଲାଇନ୍‌ଚ୍ୟୁତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରେନ୍‌ର ଚାଳକ ଓ ସହ ଚାଳକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବାରୁ ସେମାନେ ସୁସ୍ଥ ହେବା ଯାଏ ଅପେକ୍ଷା କରିଛି ତଦନ୍ତକାରୀ ଟିମ୍‌। ଦୁର୍ଘଟଣା ସମୟରେ କରମଣ୍ଡଳର ବେଗ ଘଣ୍ଟା ପ୍ରତି ୧୨୮ କିମି ଓ ବେଙ୍ଗାଲୁରୁ ୟଶବନ୍ତପୁର-ହାୱାଡା ସୁପରଫାଷ୍ଟର ବେଗ ଘଣ୍ଟା ପ୍ରତି ୧୨୬ କିମି ଥିଲା ବୋଲି କୁହାଯାଉଛି।

publive-image

ରେଳ ଦୁର୍ଘଟଣା ଇତିହାସରେ ଏକକାଳୀନ ୩ଟି ଟ୍ରେନ୍ ଧକ୍କା ହେବା ଓ ଶହଶହ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାରା ଦେଶବାସୀ ଖାଲି ମ୍ରିୟମାଣ ହୋଇନାହାନ୍ତି, ରେଳ ସୁରକ୍ଷା ଉପରେ ମଧ୍ୟ ଏହା ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରେନ୍‌ର ୧୭ଟି ଲୁହା ବଗି ପ୍ଲାଷ୍ଟିକ୍‌ ଖେଳଣା ଭଳି ଯେମିତି କୁଚୁକୁଚା ହୋଇ ବଙ୍କିଯାଇଛି, ତାକୁ ଦେଖିଲେ ଦୁର୍ଘଟଣାର ଭୟାବହତା ଓ ତୀବ୍ରତା ଅନୁମାନ କରାଯାଇପାରେ। ଓଲଟି ପଡ଼ିଥିବା ବଗିଗୁଡ଼ିକରେ ହାତଗୋଡ଼, ମୁଣ୍ଡ କଟି ଯାଇଥିବା ବୀଭତ୍ସ ମୃତଦେହ, ମା କୋଳରେ ମୃତ ଶିଶୁ, ରକ୍ତରେ ଭିଜି ଯାଇଥିବା ସିଟ୍‌, ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା ଯାତ୍ରୀମାନଙ୍କର ବ୍ୟାଗ୍‌, ମୋବାଇଲ, ଖାଦ୍ୟ, ଲୁଗାପଟା, ଚପଲ, କାନଫୁଲ, ଚୁଡ଼ି ପଡ଼ିଥିବା ଦେଖି ଉଦ୍ଧାରକାରୀ ଦଳ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ର ଯବାନମାନେ ମଧ୍ୟ ଭାବପ୍ରବଣ ହୋଇ ପଡ଼ିଥିଲେ। କାହା ଛାତିରେ ଲୁହା ଗଳି ଯାଇଥିଲା ତ କାହା ମୁଣ୍ଡରେ ଓଜନଦାର ଲୁହା ପଡ଼ି ଚେପା ହୋଇ ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବଗିରୁ ଅନେକଙ୍କ ହାତଗୋଡ଼ ବାହାରକୁ ଦେଖା ଯାଉଥିବା ବେଳେ ରେଳ ଧାରଣା ବାହାରେ ଅନେକ ଶବ ପଡ଼ି ରହିଥିଲା। ଦୁର୍ଘଟଣା ପରେ ଅନେକ ବିକଳରେ ଚିତ୍କାର କରି ପାଣି ମୁନ୍ଦେ ପାଇଁ ନେହୁରା ହୋଇଥିଲେ। ଏହି ସମୟରେ ଦେବଦୂତ ସାଜି ପାଖରେ ପହଞ୍ଚିଥିଲେ ପାଖ ଗାଁର ୪ ଶହରୁ ଅଧିକ ଲୋକ। ମହିଳା, ପୁରୁଷ, ଛୋଟ ପିଲା, ଯିଏ ଯେମିତି ପାରିଲା​; ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚିବା ଯାଏ ପାଣି, ବିସ୍କୁଟ୍‌, ଶୁଖିଲା ଖାଦ୍ୟ ଖାଇବାକୁ ଦେଇ କେତେକ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ମଧ୍ୟ ହୋଇଥିଲେ। ଯାହାକୁ ପ୍ରଧା​ନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟ ନେତୃବୃନ୍ଦ ଭୂୟସୀ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ବିପଦ ସମୟରେ ମାନବିକତା ଏବେ ବି ବଞ୍ଚିଛି, ତାହା ଏହି ଘଟଣାରୁ ସ୍ପଷ୍ଟ।