ଭୁବନେଶ୍ୱର:ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୨୮୯ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ବିଧାନସଭାରେ ଶ୍ରମ ଏବଂ କର୍ମଚାରୀ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ସୂଚନା ଦେଇଛନ୍ତି।
ଗୃହରେ ଭୁବନେଶ୍ବର ମଧ୍ୟ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ପ୍ରଦାନ କରିଛନ୍ତି।
ଅନନ୍ତ ନାରାୟଣ ଜେନା ପଚାରିଥିଲେ ଯେ, ରାଜ୍ୟର କେଉଁ ଜିଲ୍ଲାମାନଙ୍କରୁ କେତେଜଣ ୨୦୨୪ ମସିହାରେ ଦାଦନ ଖଟିବାକୁ ଯାଇଥିଲେ। ୨୦୨୦ମସିହାରୁ ଏଯାବତ୍ କେତେଜଣ ବାହାର ରାଜ୍ୟରେ ନିର୍ଯାତିତ ହୋଇଛନ୍ତି ଏବଂ କେତେଜଣ ନିର୍ଯାତିତ ହୋଇ ମୃତ୍ୟୁବରଣ କରିଛନ୍ତି। ବାହାର ରାଜ୍ୟ/ ଦେଶରୁ କେତେଜଣଙ୍କୁ ସରକାର ଫେରାଇ ଆଣିଛନ୍ତି। କେଉଁ କାରଣରୁ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ୱାଧିନତା ଦିବସରେ କେଉଁ ଦାଦନ ଶ୍ରମିକ ନିମନ୍ତ୍ରିତ ହୋଇ ମଧ୍ୟ ବିଶେଷ ଅତିଥି ଭାବେ ଯୋଗ ଦେଇପାରିଲେ ନାହିଁ ?
ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ତଥ୍ୟ ୨୦୨୧ ରୁ ୨୦୨୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି।
ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ରିପୋର୍ଟ ଆସିଥିଲା। ୨୦୨୨ ମସିହାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୩ ମସିହାରେ ୪୨ ଏବଂ ୨୦୨୪ ମସିହାରେ ୧୨୦ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଚଳିତ ବର୍ଷର ଅଗଷ୍ଟ ସୁଦ୍ଧା ୮୨ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ ସରକାର ଅନ୍ୟ ରାଜ୍ୟରୁ ୫,୬୧୨ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି।
୨୦୨୧ ମସିହାରେ ଓଡ଼ିଶାର ୭୮୫ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ୨୦୨୨ ମସିହାରେ ୧,୧୯୬ ଏବଂ ୨୦୨୩ ବର୍ଷରେ ୧,୬୩୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୨୦୨୪ ମସିଆରେ ଜଣ ଏବଂ ଚଳିତ ବର୍ଷ ୯୩୭ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ସରକାର ୨୦୨୪ ମସିହାରେ ଓଡ଼ିଶାର ୭୦,୧୪୨ ଜଣ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ୧,୦୩୭ ଜଣ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରିଥିଲେ। ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ, ୧୯୭୯ ଅନୁଯାୟୀ ହୋଇଥିବା ବ୍ୟବସ୍ଥା ଅନ୍ତର୍ଗତ ଲାଇସେନ୍ସ ପ୍ରଦାନ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି ଯେ, ୨୦୨୫ ମସିହାରେ ଓଡ଼ିଶାରୁ ୧୧,୦୫୧ ଜଣ ଶ୍ରମିକଙ୍କ ପ୍ରବାସ ପାଇଁ ୨୧୭ଟି ଲାଇସେନ୍ସ ପ୍ରଦାନ କରାଯାଇଥିଲା।
ପ୍ରାପ୍ତ ତଥ୍ୟ ଅନୁସାରେ ନୂ୍ଆଦିଲ୍ଲୀଠରେ ସ୍ବାଧୀନତା ଦିବସ ଅବସରରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟର କିଛି ଜିଲ୍ଲରେ ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/23/289-odia-migrant-workers-died-in-5-years-labour-minister-2025-09-23-20-07-38.jpg)