ଭୁବନେଶ୍ବର: ‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ...’’। ସନ୍ଥ କବି ଭୀମ ଭୋଇଙ୍କର ଏହି ଉକ୍ତିର ଆଜି ଅନେକ ପ୍ରାସଙ୍ଗିକତା ରହିଛି। ସରକାର, ବେସରକାର, ବଜାର ଓ ପରିବାରଠାରୁ ଊର୍ଦ୍ଧ୍ବକୁ ଉଠି ଭୀମ ଭୋଇଙ୍କର ଏ ଉକ୍ତିକୁ ପାଥେୟ କରି ନାଗରିକ ସମାଜ କିଭଳି ନିଜ ଗାଁ, ସମାଜ ଓ ଦେଶ ପାଇଁ କାମ କରି ପାରିବ, ସେ ଦିଗରେ ଯତ୍ନବାନ ହେବାକୁ ପଡ଼ିବ। ସ୍ବେଚ୍ଛାକୃତ କ୍ଷେତ୍ର ବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଯେତେ ଦୃଢ଼ ହେବ, ଦେଶରେ ନାଗରିକ ସମାଜ ସେତିକି ସୁଦୃଢ଼ ହେବ। ନାଗରିକ ସମାଜ ସୁଦୃଢ଼ ହେଲେ ଦେଶ ଆଗକୁ ବଢ଼ିବ। ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ସନ୍ଧ୍ୟାରେ ‘ଆମ ଓଡ଼ିଶା’ର ୨୮ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଡ. ଭଗବାନ ପ୍ରକାଶ ଏହା କହିଛନ୍ତି। ‘ସମ୍ବାଦ-ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଡ. ପ୍ରକାଶ ‌ଆହୁରି କହିଛନ୍ତି, ‘ଆମ ଓଡ଼ିଶା’ ୨୮ ବର୍ଷ ଧରି ଅନେକ ଜନ ହିତକର ଯୋଜନା ହାତକୁ ନେଇଛି। ଏବେ ୨୮ ବର୍ଷର ଅନୁଷ୍ଠାନ କେଉଁଠି ଠିକ୍‌ କରିଛି, କେଉଁଠି ଭୁଲ୍‌ କରିଛି ସେହି ଅନୁଭବରୁ ଶିକ୍ଷା ଲାଭକରି ଓଡ଼ିଶାର ସ୍ବାର୍ଥ ପାଇଁ ଅଧିକରୁ ଅଧିକ ସମର୍ପଣଭାବ ନେଇ କାମ କରିବା ଉଚିତ।

Advertisment

ଏହି ଅବସରରେ ଭାଷାବିତ୍‌ ପ୍ରଫୁଲ୍ଲ ତ୍ରିପାଠୀଙ୍କୁ ‘ଆମ ଓଡ଼ିଶା ଅସ୍ମିତା ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଥିଲା। ସମ୍ମାନର ଉତ୍ତର ରଖି ଶ୍ରୀ ତ୍ରିପାଠୀ କହିଲେ, ‘‘ମୋର ଗୁରୁ ମୋତେ ପ୍ରଫେସନ, ପ୍ୟାସନ ଓ ମିଶନ ସମ୍ପର୍କରେ ସଚେତନ କରିଥିଲେ। ସେହିଦିନରୁ ଭାଷା ଉପରେ ବୈଜ୍ଞାନିକ ଗବେଷଣା କରିବା ମୁଁ ଆରମ୍ଭ କରିଥିଲି। ଗାଁଗାଁ ବୁଲି ଲୋକଙ୍କ ସ୍ବାଭାବିକ କଥୋପକଥନକୁ ସଂଗ୍ରହ କରିଥିଲି।’’ ସେ କହିଥିଲେ, ପ୍ରତ୍ୟେକ ଶବ୍ଦର ଓଡ଼ିଆ ଅନୁବାଦ ଦରକାର ନାହିଁ। ଇଂରାଜୀ ଭାଷାର ମୂଳ ୧୮ ପ୍ରତିଶତ। ବାକି ଶବ୍ଦସବୁ ବିଭିନ୍ନ ଭାଷା ଓ ଦେଶରୁ ଆସିଛି। ତେଣୁ ଭାଷା ଯଦି ଉଦାର ହୁଏ, ବାହାରୁ ଯଦି ଅନ୍ୟ ଭାଷାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୁଏ, ତାହାଲେ ସେ ଭାଷାକୁ କେହି ମାରି ପାରିବେ ନାହିଁ। ସାଧାରଣ ଲୋକଙ୍କ ବ୍ୟବହାର ହୋଇ ପାରିଲେ ଭାଷା ବଞ୍ଚି ରହିବ। ସରକାରଙ୍କ ଉପରେ ସବୁ କିଛି ଛାଡ଼ି ବସିଗଲେ ହେବ ନାହିଁ। ଓଡ଼ିଆ ପଢ଼ି‌ଲେ ଉନ୍ନତି ହେବନାହିଁ ବୋଲି ଯେଉଁ ଧାରା ସୃଷ୍ଟି ହୋଇଛି ତାକୁ ଭୁଲ୍‌ ପ୍ରମାଣିତ କରିବାକୁ ପଡ଼ିବ।

ସଭାପତିଙ୍କ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଶାରେ ଅସ୍ମିତାର ବିଜୟ ଓ ଅହଙ୍କାରର ପରାଜୟ ହୋଇଛି। ବାହୁବଳ ଓ ଅର୍ଥବଳ ଅପେକ୍ଷା ମନୋବଳ ହିଁ ଅନେକ ସଫଳତା ଆଣିଦିଏ ବୋଲି ପ୍ରମାଣିତ ହୋଇଛି। ସେହି ମନୋବଳକୁ ପାଥେୟ କରି ‘ଆମ ଓଡ଼ିଶା’ ରକ୍ତଦାନ, ମତଦାନ, ଭାଷାର ସୁରକ୍ଷା ଓ ୬୦ ଛୁଇଁଲା ନୂଆ ଜୀବନ ଆରମ୍ଭ ହେଲା ଭଳି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସେବା କରିଆସୁଛି। ଏବେ ସେହି ମନୋବଳ ନେଇ ମହିଳାମାନଙ୍କୁ ଯୋଡ଼ିବା ପାଇଁ ଆସନ୍ତା ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସ ସହ ୧୯ ତାରିଖ ଦିନ ସାରା ଓଡ଼ିଶାରେ ‘ରକ୍ଷାବନ୍ଧନ’ କାର୍ଯ୍ୟକ୍ରମ କରାଯିବ। ସେଥିରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀବାନ୍ଧି ଉପହାର ବଦଳରେ ମଦ ନପିଇବାକୁ କହିବ। ସରକାର ମଦରୁ ରାଜସ୍ବ ଆଦାୟ ଚିନ୍ତା କରୁଥିବା ବେଳେ ଏ କାର୍ଯ୍ୟକ୍ରମ ନାଗରିକ ସମାଜ ସଫଳ କରିପାରିଲେ ଓଡ଼ିଶାରେ ବିରାଟ ପରିବର୍ତ୍ତନ ଆସିବ। ସେ ଆହୁରି କହିଥିଲେ, ସଫଳତା ହାସଲ କରିବାକୁ ହେଲେ ବହୁଭାଷୀ ହେବାକୁ ପଡ଼ିବ। କିନ୍ତୁ ଆଗ ନିଜ ମାତୃଭାଷା ମହତ ରଖିବାକୁ ପଡ଼ିବ।

ଉତ୍ସବରେ ‘ଆମ ଓଡ଼ିଶା’ର ସଂପାଦକ ଅରବିନ୍ଦ ଦାସ ସ୍ବାଗତ ଭାଷଣ ଦେଇ ୨୮ ବର୍ଷ ଧରି ଆମ ଓଡ଼ିଶାର ପ୍ରଭାବଶାଳୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ସେ କହିଥିଲେ, ୧୯୯୬ ମସିହାରେ ‘ଆମ ଓଡ଼ିଶା’ ଆରମ୍ଭ ହେବା ଦିନ ଠାରୁ ଭାଷାର ସୁରକ୍ଷା ପାଇଁ କାର୍ଯ୍ୟ କରୁଛି। ଧୀରେ ଧୀରେ ସବୁ ବର୍ଗର ଲୋକମାନଙ୍କୁ ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ‘ଆମ ଓଡ଼ିଶା’ ପ୍ରକାଶନର ସଂପାଦକ ଅସିତ୍‌ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସହସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଶାଶ୍ବତୀ ଅନୁଷ୍ଠାନ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଲେଖିକା ସ୍ନେହଲତା ପୃଷ୍ଟି ମାନପତ୍ର ପାଠ କରିଥିଲେ।