ଭୁବନେଶ୍ବର : ରାଜ୍ୟ ମହିଳା ଆୟୋଗର ୨୮ତମ ପ୍ରତିଷ୍ଠା ଦିବସ ଆଜି ହୋଟେଲ କଳିଙ୍ଗ ଅଶୋକରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମାନବାଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାକାନ୍ତି ବେହେରା, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦେଶ ଅରବିନ୍ଦ ଅଗ୍ରୱାଲ ଓ ମହିଳା ଆୟୋଗର ଅଧ୍ୟକ୍ଷା ମିନତି ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ମହିଳା ଆୟୋଗ ପ୍ରତିଷ୍ଠା ହେବା ଦିନଠାରୁ ୭୪,୧୭୬ ମାମଲା ପଞ୍ଜୀକୃତ ହୋଇଛି। ତହିଁରୁ ୬୩,୦୪୬ ମାମଲାର ସମାଧାନ ହୋଇଥିବା ବେଳେ ୧୧,୧୩୦ ମାମଲାର ଶୁଣାଣି ଜାରି ରହିଛି। ସେହିପରି ଗତବର୍ଷ ସମୁଦାୟ ୧୮୭୭ ମାମଲା ପଞ୍ଜୀକୃତ ହୋଇଛି। ସେଥିରୁ ୭୪୩ ମାମଲାର ସମାଧାନ ହୋଇଛି ଓ ୧୧୩୪ର ଶୁଣାଣି ଜାରି ରହିଛି। ମହିଳା ଆୟୋଗର ମାମଲା ସମାଧାନ ହାର ରହିଛି ୮୪ ପ୍ରତିଶତ। କୋଭିଡ୍ ମହାମାରୀ ସମୟରେ ମହିଳା କମିସନ ଏକ ହ୍ବାଟ୍ସଆପ୍ ନମ୍ବର ୮୭୬୩୫୪୩୦୧୩ ଜରିଆରେ ମହିଳାମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ଟେଲି କାଉନସେଲିଂ ଜରିଆରେ ହିଂସା ଓ ଯନ୍ତ୍ରଣାଗ୍ରସ୍ତ ମହିଳାମାନଙ୍କୁ ଆଶ୍ବସ୍ତି ପ୍ରଦାନ କରାଯାଇଥିବା ଆୟୋଗ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଜିଲ୍ଲାସ୍ତରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ମହିଳାମାନଙ୍କ ଅଧିକାର ଓ ସୁରକ୍ଷା ବିଷୟରେ ସଚେତନତା କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମହିଳା ଅଧିକାର ଓ ସୁରକ୍ଷା ସଂପର୍କିତ ୧୨ଟି ଆଇନ ପ୍ରଶ୍ନର ଉତ୍ତର ସମ୍ପର୍କିତ ଏକ ପୁସ୍ତକ ପ୍ରକାଶିତ ହୋଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ନେହାଞ୍ଜଳି ମହାନ୍ତି, ସ୍ବର୍ଣ୍ଣଲତା ସାମଲ, ଆରତି ସିଂ, ଜଲିନା ପ୍ରିୟଦର୍ଶିନୀ, ବୈକୁଣ୍ଠନାଥ ସାସମଲ ଓ ଅନ୍ୟମାନେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/m1-2.jpg)