ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣ ଥମିବାର ନା ଧରୁ ନାହିଁ। କରୋନା ସଂକ୍ରମଣକୁ ନେଇ ସରକାର ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବସ ଚଳାଚଳ ବନ୍ଦ କରିଛନ୍ତି। ଏସବୁ ପରେ ବି ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଦିନ ଜିଲ୍ଲାରେ ପୁଣି ୨୯ ଜଣ କରୋନା ସଂକ୍ରମିତ ହୋଇଥିବା ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।
ଜିଲ୍ଲାର ସିନାପାଲି ବ୍ଳକ ବ୍ରାହ୍ମଣପଡ଼ା ପରେ କୋମନା ବ୍ଳକ କୋନାବିରାରେ କରୋନା କାୟା ବିସ୍ତାର କରିବା ପରେ ଆଜି ପୁଣି ନୂଆପଡ଼ା ବ୍ଳକରେ ୧୨ ଜଣ ଆକ୍ରାନ୍ତ ହୋଇଛନ୍ତି, ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ନୂଆପଡ଼ା ଜିଲ୍ଲାରେ ଧିରେ ଧିରେ ଗାଁକୁ ଗାଁ କରୋନା ବ୍ୟାପୁଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ବ ନଦେଲେ ଆଗକୁ ଭୟଙ୍କର ସ୍ଥିତି ଦେଖାଯିବାର ଆଶଙ୍କା ରହିଛି।
ମଙ୍ଗଳବାର ଦିନ ଜିଲ୍ଲାରେ ମୋଟ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୯ ଜଣଙ୍କ ମଧ୍ୟରୁ ନୂଆପଡ଼ା ବ୍ଳକରେ ୧୨ ଜଣ, ଖରିଆର ରୋଡ଼ ୧୦ ଜଣ, ସିନାପାଳି ବ୍ଳକରେ ୪ ଜଣ, ଖଡ଼ିଆଳ ବ୍ଳକରେ ଜଣେ, ବୋଡ଼େନ ବ୍ଳକରେ ଜଣେ ଓ କୋମନା ବ୍ଳକରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନୂଆପଡ଼ା କୋଭିଡ୍ ଡାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ଏହି ୨୯ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୦୩ରେ ପହଞ୍ଚିଛି। ତେବେ ଜିଲ୍ଲାରେ ୨୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏମାନଙ୍କୁ ଗୃହ ସଂଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି।