ରାୟଗଡ଼ା : ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଆଶ୍ରୟସ୍ଥଳୀରୁ ଗତକାଲି ବିଳମ୍ବିତ ରାତିରେ ୧୯ଜଣ ଶ୍ରମିକ ଚମ୍ପଟ ମାରିଛନ୍ତି। ସେମାନଙ୍କ ମଧ୍ୟରେ ୧୭ଜଣ ପଞ୍ଜାବ ଓ ୨ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। କ୍ଲଷ୍ଟର୍ ଦାୟିତ୍ବରେ ଥିବା ଶିକ୍ଷକ ଏନେଇ ଶେଷଖାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଖବର ପାଇ ପିଏ ଆଇଟିଡିଏ ଟୁକୁ ବାରିକ, ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ମାର୍ଚ୍ଚ ୩୦ ତାରିଖରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏହି ୧୯ ଶ୍ରମିକଙ୍କୁ ଉଦ୍ଧାର କରି କ୍ବାରାଣ୍ଟିନରେ ରଖିଥିଲା। ୧୪ଦିନ କ୍ବାରାଣ୍ଟିନ୍ ଶେଷ ହେବା ପରେ ଶ୍ରମିକଙ୍କୁ କେରେଡ଼ା ହାଇସ୍କୁଲ୍ ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଗତକାଲି ରାତ୍ରିଭୋଜନ କରିବା ପରେ ଏହି ଶ୍ରମିକମାନେ ଶୋଇଥିଲେ। ଅଧରାତିରେ ଶୋଇଥିବା କକ୍ଷର ପଛପାର୍ଶ୍ବ ଝରକା ତାଡ଼ି ଫେରାର ହୋଇ ଯାଇଥିଲେ। ସ୍କୁଲ୍ ପଛ ପାର୍ଶ୍ବକୁ ଲାଗି ଟ୍ରେନ୍ ଲାଇନ୍ ଯାଇଥିବାରୁ ଏହି ସଂପର୍କରେ କେହି କିଛି ଜାଣି ପାରିନଥିଲେ। ସକାଳେ ବହୁ ସମୟ ଧରି ଏହି ଶ୍ରମିକମାନେ ଶୋଇଥିବା କକ୍ଷର କବାଟ ନ ଖୋଲିବାରୁ ଦାୟିତ୍ବରେ ଥିବା କର୍ମଚାରୀ ପଛପାର୍ଶ୍ବକୁ ଯାଇ ଦେଖିଥିଲେ। ପଛପାର୍ଶ୍ବ ଝରକା ଖୋଲାଥିବା ସହ ତଡ଼ା ହୋଇଥିବା ଦେଖି କ୍ଲଷ୍ଟର୍ ଦାୟିତ୍ବରେ ଥିବା ଶିକ୍ଷକଙ୍କୁ ଅବଗତ କରିଥିଲେ। ଶିକ୍ଷକ ଏ ସଂପର୍କରେ ପ୍ରଶାସନ ଓ ପୁଲିସକୁ ଜଣାଇବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ସଂଧ୍ୟା ସୁଦ୍ଧା ଫେରାର ଅନ୍ତେବାସୀଙ୍କ କୌଣସି ଖୋଜ ଖବର ପାଇନି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/rayagada-2.jpg)