ଚିହ୍ନଟ ହୋଇଥିବା ୬୧ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୪୨ ସୁରତ ଫେରନ୍ତା

ସ୍ପଷ୍ଟ କଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ

ଭୁବନେଶ୍ବର: ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ମୋଟ୍ ୬୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ୬୧ ନୂଆ କରୋନା ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ଭିତରୁ ୪୨ ଜଣ ସୁରତ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ସମସ୍ତ ୬୧ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରାଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ୧୨ ସଂକ୍ରମିତ ହେଉଛନ୍ତି ସୁରତ ଫେରନ୍ତା। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ । କେନ୍ଦ୍ରାପଡ଼ାର ୧୩ଜଣ ବି ସୁରତ ଫେରନ୍ତା ଓ ସେମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ ।

ସେହିଭଳି ବାଲେଶ୍ୱରରୁ ଠାବ ହୋଇଥିବା ୧୨ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୨ ଆକ୍ରାନ୍ତ ସୁରତ ଫେରନ୍ତା,ଏବଂ ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ବୋଲି ସ୍ପଷ୍ଟ କରିଛି ବିଭାଗ । ତେବେ ସମସ୍ତ କରୋନା ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ମହାରାଷ୍ଟ୍ର ଫେରନ୍ତା ହୋମ୍ କ୍ୱାରେଣ୍ଟିନରେ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ପୁରୀରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ନୟାଗଡ଼ର ୩ ନୂଆ ଆକ୍ରାନ୍ତ ଏବଂ ଯାଜପୁରରୁ ଚିହ୍ନଟ ହୋଇଥିବା ୨ ନୂଆ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡ଼ିଥିବା ବେଳେ ସମସ୍ତ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।

ଅନ୍ୟପଟେ କଟକ, ସୁନ୍ଦରଗଡ଼, ଦେବଗଡରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଅହମଦାବାଦ ଫେରନ୍ତା ଏବଂ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଅପରପକ୍ଷରେ ଭଦ୍ରକରୁ ଚିହ୍ନଟ ସମସ୍ତ ୬ ନୂଆ ଆକ୍ରାନ୍ତଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ଏବଂ ସେମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର