ରାୟଗଡ଼ା: ମହଙ୍ଗା ପଡ଼ିଲା କ୍ଲାସରେ ଅନୁପସ୍ଥିତ। ପରୀକ୍ଷା ଦେବାରୁ ବଞ୍ଚିତ ହେବେ ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (ୟୁଜିଏମଆଇଟି) ର ୨୯ ଛାତ୍ର। ଛାତ୍ରଙ୍କୁ ଏ ସଂପର୍କରେ କଲେଜ କର୍ତ୍ତୃପକ୍ଷ ଅବଗତ କରିବା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ପରୀକ୍ଷାରୁ ବଞ୍ଚିତ ଛାତ୍ର କଲେଜ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ନିଷ୍ପତ୍ତିର ପୁର୍ନବିଚାର କରିବା ପାଇଁ ନିବେଦନ କରିଛନ୍ତି। କିନ୍ତୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶନୁଯାୟୀ ଉପସ୍ଥାନ ଆଗରୁ ରେକର୍ଡଭୁକ୍ତ ଥିବାରୁ କିଛି କରି ହେବନି ବୋଲି ମନା କରିଛନ୍ତି କଲେଜ ଅଧ୍ୟକ୍ଷ।
କଲେଜରେ ନାମ ଲେଖାଇବା ପରେ ବହୁ ଛାତ୍ର କ୍ଲାସରେ ଅନୁପସ୍ଥିତ ରହି ସିଧାସଳଖ ପରୀକ୍ଷା ଦେବାକୁ ଆସୁଛନ୍ତି। ଛାତ୍ରଛାତ୍ରୀଙ୍କୁ କ୍ଲାସ ମୁହାଁ କରିବାକୁ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଧାମୂଳକ ତାଲିମ୍ ବିଭାଗ (ଏସଟିଇ ଆଣ୍ଡ ଭିଟି) ନୂତନ ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନରେ କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ନଥିଲେ କୌଣସି ଛାତ୍ର ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି। ସେହିପରି ୬୦ରୁ ୭୦ ପ୍ରତିଶତ ଉପସ୍ଥାନ ଥିଲେ ମେଡ଼ିକାଲ୍ ପ୍ରମାଣପତ୍ର ଆଣି ଦାଖଲ କରିବା ପରେ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବାକୁ ନିର୍ଦେଶ ରହିଛି। ୬୦ ପ୍ରତିଶତରୁ କମ୍ ଉପସ୍ଥାନ ଥିଲେ ସଂପୃକ୍ତ ଛାତ୍ର ପରୀକ୍ଷା ଦେଇ ପାରିବେ ନାହିଁ।
ଏହି କ୍ରମରେ ଆଗାମୀ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ପରୀକ୍ଷାରେ ୟୁଜିଏମଆଇଟିର ୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ସିଭିଲି ବିଭାଗ ତୃତୀୟ ସେମିଷ୍ଟାରର୍ ୨, ପଞ୍ଚମ ସେମିଷ୍ଟାରର ୩, ଇଲେକ୍ଟ୍ରିକାଲ୍ ବିଭାଗ ତୃତୀୟ ସେମିଷ୍ଟାରର୍ ୭, ପଞ୍ଚମ ସେମିଷ୍ଟାରର୍ ୬, ଇଲୋକ୍ଟ୍ରୋନକ୍ସି ବିଭାଗ ତୃତୀୟ ସେମିଷ୍ଟାରର୍ ୭, ମେକାନିକାଲ୍ ବିଭାଗ ତୃତୀୟ ସେମିଷ୍ଟାରର୍ ୩, ପଞ୍ଚମ ସେମିଷ୍ଟାରର୍ ଜଣେ ଛାତ୍ରଙ୍କୁ ମିଶାଇ ମୋଟ ୨୯ ଜଣ ପରୀକ୍ଷା ଦେବାକୁ ବଞ୍ଚିତ ହେବେ। ଅପରାହଣରେ ପରୀକ୍ଷାରୁ ବଞ୍ଚିତ ଛାତ୍ର କଲେଜ ଅଧ୍ୟକ୍ଷ ନାରାୟଣ ପଟେଲଙ୍କୁ ସାକ୍ଷାତ କରି ପରୀକ୍ଷା ଦେବା ପାଇଁ ନିବେଦନ କରିଥିଲେ। ଖବର ପାଇ ରାୟଗଡ଼ା ପୌର ପରିଷଦ କାଉନସିଲର୍ ସନ୍ତୋଷ କୁମାର ଦଳାଇ ୟୁଜିଏମଆଇଟିରେ ପହଞ୍ଚି ନିଷ୍ପତ୍ତିର ପୁର୍ନବିଚାର ସଂପର୍କରେ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ।
ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଙ୍କ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଥିବାରୁ କାଉନସିଲର ଶ୍ରୀ ଦଳାଇ ଅଧ୍ୟକ୍ଷଙ୍କୁ ଛାତ୍ରଙ୍କୁ ସୁଯୋଗ ଦେବାକୁ ନିବଦେନ କରିଥିଲେ। କିନ୍ତୁ ନିୟମ ଅନୁଯାୟୀ ଉପସ୍ଥାନ ରେକର୍ଡ ପ୍ରତି ମାସରେ ବିଭାଗକୁ ଯାଉଥିବାରୁ କିଛି କରି ହେବନି ବୋଲି ଅଧ୍ୟକ୍ଷ ରୋକଠୋକ୍ ମନା କରି ଦେଇଥିଲେ। ଛାତ୍ରଙ୍କ ନିବେଦନକୁ ଅଧ୍ୟକ୍ଷ ଅଗ୍ରାହ୍ୟ କରିବା ପରେ ପରୀକ୍ଷାରୁ ବଞ୍ଚିତ ଛାତ୍ର ଆର୍. ଗୋକୁଳ, ଟି. ମୋହନ, ପି. ବ୍ରହ୍ମାଜି, ଏଲ୍. ଆଶିଷ, ଜି. ପ୍ରବୀଣ କୁମାର, ବି. ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଚିନ୍ତାରେ ପଡିଛନ୍ତି। ସୂଚନାଯୋଗ୍ୟ, ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଛାତ୍ର ସନ୍ତୋଷ କୁମାର ରାୟଗଡ଼ା ପୌର ପରିଷଦର ୧୫ ନଂ ୱାର୍ଡ ବାସିନ୍ଦା। ସନ୍ତୋଷଙ୍କ ବାପା କରୋନାରେ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ପରିବାର ବହୁ କଷ୍ଟରେ ପ୍ରତିପୋଷଣ ହେଉଛି। କାମଧନ୍ଧା ନ କଲେ ପରିବାର ପ୍ରତିପୋଷଣର ରାହା ନଥିବାରୁ ସନ୍ତୋଷ ପ୍ରତିଦିନ କ୍ଲାସରେ ଉପସ୍ଥିତ ରହିପାରୁନଥିଲେ। ଗରିବୀର କଷାଘାତରେ ସଢ଼ୁଥିବା ଏହି ପରିବାରର ନିବେଦନକୁ କଲେଜ ଅଧ୍ୟକ୍ଷ ବିଚାରକୁ ନେଲେ ଉପକୃତ ହେବେ ବୋଲି ସନ୍ତୋଷଙ୍କ ମାଆ ନିବେଦନ କରିଛନ୍ତି।