ଏମ୍ଏସ୍ଏମ୍ଇକୁ ୨୯୦ କୋଟି, ସୁଧ ରିହାତି ବାବଦରେ ୧୦୮ କୋଟି
ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ମିଳିବ ସହାୟତା, ପିଏମ୍ଇଜିପିରେ ଦୁର୍ବଳବର୍ଗଙ୍କୁ ୫% ଅଧିକ ସବ୍ସିଡି
ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ସେମାନେ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏସବୁ ଉଦ୍ୟୋଗକୁ ଆଶ୍ବସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ରେ ଉଦ୍ୟୋଗୀମାନଙ୍କୁ ସୁଧ ଛାଡ଼ଠାରୁ ଆରମ୍ଭ କରି ଅଧିକ ସବ୍ସିଡି, ଏସ୍ଜିଏସ୍ଟି ବାବଦ ଟିକସ ଭରିବା ଏବଂ ପ୍ରତିଷ୍ଠାନ ଗୁଡ଼ିକୁ ବାର୍ଷିକ ରକ୍ଷଣାବେକ୍ଷଣ ଅର୍ଥ ଛାଡ଼ କରିବା ଆଦି ଅନ୍ତର୍ଭୁକ୍ତ ରହିଛି। ବ୍ୟାପକ ବର୍ଗର ଉଦ୍ୟୋଗୀଙ୍କୁ ଲାଭ ପହଞ୍ଚାଇବା ହେଉଛି ଏହାର ଲକ୍ଷ୍ୟ। ବିଶେଷକରି ମହିଳା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଏମଏସଏମଇ ଉଦ୍ୟୋଗୀଙ୍କୁ ଏହାର ଲାଭ ଯେଭଳି ଅଧିକ ମିଳିବ ତାହାକୁ ଦୃଷ୍ଟିରେ ରଖି ପ୍ୟାକେଜ ପ୍ରସ୍ତୁତ କରାଯାଇଛି। ଏମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ଇସିଏଲ୍ଜିଏସ୍)ରେ ୧,୭୦,୦୦୦ ଏମଏସଏମଇ ୟୁନିଟ ଉପକୃତ ହେବେ। ସେମାନଙ୍କୁ ସୁଧ ରିହାତି ମିଳିବ। ଇସିଏଲଜିଏସ୍ ଅଧୀନରେ ଏମଏସଏମଇକୁ ଗୋଟିଏ ବର୍ଷର ମୋରାଟୋରିୟମ ସହିତ ସୁଧ ରିହାତି ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି।
ଏଥିପାଇଁ ୧୦୮.୨୯ କୋଟି
ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଏମଏସଏମଇ ପରିଚାଳନା କରୁଥିବା ଯୋଗ୍ୟ ୪୦ ପ୍ରତିଶତ ମହିଳାଙ୍କୁ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍ଇଜିପି) ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମାଜର ଦୁର୍ବଳ ବର୍ଗର ବ୍ୟକ୍ତିଙ୍କୁ ଟପ୍-ଅପ୍ ସବ୍ସିଡି ବାବଦରେ ୫ ପ୍ରତିଶତ ପ୍ରଦାନ କରାଯିବ। ଏଥିପାଇଁ ସରକାର ୨୭ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ, ମହିଳା, ଦିବ୍ୟାଙ୍ଗ ଏବଂ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ କରୋନା ମହାମାରୀ ବେଳେ ଏହା ବିଶେଷ ସହାୟକ ହେବ ବୋଲି ଆଶା ରଖାଯାଇଛି।
କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ପିଏମ୍ଏଫ୍ଏମ୍ଇ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଗୁଡ଼ିକୁ ୧୫ ପ୍ରତିଶତ ଟପ୍-ଅପ୍ ସବ୍ସିଡି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ପାଖାପାଖି ୧୦୦୦ ୟୁନିଟ୍କୁ ଏହି ଯୋଜନାରେ ସାମିଲ କରାଯିବ। ଉକ୍ତ ଯୋଜନାରେ ଟପ୍ ଅପ୍ ସବସିଡି ବାବଦରେ ୧୦ କୋଟି ଟଙ୍କା ପ୍ରଦାନ କରାଯିବ।
ଏଥିସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସହାୟତା ପ୍ୟାକେଜ (ସିଏପି)ରେ ନାନୋ ଓ ଅଣୁ ୟୁନିଟ୍ ଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ। ସଂପ୍ରତି ମହିଳା ଏସଏଚଜି ସଦସ୍ୟଙ୍କ ମାଧ୍ୟମରେ ୧୦୦ କୋଟି ଟଙ୍କା ଉପଲବ୍ଧ ହେବ। ରାଜ୍ୟ କ୍ୟାବିନଟେରେ ନିକଟରେ ଶିଳ୍ପ ନୀତି ପ୍ରସ୍ତାବରେ ସଂଶୋଧନ ଅଣାଯାଇଛି। ୨୦୧୭ ଜୁଲାଇ ୧ ତାରିଖରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୧୭୫ଟି ଉଦ୍ୟୋଗ ରାଜ୍ୟ ଜିଏସ୍ଟି ବାବଦରେ ଅର୍ଥରାଶି ପାଇବାକୁ ଯୋଗ୍ୟ ହେବେ। ଏହି ଯୋଜନାରେ ୩୮.୩୦ କୋଟି ଟଙ୍କା ପ୍ରଦାନ କରାଯିବ। ଏଥିସହିତ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଏମଏସଏମଇ ଗୁଡ଼ିକ ଇଡକୋକୁ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ବାବଦରେ ପ୍ରଦାନ କରୁଥିବା ଅର୍ଥକୁ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୫୦୦୦ ଏମଏସଏମଇ ପାଇଁ ଏ ବାବଦରେ ଇଡକୋକୁ ୫.୮୩ କୋଟି ଟଙ୍କା ବହନ କରିବାକୁ ପଡ଼ିବ।